ସମ୍ବଲପୁର : ଆପଣଙ୍କ ଦୋକାନରେ ଆପଣ ୟୁପିଆଇ ସ୍କାନ୍ କୋଡ୍ ଲଗାଇ ପେମେଣ୍ଟ ନେଉଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। ନଚେତ୍ ଆଖି ପିଛୁଳାକେ ଠକେଇର ଶିକାର ହୋଇଯିବେ। କାରଣ ସମ୍ବଲପୁରରେ ଏବେ ଫେକ୍ ୟୁପିଆଇ ବ୍ୟବହାରକାରୀ ଦେଖିବାକୁ ମିଳିଲାଣି। ୟୁପିଆଇ ଟ୍ରାନ୍ଜେକ୍ସନ୍ ନାଁରେ ଏହି ଠକମାନେ ଆପଣଙ୍କୁ ହଜାର ହଜାର ଟଙ୍କା ଠକି ଦେଇ ଚାଲିଯାଇ ପାରନ୍ତି। କାରଣ ଗତ ୬ ମାସ ହେବ ସମ୍ବଲପୁର ସହରରେ ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସିଲାଣି। ଶନିବାର ଏଭଳି ଟ୍ରାନ୍ଜେକ୍ସନ୍ କରି ଜଣେ ବ୍ୟକ୍ତିଙ୍କୁ କିଛି ବ୍ୟବସାୟୀ ପୁଲିସ ଜିମା ଦେଇଛନ୍ତି। ତେବେ ପୁଲିସ ଉକ୍ତ ଲୋକକୁ ଥାନାରେ ଅଟକ ରଖି ପଚରା ଉଚରା କରିବା ସହ ସେ ଟଙ୍କା ପଠାଉଥିବା ୟୁପିଆଇ ଆପ୍ର ଯାଞ୍ଚ କରୁଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣକ ବୁଢ଼ାରଜା ସ୍ଥିତ ଏକ ମୋବାଇଲ୍ ଦୋକାନରୁ ବୁଧବାର ସ୍କ୍ରିନ୍ଗାର୍ଡ ଓ କଭର୍ ପକାଇଥିଲେ। ଟଙ୍କା ୟୁପିଆଇ ମାଧ୍ୟମରେ ଦେବାକୁ କହିଥିଲେ। ବ୍ୟକ୍ତି ଜଣକ ଟଙ୍କା ପଠାଇ ସଫଳ ଟ୍ରାନ୍ଜେକ୍ସନ୍ ପେଜ୍ଟି ଦେଖାଇଥିଲେ। କିନ୍ତୁ ଦୋକାନୀଙ୍କ ପାଖକୁ ଟଙ୍କା ଆସି ନଥିଲା। ଦୋକାନୀ ତାଙ୍କୁ ଅପେକ୍ଷା କରିବାକୁ କହିଲେ। ତେବେ ସେ କାମ ଅଛି ବୋଲି କହିଥିଲେ ଏବଂ ନିଜକୁ ନେଭି ଅଧିକାରୀ ବୋଲି ପରିଚୟ ଦେଇ ଦୋକାନୀଙ୍କ ଭରସା ଜିତି ନେଇଥିଲେ। ଏକ ନମ୍ବର ଦେଇ ଟଙ୍କା ନ ଆସିଲେ ଜଣାଇବାକୁ କହି ସେଠାରୁ ଚାଲି ଯାଇଥିଲେ। ତେବେ ପରେ ଉକ୍ତ ନମ୍ବର ଲଗାଇବା ବେଳେ ତାହା ସ୍ବିଚ୍ ଅଫ୍ ଦେଖାଇଥିଲା। ନେଭି ଅଧିକାରୀ ବୋଲି କହି ସେଠାରୁ ଚାଲିଯାଇଥିବା ବ୍ୟକ୍ତିଙ୍କୁ ଏକ କାର୍ରେ ବୁଲୁଥିବା ଉକ୍ତ ଦୋକାନୀ ପିଛା କରିଥିଲେ। ଉକ୍ତ କାର୍ର ଉଭୟ ଆଗ ପଛ ନମ୍ବରକୁ ବ୍ୟକ୍ତି ଜଣକ ପେପର୍ ମାରି ଲୁଚାଇ ଦେଇଥିଲେ। ଅଶୋକା ଟକିଜ୍ ନିକଟରେ ଉକ୍ତ ବ୍ୟକ୍ତିଙ୍କୁ ଧରିବା ପରେ ସୂଚନା ପାଇ ଧନୁପାଲି ଥାନା ପୁଲିସ ତାଙ୍କୁ ଉଠାଇ ନେଇଥିଲା। ଉକ୍ତ ବ୍ୟକ୍ତିଙ୍କ ସହ ଜଣେ ମହିଳା ମଧ୍ୟ ଥିଲେ।
ତେବେ କିଛି ସମୟ ମଧ୍ୟରେ ଠକେଇର ଶିକାର ହୋଇଥିବା ଏକାଧିକ ଦୋକାନୀ ଥାନାରେ ପହ଼ଞ୍ଚି ଯାଇଥିଲେ। କାହାକୁ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର୍ ତ, କାହାକୁ ନେଭି ଅଫିସର୍ କହି ବ୍ୟକ୍ତି ଜଣକ ଏଭଳି ଠକୁଥିବା ବ୍ୟବସାୟୀମାନେ ଅଭିଯୋଗ ଆଣିଥିଲେ। ଅନ୍ୟପଟେ ଉକ୍ତ ବ୍ୟକ୍ତି ଜଣକ ୬ ମାସ ତଳେ ଏକ କପଡ଼ା ଦୋକାନରୁ ୧୦ ହଜାରରୁ ଅଧିକ ଟଙ୍କାର ଜିନିଷ କିଣି ସମାନ ଉପାୟରେ ଠକି ଚାଲି ଯାଇଥିଲେ। ପରେ ଦୋକାନୀ ଜଣକ ଖୋଳତାଡ଼ କରି ଉକ୍ତ ବ୍ୟକ୍ତିଙ୍କ ଘରକୁ ପହଞ୍ଚି ଥାନାରେ ଅଭିଯୋଗ କରିବାକୁ କହିବାରୁ ସେ ତାଙ୍କ ଟଙ୍କା ଦେଇଥିଲେ। କେବଳ ସେତିକି ନୁହେଁ ୪ ମାସ ତଳେ ସମାନ ଉପାୟରେ ବ୍ୟକ୍ତି ଜଣକ ଏକ ମୋବାଇଲ୍ କିଣିଥିଲେ। ସେ ଆଣିଥିବା ବାଇକ୍ର ନମ୍ବରରୁ ଦୋକାନୀ ଜଣକ ତାଙ୍କ ଘରକୁ ଯାଇ ଟଙ୍କା ଫେରି ପାଇଥିଲେ। ତେବେ ଟଙ୍କା ପାଇବା ପରେ କେହି ଅଭିଯୋଗ କରି ନଥିଲେ। ଗୁରୁବାର ସେ ଧରାପଡ଼ିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ଅନ୍ୟପଟେ ଧନୁପାଲି ପୁଲିସ ଏ ନେଇ ଯାଞ୍ଚ ଚାଲିଥିବା କହିଛି।
କେମିତି ହୁଏ ଫେକ୍ ୟୁପିଆଇ ଆଇଡି ଫ୍ରଡ୍
ବର୍ତ୍ତମାନ ଲୋକଙ୍କୁ ଠକିବା ପାଇଁ ଅପରାଧୀମାନ ଏଭଳି ଫେକ୍ ୟୁପିଆଇ ଆପ୍ ବ୍ୟବହାର କରୁଛନ୍ତି। ଯେଉଁ ଆପ୍ ଦ୍ବାରା ଦୋକାନରେ ଲାଗିଥିବା ୟୁପିଆଇ କ୍ୟୁଆର୍ କୋର୍ଡକୁ ଠକମାନେ ସ୍କାନ କରିଥାନ୍ତି। ତାପରେ ଦୋକାନୀଙ୍କ ଡିଟେଲ୍ସ ଆସିଯାଇଥାଏ। ତାପରେ ମୂଲ୍ୟ ପକାଇ ପେମେଣ୍ଟ ମାରିଥାନ୍ତି। ପେମେଣ୍ଟ ମାରିବା ପରେ ଅରିଜିନାଲ୍ ୟୁପିଆଇ ଟ୍ରାନ୍ଜେକ୍ସନ୍ ଭଳି ସକ୍ସେସ୍ଫୁଲ୍ ଟ୍ରାନ୍ଜେକସନ୍ ପେଜ୍ ଖୋଲି ଯାଇଥାଏ। ଯାହାକୁ ଦେଖାଇ ଠକମାନେ ଦୋକାନୀଙ୍କ ନିକଟରୁ ଖସି ଚାଲି ଆସିଥାନ୍ତି। ଥରେ ଥରେ ବିଳମ୍ବରେ ଟଙ୍କା ଆସିବ ଭାବି ଅନେକ ଦୋକାନୀ ଠକକୁ ଛାଡ଼ି ଦଇଥାନ୍ତି। ଯଦି କୌଣସି ଦୋକାନୀ ସେମାନଙ୍କୁ ଟଙ୍କା ଆସିବା ଯାଏ ଅପେକ୍ଷା କରିବାକୁ କହେ, ଠକମାନେ ତୁରନ୍ତ କୌଣସି କାମର ବାହାନା କରିଥାନ୍ତି ଏବଂ ନିଜକୁ ଏକ ବଡ଼ ଅଧିକାରୀ ବୋଲି ପରିଚୟ ଦେଇଥାନ୍ତି। ତାର ଫେକ୍ ଆଇଡି ମଧ୍ୟ ସେମାନେ ପାଖରେ ରଖିଥାନ୍ତି। ଯାହା ଦେଖିବା ପରେ ଦୋକାନୀ ଜଣକ ଭରସା କରି ଠକକୁ ଛାଡ଼ି ଦେଇଥାଏ।