ଜିଏମ୍‌ୟୁରେ ହେବ ବେଜ୍‌ବରୁଆ ଚେୟାର

ସମ୍ବଲପୁର: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆଜି ତାଙ୍କ ସମ୍ବଲପୁର ଗସ୍ତରେ ମା’ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ବେଜ୍‌ବରୁଆ ଭବନ ବୁଲି ଦେଖିଛନ୍ତି। ଏହି ଅବସରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ)ରେ ବେଜ୍‌ବରୁଆ ଚେୟାର ସ୍ଥାପିତ ହେବ ବୋଲି ସେ କହିଛନ୍ତି।
ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜ୍‌ବରୁଆ ଆସାମର ଭାଷା-ସାହିତ୍ୟ, ଅସ୍ମିତା ଓ ଗୌରବର ପୁନଃ ସଂସ୍ଥାପନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସେ ଆସାମବାସୀଙ୍କ ମନ ହୃଦୟରେ ବିରାଜମାନ କରନ୍ତି। ତାଙ୍କ ରଚିତ କବିତା ଆସାମର ରାଜ୍ୟ ସଙ୍ଗୀତ ଅଟେ। ସମ୍ବଲପୁର ସାହିତ୍ୟରଥୀଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତେଣୁ ଆସାମବାସୀ ସମ୍ବଲପୁରକୁ ଶ୍ରଦ୍ଧା ଓ ସମ୍ମାନ କରନ୍ତି। ବେଜ୍‌ବରୁଆ ଓ ସମ୍ବଲପୁରକୁ ନେଇ ଯାହା ସମ୍ଭବ ତାହା ତତ୍ପରତାର ସହ କରାଯିବ । ବେଜବରୁଆ ଭବନର ପୁନର୍ବିନ୍ୟାସ ପାଇଁ ଆସାମ ସରକାର ଦୁଇଟି ଚରଣରେ ଅର୍ଥ ଯୋଗାଇବା ସହିତ ବେଜ୍‌ବରୁଆଙ୍କ ପ୍ରତିମୂର୍ତ୍ତି ସକାଶେ ପୃଥକ ଭାବରେ ଅନୁଦାନ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଶୀଘ୍ର ବେଜ୍‌ବରୁଆ ଚେୟାର ସ୍ଥାପିତ ହେବ ବୋଲି ସୂଚନା ଦେଇଥିବା ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆ ସ୍ମୃତି ରକ୍ଷା ସମିତିର ଆବାହକ ଦୀପକ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ଝାରସୁଗୁଡ଼ାରୁ ସଡ଼କପଥରେ ଆସି ଶ୍ରୀ ବିଶ୍ବଶର୍ମା ସିଧାସଳଖ ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ଥିଲେ। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏଠାରେ ତାଙ୍କୁ ମନ୍ଦିର ଟ୍ରଷ୍ଟବୋର୍ଡ ସଦସ୍ୟ ପ୍ରଫୁଲ୍ଲ ହୋତା ଓ ଅନ୍ୟମାନେ, ମନ୍ଦିରର ପୂଜକଗଣ ତଥା ବିଜେପି ସଦସ୍ୟମାନେ ସ୍ବାଗତ ଜଣାଇଥିଲେ। ଏହାପରେ ସେ ବେଜ୍‌ବରୁଆ ଭବନରେ ପହଂଚି ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସାଧନା ଗୃହ ବୁଲି ଦେଖିଥିଲେ। ଶ୍ରୀ ପଣ୍ଡା ଏକ ସ୍ମାରକପତ୍ର ଦେବା ସହିତ ତାଙ୍କ ରଚିତ ‘ବେଜବରୁଆ ଓ ସମ୍ବଲପୁର’ ପୁସ୍ତକ ପ୍ରଦାନ କରିଥିଲେ। ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆ ସ୍ମୃତି ରକ୍ଷା ସମିତିର ସଦସ୍ୟ ଡ. ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର, ସୂର୍ଯ୍ୟ ପାଣିଗ୍ରାହୀ, କମଳଲୋଚନ ପଣ୍ଡା ପ୍ରମୁଖ ଏଠାରେ ଶ୍ରୀ ବିଶ୍ବଶର୍ମା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବାଗତ ଜଣାଇଥିଲେ।

ସମ୍ବନ୍ଧିତ ଖବର