ବିପିଏଫ୍‌ଟିରେ ଖୋଲିବ ସିନେମା ଓ କଳା ନିର୍ଦ୍ଦେଶନା ବିଭାଗ

କଟକ: ସିନେମା ସଂପର୍କିତ ଡିଗ୍ରି ପ୍ରଶିକ୍ଷଣ ପାଇଁ ଆଉ ମହାରାଷ୍ଟ୍ରର ପୁନେ ଅଥବା ଅନ୍ୟ କେଉଁ ରାଜ୍ୟକୁ ଯିବାକୁ ପଡିବ ନାହିଁ। କଟକରେ ଏବେ ଏସବୁ ପାଠ୍ୟକ୍ରମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଓଡ଼ିଶାରେ ସିନେମା ସଂପର୍କିତ ବୈଷୟିକ ଶିକ୍ଷା ପ୍ରଦାନର ଏନ୍ତୁଡ଼ିଶାଳା କୁହାଯାଉଥିବା ବିଜୁ ପଟ୍ଟନାୟକ ଫିଲ୍ମ ଏବଂ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌(ବିପିଏଫ୍‌ଟିଆଇଓ)ରେ ଖୋଲିବ ଡିଗ୍ରି ପାଠ୍ୟକ୍ରମ। ସିନେମା ନିର୍ଦ୍ଦେଶନା ଏବଂ କଳା ନିର୍ଦ୍ଦଶନାରେ ଡିଗ୍ରୀ କୋର୍ସ ଖୋଲିବାକୁ ଥିବା ବେଳେ ପୂର୍ବରୁ ଚାଲୁଥିବା ସିନେମାଟୋଗ୍ରାଫି, ସାଉଣ୍ଡ ଆଣ୍ଡ ଟିଭି ଇଞ୍ଜିନିୟରିଂ ଏବଂ ଫିଲ୍ମ ଓ ଭିଡିଓ ଏଡିଟିଂ ଡିପ୍ଲୋମା କୋର୍ସକୁ ମଧ୍ୟ ଡିଗ୍ରୀ କୋର୍ସରେ ପରିବର୍ତ୍ତନ କରାଯିବ । ଏଥିପାଇଁ ଏଆଇସିଟିଇ(ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଫର୍‌ ଟେକ୍‌ନିକାଲ୍‌ ଏଜୁକେସନ୍‌) ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍‌କୁ ଯୋଗ୍ୟ ବିବେଚିତ କରାଯାଇଛି । ଖୁବ ଶୀଘ୍ର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

କଟକ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍‌ ଇଞ୍ଜିନିୟରିଂ(ବୋସ୍‌) ଅଧୀନରେ ୧୯୯୨ରେ ପ୍ରଥମେ ସିନେମାଟୋଗ୍ରାଫି ବିଭାଗ ଆରମ୍ଭ ହୋଇଥିଲା । ୧୯୯୮ରେ ସାଉଣ୍ଡ ଆଣ୍ଡ ଟିଭି ଇଞ୍ଜିନିୟରିଂ ଏବଂ ଫିଲ୍ମ ଓ ଭିଡିଓ ଏଡିଟିଂ ବିଭାଗ ଦ୍ୱିତୀୟ ପର୍ଯ୍ୟାୟରେ ଖୋଲିଥିଲା। ଏହି ସମୟରେ ବୋସ୍‌ର ପ୍ରିନ୍‌ସିପାଲ୍‌ ଏହି ତିନିଟି ବିଭାଗ ଦାୟିତ୍ୱରେ ଥିଲେ । ଏହି ତିନିଟି ବିଭାଗରେ ଛାତ୍ରଛାତ୍ରୀଙ୍କ ପାଇଁ ୩ ବର୍ଷିୟା ଡିପ୍ଲୋମା କୋର୍ସ ପ୍ରଦାନ କରାଯିବା ସହିତ ପ୍ରତି ବିଭାଗରେ ୨୦ଟି ଲେଖାଏ ସିଟ୍‌ ରଖାଯାଇଛି। ୨୦୦୧ ମସିହାରେ ସ୍ୱତନ୍ତ୍ର ଭାବେ ବିଜୁ ପଟ୍ଟନାୟକ ଫିଲ୍ମ ଏବଂ ଟେଲିଭିଜନ୍‌ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ସେବେଠୁ ବୋସ୍‌ରୁ ଏହି ତିନି ବିଭାଗ ସ୍ଥାନାନ୍ତର ହୋଇଯାଇଥିଲା। ଏବେ ଇନ୍‌ଷ୍ଟିଚ୍ୟୁଟ୍‌ରେ ପ୍ରିନ୍‌ସିପାଲ୍‌ଙ୍କୁ ମିଶାଇ ମୋଟ ୨୨ ଜଣ ଶିକ୍ଷକ କାର୍ଯ୍ୟ କରୁଛନ୍ତି । ଓଡ଼ିଶାରେ ସିନେମା କିମ୍ବା ଟିଭିର ବୈଷୟିକ ବିଭାଗରେ ଅଧିକ ଜ୍ଞାନ କୌଶଳ ସମ୍ପର୍କରେ ପରିଚିତ ହେବାକୁ ଆଗ୍ରହୀ ଛାତ୍ରଛାତ୍ରୀ ଓଡ଼ିଶା ବାହାରେ ଥିବା ପୁନେ ଏଫ୍‌ଟିଆଇଆଇ କିମ୍ବା ଅନ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଛାତ୍ରଛାତ୍ରୀମାନେ ଏଥିରେ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ। ଏହି ସମସ୍ୟାର ସମାଧାନ ପାଇଁ ବିପିଏଫ୍‌ଟିର ତିନି ଜଣ ବରିଷ୍ଠ ଅଧିକାରୀ ଗତ ମାସରେ ପୁନେ ସ୍ଥିତ ଏଫ୍‌ଟିଆଇଆଇକୁ ଯାଇ ସେଠାକାର କର୍ତ୍ତୃପକ୍ଷଙ୍କ ସହିତ ନୂଆ ବିଭାଗ ଖୋଲିବା ସମ୍ପର୍କରେ ଆଲୋଚନା କକରିଥିଲେ। ସିନେମା ନିର୍ଦ୍ଦେଶନା ବିଭାଗ ଖୋଲିଲେ ଏଥିରେ ଛାତ୍ରଛାତ୍ରୀଙ୍କୁ ସିନେମାରେ କିପରି ନିର୍ଦ୍ଦେଶନା ଦିଆଯିବ, ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ସେହିପରି କଳା ନିର୍ଦ୍ଦେଶନା ବିଭାଗରେ ସିନେମାର ସେଟ୍‌ ଅପ୍‌ ବା ସାଜସଜ୍ଜା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ । ଏହାଦ୍ୱାରା ଅଳ୍ପ ଖର୍ଚ୍ଚରେ ଓଡ଼ିଶାରେ ପ୍ରଶିକ୍ଷଣ ମିଳିପାରିବ। ସେହିପରି ପୂର୍ବରୁ ଥିବା ତିନି ବିଭାଗର ଡିଗ୍ରୀ କୋର୍ସ ପ୍ରଦାନ କରାଗଲେ ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ବିଜୁ ପଟ୍ଟନାୟକ ଫିଲ୍ମ ଏବଂ ଟେଲିଭିଜନ୍‌ ଅନୁଷ୍ଠାନର ପ୍ରିନ୍‌ସପାଲ୍‌ ଦିଲ୍ଲୀପ କୁମାର ପଣ୍ଡା ଏ ସମ୍ପର୍କରେ କହିଛନ୍ତି ଯେ ଗତ ୧୫ ଦିନ ତଳେ ଡିଟିଇଟି ନିର୍ଦ୍ଦେଶକଙ୍କ ସହିତ ତିନୋଟି ଡିପ୍ଲୋମା କୋର୍ସକୁ ଡିଗ୍ରୀ କରିବାକୁ ଆଲୋଚନା କରାଯାଇଛି। ଗୋଟେ ଗୋଟେ ବିଭାଗ ଖୋଲିବାକୁ ପାଖାପାଖି ୭ରୁ ୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ନୂଆ କୋଠା, ଶିକ୍ଷକ, ଉପକରଣର ଆବଶ୍ୟକତା ରହିଛି। ଏକାଡେମୀର ଟେକ୍‌ନିକାଲ୍‌ କମିଟି କୋର୍ସକୁ ସ୍ୱୀକୃତି ଦେଲା ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଦେଶରେ ସିନେମା ଓ ଟିଭିରେ ଟେକ୍‌ନିସିଆନ୍‌ ଏବଂ କଳାକାର ସୃଷ୍ଟି କରିବା ପାଇଁ ୭ଟି ପ୍ରତିଷ୍ଠିତ ଅନୁଷ୍ଠାନ କାର୍ଯ୍ୟ କରୁଛି । ପୁନେ ସ୍ଥିତ ଏଫ୍‌ଟିଆଇଆଇ(ଫିଲ୍ମି ଆଣ୍ଡ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ) ଓ କଲିକତାସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପୋଷ୍ଟ ଗ୍ରାଜୁଏସନ୍‌ କୋର୍ସ ପ୍ରଦାନ କରୁଥିବା ବେଳେ ମାଡ୍ରାସ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ହରିୟାନା ରୋହତକ୍‌ର ଦି ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫିଲ୍ମି ଆଣ୍ଡ ଟେଲିଭିଜନ୍‌ରେ ଡିଗ୍ରୀ କୋର୍ସ ପ୍ରଦାନ କରାଯାଉଛି । ସେହିପରି କଟକ ସମେତ ବାଙ୍ଗାଲୁରସ୍ଥିତ ସରକାରୀ ଫିଲ୍ମି ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଗୌହାଟିସ୍ଥିତ ଜ୍ୟୋତି ଚିତ୍ରାବନ୍‌ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଡିପ୍ଲୋମା କୋର୍ସ ପ୍ରଦାନ କରୁଛନ୍ତି ।

ସମ୍ବନ୍ଧିତ ଖବର