ଗାନ୍ଧୀଙ୍କ ଆଦର୍ଶ ଆପଣେଇଲେ ରାମରାଜ୍ୟର ସ୍ୱପ୍ନ ସାକାର ହେବ: ଭବାନୀ ଚରଣ ପଟ୍ଟନାୟକ

ସେତେବେଳେ ବୟସ ତାଙ୍କୁ ୧୮ କି ୧୯ ହେବ। ଟୋକା ବୟସ। ନିମାପଡ଼ା ହାଇସ୍କୁଲ୍‌ରେ ଏକାଦଶ ଶ୍ରେଣୀରେ ପଢ଼ୁଥାନ୍ତି। ଗାନ୍ଧୀଙ୍କ ଡାକରାରେ ନିମାପଡ଼ା, ବିଷ୍ଣୁପୁର, ହଂସପଡ଼ା, ଗଡ଼ଅଣ୍ଢିଆ, ଚରଣପଦା ଗାଁରୁ ଅନେକ ପିଲାଙ୍କ ସହ ପଦ୍ମଚରଣ ସାମନ୍ତସିଂହାରଙ୍କ ଅଧୀନରେ ନିମାପଡ଼ା ଥାନା ଦଖଲ କରି ପତାକା ଉଡ଼ାଇବାକୁ ବାହାରି ପଡ଼ିଥିଲେ। ପୁଲିସ୍‌ ତାଙ୍କୁ ଗିରଫ କରି ଜେଲ୍‌ରେ ପୂରାଇ ଦେଲା। ତେବେ ବି ଯାହାଙ୍କ ସ୍ୱର ଗୋରା ସରକାର ବିରୋଧରେ ନରମିନଥିଲା ସେ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ। ପଦ୍ମଶ୍ରୀ ଭଳି ସମ୍ମାନ ପାଇବା ପାଇଁ ମନୋନୀତ ହେବା ପରେ ତାଙ୍କ ସହ ସାକ୍ଷାତ ପରର ଅନ୍ତରଙ୍ଗ ଆଳାପରୁ କିଛି…

ପଦ୍ମଶ୍ରୀ ପାଇବା ନେଇ ଖବର ପାଇବା ପରେ ସେଇ ମୁହୂର୍ତର ଅନୁଭବ କେମିତି ଥିଲା?
ସନ୍ଧ୍ୟା ୬ଟାରେ ଗୃହ ବିଭାଗ ପକ୍ଷରୁ ଖବର ଆସିଥିଲା। ତେବେ ପ୍ରତିକ୍ରିୟା ବେଶୀ କିଛି ନଥିଲା। ସଂଗ୍ରାମୀ ଭାବେ ସରକାର ଏହି ପୁରସ୍କାର ରୂପରେ ସ୍ୱୀକୃତି ଦେଇଛନ୍ତି ବୋଲି ଯାହା କିଛି ଆନନ୍ଦ ଲାଗିଥିଲା।

ସ୍ୱାଧୀନତା ପ୍ରାପ୍ତିର ମୁହୂର୍ତ କେମିତି ଥିଲା ?
୧୯୪୭ ଅଗଷ୍ଟ ୧୪ ରାତି ୧୨ଟା ପରେ ଆମ ପତାକା ଉଡ଼ିଲା। ସେଦିନ ଆଉ ରାତିରେ ଶୋଇ ପାରିଲୁନି। ସକାଳ ହେଉହେଉ ସଂକୀର୍ତନ ଦଳ ଧରି ଗାଁ ଗାଁ ବୁଲିଲୁ। ସ୍ୱାଧୀନ ଭାରତ ସ୍ୱାଧୀନ ଭାରତ ସ୍ୱାଧୀନ ସ୍ୱାଧୀନରେ.. ଏବଂ ଜାତୀୟ ପତାକା ଫରଫର, ଉଡ଼ିବ ସ୍ୱରାଜ୍ୟେ ଘରଘର.. ଭଳି ଗୀତ ଗାଇ ଗାଁ ପରିକ୍ରମା କରିଥିଲୁ।

ପରାଧୀନ ଭାରତ ଏବଂ ଏବେର ଭାରତ ମଧ୍ୟରେ କି ଫରକ ଦେଖୁଛନ୍ତି ?
ପରାଧୀନ ଭାରତରେ ବ୍ରିଟିସ୍‌ ସରକାର ଆମ କଥା ନିଷ୍ପତ୍ତି ନେଉଥିଲେ। ହେଲେ ସ୍ୱାଧୀନତା ପରେ ଆମେ ଆମ ନିଷ୍ପତ୍ତି ନେଇପାରିଲୁ। ଏହା ହିଁ ସବୁଠୁ ବଡ଼ କଥା। ଅନେକ କହୁଛନ୍ତି, ବ୍ରିଟିସ୍‌ ସରକାର ଭଲ ଥିଲେ। କିନ୍ତୁ ଆମ ଭାଇ ବନ୍ଧୁ ଆମ ପାଇଁ ଯେଉଁଭଳି ନିଷ୍ପତ୍ତି ନେଉଛନ୍ତି ସେମାନେ କେବେ ବି ସେୟା କରିନଥାଆନ୍ତେ।

ଗାନ୍ଧୀଙ୍କ ରାମରାଜ୍ୟର ସ୍ୱପ୍ନ ଆଉ କ’ଣ ସତ ହେବ ?
ହଁ ଗାନ୍ଧୀଙ୍କ ଆଦର୍ଶ ଆପଣେଇଲେ ରାମରାଜ୍ୟର ସ୍ୱପ୍ନ ସାକାର ହେବ। କାଳକ୍ରମେ ଏହା ସାକାର ହେବ। ଶିକ୍ଷା କ୍ଷେତ୍ରରେ ବିକାଶ ହେବା ସହ ଡେମୋକ୍ରାଟିକ୍‌ ସୋସିଆଲିଜ୍‌ମ ପୁନଃ କାର୍ଯ୍ୟକାରୀ ହେବ।

ସ୍ୱାଧୀନତା ପରେ ଆଦର୍ଶ ଭିତ୍ତିକ ରାଜନୀତିର ବାସ୍ନା କମି ଯାଇଛି ବୋଲି ହୃଦବୋଧ ହୋଇଛି କି ?
ସ୍ୱାଧୀନତା ପରେ ଆଦର୍ଶ ଭିତ୍ତିକ ରାଜନୀତି ହୋଇଛି। କିନ୍ତୁ ଅନେକ ସମୟରେ ସ୍ୱାର୍ଥକୁ ବେଶି ପ୍ରାଧାନ୍ୟ ଦିଆଯାଇଛି। ତେବେ ଏହା ପୂରା ଲୋପ ପାଇଯିବନି।

ସମ୍ବନ୍ଧିତ ଖବର