ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକଙ୍କ ପରଲୋକ

ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଆଉ ନାହାନ୍ତି । ଆଜି ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲରେ ଭବାନୀ ଚରଣ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ତାଙ୍କର ବିୟୋଗରେ ଏକ ଯୁଗର ଅବସାନ ଘଟିଛି। ନିମାପଡ଼ା ଗାନ୍ଧୀ ଭାବେ ଜଣାଶୁଣା ସ୍ବର୍ଗତଃ ପଟ୍ଟନାୟକ ଦେଶର ଜଣେ ବର୍ଷୀୟାନ୍ ଗାନ୍ଧିବାଦୀ ଓ ଗାନ୍ଧୀ ଆଦର୍ଶର ଚିନ୍ତକ ଭାବେ ଜଣାଶୁଣା ଥିଲେ।

ସ୍ବର୍ଗତଃ ପଟ୍ଟନାୟକ ଜଣେ ଆଗଧାଡ଼ିର ସ୍ୱାଧୀନତା ସଂଗ୍ରାମୀ ଥିବା ବେଳେ ସାଂସଦ ଭାବେ ୩ ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ସେ ୧୯୬୧, ୧୯୬୬ ଓ ୧୯୭୮ରେ ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ ହୋଇଥିଲେ । ସ୍ବର୍ଗତଃ ପଟ୍ଟନାୟକ ଥିଲେ କଂଗ୍ରେସ ଦଳର ଜଣେ ପୁରୁଖା ନେତା । ୨୦୧୮ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମାର୍ଚ୍ଚ ୧୧ ତାରିଖରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଳକ ଅନ୍ତର୍ଗତ ଗଡ଼ଅଣ୍ଢିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପଦ୍ମଶ୍ରୀ ଭବାନୀ ଚରଣଙ୍କ ବିୟୋଗରେ ରାଜ୍ୟ ଜଣେ ବର୍ଷୀୟାନ୍‌ ନେତାଙ୍କୁ ହରାଇବା ସହ କଂଗ୍ରେସ ଦଳ ଜଣେ ପୁରୁଖା ନେତାଙ୍କୁ ହରାଇଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବଗର୍ଗତଃ ପଟ୍ଟନାୟକଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି। ଟୁଇଟ୍ କରି ସେ କହିଛନ୍ତି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜଣେ ମହାନ ଗାନ୍ଧିବାଦୀ ଭାବେ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ୱର୍ଗବାସ ଖବର ଶୁଣି ମୁଁ ମର୍ମାହତ । ଖୁବ କମ ବୟସରୁ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇ ଭାରତ ଛାଡ ଆନ୍ଦୋଳନରେ ଝାସ ଦେଇଥିଲେ ଭାବନୀ ବାବୁ । ତିନି ତିନି ଥର ରାଜ୍ୟସଭା ସାଂସଦ ଥିବା ଭବାନୀ ବାବୁ ଶେଷ ପର୍ଯ୍ୟନ୍ତ ଜନସେବାରେ ନିୟୋଜିତ ଥିଲେ । ତାଙ୍କର ମୃତ୍ୟୁରେ ଓଡିଶାରୁ ଦେଶର ମୁକ୍ତି ସଂଗ୍ରାମର ସୂର୍ଯ୍ୟଙ୍କର ଅସ୍ତ ଘଟିଲା । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।

ତାଙ୍କ ବିୟୋଗରେ ସବୁ ମହଲରୁ ଶୋକ ପ୍ରକାଶ ପାଇଥିବା ବେଳେ ଦଳମତ ନିର୍ବିଶେଷରେ ବହୁ ନେତା ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର