ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବସଷ୍ଟାଣ୍ଡ ଦୀର୍ଘ ୨୫ ବର୍ଷ ପରେ ଆଜି ମାଟିରେ ଧରାଶାୟୀ ହେବା ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି। ହାଡ଼ଭଙ୍ଗା ଶୀତରେ ରାତିରେ ବସଯାତ୍ରୀ କଲବଲ ହେଉଥିବା ବେଳେ ମହିଳାଯାତ୍ରୀମାନେ ପରିଶ୍ରାଗାର ଅଭାବ ଯୋଗୁଁ ନାକେଦମ ହେଉଛନ୍ତି। ଅନ୍ୟପକ୍ଷରେ ବସ୍ଷ୍ଟାଣ୍ଡଠାରେ ଟ୍ରାଫିକ ଜାମ୍ ଯୋଗୁଁ ସହରବାସୀ ଅଡ଼ୁଆରେ ପଡ଼ିଛନ୍ତି।
ପ୍ରକାଶ ଯେ, ଭବାନୀପାଟଣା ବସ୍ଷ୍ଟାଣ୍ଡ ୩ ଦିନ ଭଙ୍ଗା ପରେ ଆଜି ମାଟିରେ ୨୫ବର୍ଷର ଇତିହାସ ଧରାଶାୟୀ ହୋଇଛି। ବସ୍ଷ୍ଟାଣ୍ଡ ଭଙ୍ଗାଯିବା ଯୋଗୁଁ ବସ୍ ଗୁଡ଼ିକ ଜାତୀୟ ରାଜପଥ ୨୬ ଉପରେ ଅଟକିବାକୁ ବାଧ୍ୟ ହେଉଛି। ଅସ୍ଥାୟୀ ବସ୍ଷ୍ଟାଣ୍ଡ ୫ କିମି ଦୂର ଭଙ୍ଗାବାରିରେ ଥିବା ଯୋଗୁଁ ଲୋକେ ସେଠାକୁ ଯିବାକୁ ଚାହୁଁନାହାନ୍ତି। ଫଳରେ ଅସ୍ଥାୟୀ ବସ୍ଷ୍ଟାଣ୍ଡ ଯାତ୍ରୀଙ୍କ ପାଇଁ ଅଲୋଡ଼ା ହୋଇଛି। ହାଡ଼ଭଙ୍ଗା ଶୀତରେ ଆଶ୍ରୟ ନପାଇ ସନ୍ଧ୍ୟାରେ ବସ୍ଯାତ୍ରୀମାନେ ଜାତୀୟ ରାଜପଥ ଉପରେ କଲବଲ ହେଉଛନ୍ତି। ସେହିଭଳି ପରିଶ୍ରାଗାର ନଥିବା ଯୋଗୁଁ ମହିଳା ଯାତ୍ରୀମାନେ ନାକେଦମ ହେଉଛନ୍ତି। ରାସ୍ତା ଉପରେ ବସ୍ ରହୁଥିବା ଯୋଗୁଁ ଜାତୀୟ ରାଜପଥ ୨୬ ଉପରେ ଟ୍ରାଫିକ୍ ଜାମ ଯୋଗୁଁ ସହରବାସୀ ଯାତାୟତରେ ଅଡ଼ୁଆ ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ ବସ୍ଷ୍ଟାଣ୍ଡ ଭଙ୍ଗା ଯିବା ପରେ ଭଙ୍ଗା ହୋଇଥିବା ଲୁହାଛଡ଼ ନେବାକୁ ବାରବୁଲାମାନଙ୍କ ଭିଡ଼ ଦେଖିବାକୁ ମିଳୁଛି। ଅସ୍ଥାୟୀ ବସଷ୍ଟାଣ୍ଡ ଚିହ୍ନଟରେ ଦୂରଦୃଷ୍ଟିର ଅଭାବ ଯୋଗୁଁ ଜିଲ୍ଲା ପ୍ରଶାସନ ବସ୍ଯାତ୍ରୀଙ୍କ ସ୍ବାର୍ଥକୁ ଉପେକ୍ଷା କରି ଗୁପ୍ତ ଏଜେଣ୍ଡାରେ କାମ କରୁଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଭବାନୀପାଟଣା ସହରର କାର୍ଯ୍ୟକ୍ଷମ ଥିବା ଟାଉନ୍ହଲକୁ ଭଙ୍ଗା ଯାଇ ସେଠାରେ ନିର୍ମାଣଧୀନ ଥିବା ନୂଆ ଟାଉନହଲ ଦୀର୍ଘ ୨ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ବର୍ତ୍ତମାନ ବସ୍ଷ୍ଟାଣ୍ଡ ଭଙ୍ଗା ଯାଇ ନୂଆ ବସ ଟର୍ମିନାଲ ନିର୍ମାଣ କେବେ ସରିବ ଓ ଯାତ୍ରୀଙ୍କ ହଟହଟା କେବେ ଦୂର ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟାଉନ୍ହଲ ନିର୍ମାଣ ଭଳି ବସଷ୍ଟାଣ୍ଡ ନିର୍ମାଣ ବିଳମ୍ବ ହେବ ନାହିଁ ତ ବୋଲି ସାଧାରଣରେ ବିଭିନ୍ନ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି। ବର୍ତ୍ତମାନ ଭଙ୍ଗା ଯାଇଥିବା ବସଷ୍ଟାଣ୍ଡ ନିକଟରେ ଅସ୍ଥାୟୀ ଛାଉଣୀ ଓ ଉଠା ଶୌଚାଳୟ ନିର୍ମାଣ କରାଯିବାକୁ ସାଧାରଣରେ ଦାବି ହୋଇଛି।