ଭଦ୍ରକ: ଟ୍ରକ୍‌-ସ୍କର୍ପିଓ ଧକ୍କା: ୨ ମୃତ; ଜଣେ ଆହତ

ଭଦ୍ରକ: ଶୁକ୍ରବାର ପ୍ରତ୍ୟୁଷରେ ତିହିଡ଼ି ବଜାର ଅନ୍ତର୍ଗତ ତିହିଡ଼ି ସିନେମା ହଲ୍‌ ନିକଟ ଛକରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛରେ ଗୋଟାଏ ସ୍କର୍ପିଓ ଗାଡ଼ି ଧକ୍କା ଖାଇବାରୁ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ଜଣେ ଆହତ ହୋଇଛନ୍ତି।

ପାହାନ୍ତାରେ ଘନ କୁହୁଡ଼ି ଘୋଟି ଥିବାରୁ ଚାନ୍ଦବାଲି ପଟୁ ଭଦ୍ରକ ଆଡୁକୁ ଯାଉଥିବା ଆଇଓସିଏଲ୍‌ର ପାଟ୍ରୋଲିଙ୍ଗ୍‌ ଏସ୍‌ୟୁଭିର (ସ୍କର୍ପିଓ) ଡ୍ରାଇଭର ରାସ୍ତାପର୍ଶ୍ୱରେ ପୂର୍ବରୁ ଠିଆ ହୋଇ ରହିଥିବା ଟ୍ରକ୍‌ଟିକୁ ଦେଖି ନ ପାରି ସେଥିରେ ଧକ୍କା ଖାଇଥିଲା।

ଧକ୍କାର ପ୍ରଭାବରେ ଏସ୍‌ୟୁଭିର ଚାଳକ ଦିଲୀପ ରାଉତ ଓ ଆଇଓସିଏଲ୍‌ ପାଟ୍ରୋଲିଙ୍ଗ୍‌ରେ ନିଯୁକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ଏସ୍‌. କେ. ପ୍ରଧାନଙ୍କର ମୃତ୍ୟୁ ଘଟିଛି। ଗାଡ଼ିରେ ଥିବା ଆଇଓସିଏଲ୍‌ର ଅନ୍ୟତମ କର୍ମଚାରୀ ବିଚିତ୍ର ପାଢ଼ୀ ଆହତ ହୋଇଛନ୍ତି।

ସ୍କର୍ପିଓ ଡ୍ରାଇଭର୍‌ ୨୬ ବର୍ଷିୟ ଦିଲୀପଙ୍କ ଘର ଭଦ୍ରକର ଗେଲପୁର ଗ୍ରାମରେ ଓ ୩୫ ବର୍ଷିୟ ବିଜୟଙ୍କ ଘର ଯାଜପୁର।

ଖବର ପାଇ ତିହିଡ଼ି ପୁଲିସ ଓ ଦମକଳ ବାହିନୀ ଘଟନାସ୍ଥଳରୁ ମୃତ ଓ ଆହତଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି।
ମୃତ ଦିଲୀପ ଓ ଆହତ ବିଚିତ୍ରଙ୍କ ଘରକୁ ଦୁର୍ଘଟନା ସଂକ୍ରାନ୍ତରେ ଖବର ଦିଆଯାଇଛି।

ସମ୍ବନ୍ଧିତ ଖବର