ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୨ରେ ପହଞ୍ଚିଲା

ନୂଆ ଆକ୍ରାନ୍ତ ୧୦, ସୁସ୍ଥ ୩୭୨, ଆକ୍ଟିଭ୍ ୧୪୮, ସ୍ୱାବ ଟେଷ୍ଟ ୧୬,୨୭୦
ବଢୁଛନ୍ତି କରୋନା ରୋଗୀ, ରୋଗୀଙ୍କ ରହିବା ପାଇଁ ବେଡ୍ ନାହିଁ

ଭଦ୍ରକ : ଭଦ୍ରକ ଜିଲ୍ଲାରୁ ଆଜି ୧୦ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହୋଇଛନ୍ତି। ଆଜି ୧୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ କୋଭିଡ୍ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହେଉଥିବା ୫ ଜଣ କରୋନା ପଜେଟିଭ୍ କେସ୍ ସହ ଅନ୍ୟ କେଉଁମାନେ କଣ୍ଟାକ୍ଟରେ ଆସିଥିଲେ ସେମାନଙ୍କର ଚିହ୍ନଟ ପ୍ରକ୍ରିୟା ଆଜି ଆରମ୍ଭ କରାଯାଇଛି। ଆଜିର ୧୦ ଜଣଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୨ରେ ପହଞ୍ଚିଛି। ଜିଲ୍ଲାରେ ମୋଟ ୧୬ ହଜାର ୨୭୦ ଜଣଙ୍କର ସ୍ବାବ ଟେଷ୍ଟ କରାଯାଇଥିବା ବେଳେ ଆଜି ୧୨ ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ମୋଟ ୩୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧୪୮ ଜଣ ଆକ୍ଟିଭ୍ କେସ୍ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏବେ ଏତେ ସଂଖ୍ୟକ ରୋଗୀଙ୍କୁ କେଉଁଠି ରଖାଯାଇ ଚିକିତ୍ସିତ କରାଯିବ ତାହା ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି।

ଭଦ୍ରକର ସାଳନ୍ଦୀ କୋଭିଡ୍ ହସପିଟାଲରେ ମାତ୍ର ୧୨୦ ବେଡ୍ ରହିଥିବା ବେଳେ ଏଠି ୧୨୦ ଜଣ ରୋଗୀ ରହି ଚିକିତ୍ସିତ ହୋଇପାରିବେ। ଗତ ଗତକାଲି ସୁଦ୍ଧା ଭଦ୍ରକ ଜିଲ୍ଲାରେ ଆକ୍ଟିଭ୍ ରୋଗୀ ସଂଖ୍ୟା ୧୫୦ ରହିଥିଲା। ଏମାନଙ୍କ ମଧ୍ୟରୁ ଅବଶ୍ୟ କିଛି ରୋଗୀଙ୍କୁ କଟକ ଓ ଭୁବନେଶ୍ବରର କିଛି ଘରୋଇ ହସପିଟାଲରୁ ଚିହ୍ନଟ କରାଯାଇଥିଲା। ସେମାନେ ସେଠାରେ ଚିକିତ୍ସିତ ହେଉଛନ୍ତି। ଆଜି ପୁଣି ନୂଆ ୧୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଆକ୍ଟିଭ୍ କେସ୍ ୧୪୮ ରହିଥିବା ବେଳେ ଏତେ ସଂଖ୍ୟକ ରୋଗୀଙ୍କୁ କେଉଁଠି ରଖାଯାଇ ଚିକିତ୍ସିତ କରାଯିବ ବୋଲି ତାହା ଏବେ ଜିଲ୍ଲାରେ ଭାଳେଣି ପଡିଛି। ଭଦ୍ରକ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗର ଭିତ୍ତିଭୂମି ଭୁସୁଡି ପଡିଥିବା ବେଳେ ଏଠି ସାଧାରଣ ରୋଗୀଙ୍କୁ ମଧ୍ୟ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ପାରେ ନାହିଁ। ଅତୀତରେ ଭଦ୍ରକ ମେଡିକାଲରେ ସାମାନ୍ୟ ଥଣ୍ଡା, କାଶ କିମ୍ବା ପେଟ ରୋଗ ହେଲେ ରୋଗୀଙ୍କୁ କଟକ ରେଫର୍ କରାଯାଉଥିଲା। ଏବେ କରୋନା ପରି ମହାମାରୀ ସମୟରେ ଏହି ଗୁରୁତର କରୋନା ରୋଗୀଙ୍କୁ କିଭଳି ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ତାହା ଏବେ ବଡ ପ୍ରଶ୍ନ ହୋଇ ଠିଆହୋଇଛି। ଜିଲ୍ଲାରେ ଆବଶ୍ୟକ ଡାକ୍ତର ନାହାନ୍ତି କି ନର୍ସ କିମ୍ବା ଫାର୍ମାସିଷ୍ଟ ନାହାନ୍ତି। ସେପରିସ୍ଥଳେ କିଭଳି କରୋନା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଥିବ ତାହା ଅନୁମାନ କରାଯାଇ ପାରୁଥିବ। ଭଦ୍ରକର ‌କରୋନା ରୋଗୀଙ୍କୁ କେବଳ ଭଗବାନ ଭରସା ବୋଲି ଚର୍ଚ୍ଚା ହେଉଛି।

ନୂଆ ଆକ୍ରାନ୍ତ ୧୦, ସୁସ୍ଥ ୧୨, ଆକ୍ଟିଭ ଅଛନ୍ତି ୧୪୮
ଭଦ୍ରକ : ଭଦ୍ରକ ଜିଲ୍ଲାରୁ ନୂତନ ଆକ୍ରାନ୍ତ ଭାବେ ଆଉ ୧୦ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଆଉ ୧୨ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି । ନୂତନ ଚିହ୍ନଟ ୧୦ଜଣଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲ୍ଲାର ହୋଇଥିବା ବେଳେ ୫ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଆଉ ୪ଜଣ ଲୋକାଲ କଣ୍ଟାକ୍ଟ । ମୋଟ ୧୬ ହଜାର ୨୭୦ ନମୁନା ପରୀକ୍ଷା ପରେ ମୋଟ ଆକ୍ରାନ୍ତ ବାହାରିଛନ୍ତି ୫୨୨ । ତେବେ ସୁସ୍ଥ ହୋଇ ସାରିଛନ୍ତି ୩୭୨ଜଣ । ନୂତନ ଚିହ୍ନଟଙ୍କ ମଧ୍ୟରେ ଜଣେ ବାସୁଦେବପୁର ବ୍ଲକ ଇରମ ହାଇସ୍କୁଲ ଟିଏମସିରୁ, ଜଣେ କେ.କେ. ପଞ୍ଚାୟତ ହାଇସ୍କୁଲ ଟିଏମ୍‌ସିରୁ, ଜଣେ କମାରଗାଁ ଗ୍ରାମର ରାସବିହାରୀ ଏମ୍ଇ ସ୍କୁଲ ଟିଏମ୍‌ସିରୁ, ଜଣେ ଧାମନଗର ବ୍ଲକ ଖପରପଦା ହାଇସ୍କୁଲ ଟିଏମ୍‌ସିରୁ, ଜଣେ ଭଦ୍ରକ ଦୋଳସାହି ଅଞ୍ଚଳର ଯିଏକି ଭୁବନେଶ୍ୱରର ହୋଟେଲ ରେଲ ଭିୟୁରେ ରହୁଥିଲେ ପଜିଟିଭ ବାହାରିଛି । ସେହିପରି ୨ଜଣ ଆକ୍ରାନ୍ତ ଭଦ୍ରକ ପୌରପାଳିକାର ୬ ନଂ ୱାର୍ଡ ମଠସାହି ଗ୍ରାମରୁ, ଜଣେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରୁ, ଜଣେ ପୌରପାଳିକାର ୨ ନଂ ୱାର୍ଡ ବରାଳପୋଖରୀ ଗ୍ରାମରୁ ଏବଂ ଜଣେ ୪ ନଂ ୱାର୍ଡ ଧଳସାହି ଗ୍ରାମର, ସେ ଭୁବନେଶ୍ୱରର ସମ୍ ହସ୍ପିଟାଲରୁ ଚିହ୍ନଟ ହୋଇଥିବା ଜଣା ଯାଇଛି । ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ କରାଯାଇଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ସାନିଟାଇଜ କରାଯାଉଛି । ସପ୍ତାହାନ୍ତ ସଟ୍‌ଡାଉନର ଆଜି ଶେଷ ଦିବସରେ ବିଭିନ୍ନ ଥାନା, ବ୍ଲକ କାର୍ଯ୍ୟାଳୟ, ବ୍ୟାଙ୍କ ଆଦିକୁ ସାନିଟାଇଜ କରାଯାଇଥିବା ଜଣା ଯାଇଛି । ଘରକୁ ଘର ବୁଲି ସର୍ଭେଇଲାନ୍ସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ଇତି ମଧ୍ୟରେ ଖାଲି ପଡିଥିବା ତିହିଡି ବିଡିଓ ପଦ ମଧ୍ୟ ପୂରଣ କରାଯାଇଛି । କରୋନା ମହାମାରୀ ସମୟରେ ବିଡିଓଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ଏହି ବ୍ଲକକୁ ବସନ୍ତ କୁମାର ସାହାଣିଙ୍କୁ ବିଡିଓ ଭାବେ ନିଯୁକ୍ତିି ଦିଆଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇ କହିଛନ୍ତି ଯେ କୌଣସି ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ତୁରନ୍ତ ବ୍ୟସ୍ତ ହୋଇ ପରୀକ୍ଷା ପାଇଁ ନ ଆସି ଘରେ ଏକାନ୍ତ ବାସରେ ରହନ୍ତୁ । ଯଦି ଜ୍ୱର, କାଶ, କିମ୍ବା ନିଃଶ୍ୱାସ ନେବାରେ ଅସୁବିଧା ଦେଖାଯାଏ ତେବେ ପରୀକ୍ଷା କରାଯିବ । ଏହା ୫ ଦିନ ପରେ କରାଯିବ । ଏହାପୂର୍ବରୁ ପରୀକ୍ଷା କରାଗଲେ କୌଣସି ଫଳ ମିଳିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର