ଅନ୍ଧାରରେ ବାଡି ବୁଲାଉଛି ଜିଲ୍ଲା ଶ୍ରମ ବିଭାଗ : ତାଲିକାରେ ନିର୍ମାଣ ଶ୍ରମିକଙ୍କ ନାଁ ଅଛି, ବିଭାଗ ପାଉନି ପତ୍ତା

ଶ୍ରମିକଙ୍କ ଟଙ୍କାକୁ ଧରି ବସିଛି ଶ୍ରମ ବିଭାଗ, ନବୀକରଣ ବେ‌ଳେ ହୋଇଛି ସମସ୍ୟା

ଭଦ୍ରକ : ଭଦ୍ରକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏବେ ନିର୍ମାଣ ଶ୍ରମିକଙ୍କ ଚିହ୍ନଟୀକରଣ ନେଇ ବାଉଳା ହୋଇଛି। ଶ୍ରମିକମାନଙ୍କର କାର୍ଡ ନବୀକରଣ ବେଳେ ଏଭଳି ସମସ୍ୟା ହୋଇଥିବା ନେଇ ଜଣାପଡିଥିବା ବେଳେ ପ୍ରାୟ ୭ ହାଜରରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ଖୋଜା ଚାଲିଛି। । ଏମାନଙ୍କର ଠିକଣା ଠିକ୍ ଭାବେ ମିଳୁନଥିବାରୁ ସରକାର ଏମାନଙ୍କ ପାଇଁ ଦେଇଥିବା କରୋନା ମହାମାରୀ ସହାୟତା ରାଶି ୧୫ ଶହ ଟଙ୍କା ବଣ୍ଟନ କରାଯାଇ ପାରୁ ନାହିଁ। ପ୍ରତି ନିର୍ମାଣ ଶ୍ରମିକ ହିତାଧିକାରୀ ୧୫ ଶହ ଟଙ୍କା ପାଇବାକୁ ସରକାର ଘୋଷଣା କରିଥିଲେ। ଶ୍ରମ ବିଭାଗ ଏଇ ଟଙ୍କାକୁ ସେମାନଙ୍କୁ ପ୍ରତି ବ୍ଲକସ୍ତରରୁ ଆରମ୍ଭ କରି ପଞ୍ଚାୟତସ୍ତରରେ ବଣ୍ଟନ କରିବାର ବ୍ୟବସ୍ଥା କରିଥିଲେ। ଭଦ୍ରକ ଜିଲ୍ଲାରେ ମଧ୍ୟ ଏଇ ଟଙ୍କା ଅନେକ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି। ଯେଉଁ ନିର୍ମାଣ ଶ୍ରମିକଙ୍କୁ ଶ୍ରମ ବିଭାଗ ଏପର୍ଯ୍ୟନ୍ତ ଚିହ୍ନଟ କରି ପାରିଲା ନାହିଁ। ସେଭଳି ଶ୍ରମିକମାନେ ସେମାନଙ୍କର ଅନୁଦାନ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଜିଲ୍ଲାରେ ନିର୍ମାଣ ଶ୍ରମିକ ସେମାନଙ୍କର ପ୍ରାପ୍ୟ ପାଇବାରେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏହି ସମସ୍ୟାର ଏବେ ସୁଦ୍ଧା ସମାଧାନ ହୋଇପାରି ନାହିଁ। ଶ୍ରମ ବିଭାଗ ଏବେ ମଧ୍ୟ ଶ୍ରମିକ ଚିହ୍ନଟ ନେଇ ଅନ୍ଧାରରେ ବାଡି ବୁଲାଉଛି। ଫଳରେ ନିର୍ମାଣ ଶ୍ରମିକମାନଙ୍କର ଟଙ୍କା ସେମିତି ପଡି ରହିଛି। ଶ୍ରମ କାର୍ଯ୍ୟାଳୟରେ ଏଭଳି ଘଟଣାକୁ ନେଇ ଜିଲ୍ଲା ନିର୍ମାଣ ଶ୍ରମିକ ନେତା ତଥା ସିପିଆଇଏମଏଲର ଜିଲ୍ଲା ସଭାପତି ସମର ବଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କରୋନା ମହାମାରୀ ସମୟରେ ନିର୍ମାଣ ଶ୍ରମିକମାନେ କାମଧନ୍ଧା ନପାଇ ହାତବାନ୍ଧି ବସିଥିବା ବେଳେ ସେମାନଙ୍କ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି। ସରକାର ମଂଜୁର କରିଥିବା ଆର୍ଥିକ ଅନୁଦାନ ସେମାନଙ୍କୁ ଦିଆଯାଇ ପାରୁ ନାହିଁ। ଏହା ଦୁର୍ଭାଗ୍ୟର ବିଷୟ ହୋଇଛି। କିଛି ନିର୍ମାଣ ଶ୍ରମିକ ଏଇ ପ୍ରାପ୍ୟ ପାଇବା ପାଇଁ ବାରଂବାର ଅଫିସକୁ ଦୌଡି ଦୌଡି ନୟାନ୍ତ ହେଲେଣି।

www.livemint.com

ମିଳିଥିବା ସୂଚନାରୁ ପ୍ରକାଶ ଯେ, କରୋନା ମହାମାରୀ ସମୟରେ ଭଦ୍ରକ ଜିଲ୍ଲାର ପଂଜିକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାର ଯେଉଁ ଅନୁଦାନ ଯୋଗାଇ ଦେଇଥିଲେ ଶ୍ରମିକ ଚିହ୍ନଟ କରିବାରେ ବିଭାଗ ବିଫଳ ହେବା ଫଳରେ ପ୍ରାୟ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଅନୁଦାନ ସେମିତି ପଡି ରହିଛି। ବିଭିନ୍ନ ବ୍ଲକୱାରୀ ନିର୍ମାଣ ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ଶ୍ରମିକ ଚିହ୍ନଟ ପ୍ରକ୍ରିୟା‌ ଶେଷ ହେଲେ ଏଇ ଅନୁଦାନ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। କେଉଁ ପରିସ୍ଥିତିରେ ନିର୍ମାଣ ଶ୍ରମିକଙ୍କର ତଥ୍ୟର ତାଳ ମେଳ ରହିଲା ନାହିଁ ତାହାକୁ ନେଇ କେହି କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି । ଏପ୍ରିଲ ମାସରୁ ଏଇ ସହାୟତା ରାଶି ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏହା ଭିତରେ ୫ ମାସ ବିତିଗଲାଣି। ତଥାପି ସବୁ ନିର୍ମାଣ ଶ୍ରମିକଙ୍କୁ ସେମାନଙ୍କର କରୋନା ସହାୟତା ରାଶି ପ୍ରଦାନ କରିବାରେ ଜିଲ୍ଲା ଶ୍ରମ ବିଭାଗ ସଫଳ ହୋଇପାରି ନାହିଁ। ବିଭାଗର ଏହି ବିଫଳତାକୁ ନେଇ ଯେତେ ଘଣ୍ଟ ଘୋଡାଇଲେ ମଧ୍ୟ ଏହା ଜଳ ଜଳ ହୋଇ ଦିଶି ଯାଉଛି। ପତ୍ତା ମିଳୁନଥିବା ହିତାଧିକାରୀ ପ୍ରକୃତରେ ନିର୍ମା‌ଣ ଶ୍ରମିକ ନା ସେମାନଙ୍କ ନାମରେ ଜାଲ କାର୍ଡ କରାଯାଇଥିଲା। ଯଦି ଏଇସବୁ କାର୍ଡ ଜାଲ ହୋଇଥାଏ ତେବେ ଏ ଟଙ୍କା କାହାକୁ ପ୍ରଦାନ କରାଯିବ ନା ଜିଲ୍ଲା ଶ୍ରମ ବିଭାଗ ଏଇ ଟଙ୍କାକୁ ସରକାରଙ୍କୁ ଫେରାଇ ଦେବେ ତାହାକୁ ନେଇ ପ୍ରଶ୍ନ ଉଠିଛି।

IndiaMART

ଭଦ୍ରକ ଜିଲ୍ଲାରେ ମୋଟ ୮୫ ହଜାର ୭୪୮ ଜଣ ପଂଜିକୃତ ନିର୍ମାଣ ଶ୍ରମିକ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୬୮ ହଜାର ୯୩୦ ଜଣ ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାର ୧୦ କୋଟି ୩୫ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦେଇଥିଲେ। ଏବେସୁଦ୍ଧା ୬୦ ହଜାରରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକ ଏଇ ଅନୁଦାନ ପାଇଥିବାବେଳେ ୭ରୁ ୮ ହଜାର ଶ୍ରମିକଙ୍କର ପତ୍ତା ମିଳି ନାହିଁ। ଏହି ଶ୍ରମିକମାନଙ୍କର ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା କାହାରିକୁ ଦିଆଯାଇ ପାରି ନାହିଁ। ଏହି ଟଙ୍କା ଏବେ ମଧ୍ୟ ପଡି ରହିଛି। ୨୦୦୯ ମସିହାରୁ ଜିଲ୍ଲାରେ ନିର୍ମାଣ ଶ୍ରମିକ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଭଦ୍ରକ ବ୍ଲକରେ ୮୬୭୯ ଜଣ ନିର୍ମାଣ ଶ୍ରମିକ ରହିଥିବା ବେଳେ ଭଦ୍ରକ ପୌରପାଳିକାରେ ୪୩୧୦ ଜଣ ହିତାଧିକାରୀ ରହିଛନ୍ତି। ସେହିପରି ବାସୁଦେବପୁର ବ୍ଲକରରେ ୧୧ ହଜାର ୮୬୫ ଜଣ ଓ ବାସୁଦେବପୁର ପୌରପାଳିକାରେ ୩ ହଜାର ୨୮୧ ଜଣ ରହିଛନ୍ତି। ତିହିଡି ବ୍ଲକରେ ୪ ହଜାର ୮୯୩ ଜଣ ଶ୍ରମିକ ରହିଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକରେ ୧୦ ହଜାର ୬୩୬ ଜଣ ଶ୍ରମିକ ରହିଛନ୍ତି। ସେହିପରି ବନ୍ତ ବ୍ଲକରେ ୬ ହଜାର ୩୫୪ ଜଣ ଶ୍ରମିକ ରହିଥିବା ବେଳେ ଧାମନଗର ବ୍ଲକରେ ୯ ହଜାର ୭୨୦ ଜଣ ଓ ଚାନ୍ଦବାଲି ବ୍ଲକରେ ୯ ହଜାର ୧୪୨ ଜଣ ନିର୍ମାଣ ଶ୍ରମିକଙ୍କ ନାମ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ପଂଜିକୃତ ହୋଇଛି। ଏମାନଙ୍କ ମଧ୍ୟରୁ ପ୍ରତି ବ୍ଲକରେ ବହୁ ନିର୍ମାଣ ଶ୍ରମିକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ସରକାରୀ କରୋନା‌ ସହାୟତା ପ୍ରଦାନ କରାଯାଇଥିବା ବେଳେ ଚିହ୍ନଟ ହୋଇପାରି ନଥିବା ନିର୍ମାଣ ଶ୍ରମିକଙ୍କ ଅର୍ଥ ସେମିତି ପଡି ରହିଛି। ଆଜିପର୍ଯ୍ୟନ୍ତ ନିର୍ମାଣ ଶ୍ରମିକଙ୍କ ପଂଜିକରଣ ପ୍ରକ୍ରିୟା ଶୃଙ୍ଖଳିତ ହୋଇପାରିଲା ନାହିଁ। ନିର୍ମାଣ ଶ୍ରମିକମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର କଲ୍ୟାଣକାରୀ ଯୋଜନା କରିଥିବା ବେଳେ ପ୍ରକୃତ ହିତାଧିକାରୀ ଚୟନ ଓ ଚିହ୍ନଟ କରାଯାଇ ନପାରିବା ପରିତାପର ବିଷୟ ହୋଇଛି।ଏହା ରାଜ୍ୟର ଅଯୋଗ୍ୟ କୃଷକଙ୍କର କାଳିଆ ଟଙ୍କା ଫେରସ୍ତ ଭଳି ପୁଣି ସରକାର ପ୍ରହସନ କରିବେ ନାହିଁ ତ। ଜିଲ୍ଲାରେ ପ୍ରକୃତ ନିର୍ମାଣ ଶ୍ରମିକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ କରୋନା ଟଙ୍କା ତୁରନ୍ତ ପ୍ରଦାନ କରିବା ପାଇଁ ଜିଲ୍ଲାର ବହୁ ନିର୍ମାଣ ଶ୍ରମିକ ସଂଗଠନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର