ଧାମନଗର/ଅସୁରାଳି : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ରେ ଆଜି ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବୁଥ୍ ଜବରଦଖଲ ସହିତ ବାଲଟ୍ ପେପର୍ ଚିରିବା ଭଳି ଘଟଣା ଘଟିଛି। ଏହି ମାମଲାରେ ଧୂଷୁରୀ ଥାନା ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଥିବାବେଳେ କଟସାହି, ଅର୍ଜୁନପୁର ଓ ପଧାନି ପଞ୍ଚାୟତରେ ଚାପା ଉତ୍ତେଜନା ଲାଗି ରହିଛି।
ଅସୁରାଳି ୧୨ ନମ୍ବର ଜୋନ୍ କଟସାହି ପଞ୍ଚାୟତର ୧ ନମ୍ବର ୱାର୍ଡ କଟସାହି କାପୁଡ଼ିଆ ସାହି ବୁଥ୍ରେ ଗୁରୁବାର ଭୋଟ୍ ଗ୍ରହଣ ଚାଲିଥିବାବେଳେ ଏକ ନିର୍ଦ୍ଦିଷ୍ଟ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା। ଗୋଟିଏପକ୍ଷର ଆକ୍ରମଣରେ ଆହତ ହୋଇଥିବା ଏଜେଣ୍ଟ ନୃସି˚ହ ଚରଣ ଜେନା ଓ ଦିବ୍ୟର˚ଜନ ସାହୁ ବୁଥ୍ ଭିତରୁ ବାଲଟ୍ ପେପର ଜାବୁଡ଼ି ଧରି ଚମ୍ପଟ୍ ମାରିବା ସହ କିଛି କାମୁଡ଼ି ଛିଣ୍ଡାଇ ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନା ନିୟନ୍ତ୍ରଣ କରିବା ସହ ଦୁଇ ଜଣଙ୍କୁ ନେଇ ଅଟକ ରଖିଛି। ଏହି ଘଟଣାପରେ ଉକ୍ତ ବୁଥ୍ରେ ମତଦାନ ପ୍ରକ୍ରିୟା ବନ୍ଦ ରହିଥିଲା। କଟସାହି ୧ ନମ୍ବର ୱାର୍ଡରେ ଭୋଟ୍ ବାତିଲ ହେବା ସହ ପୁନର୍ବାର ମତଦାନ ହେବ ବୋଲି ଜଣାଯାଇଛି।
ସେହିପରି ସମ୍ବେଦନଶୀଳ ପଧାନି ପଞ୍ଚାୟତର ଦାଶପାରି ବୁଥ୍ରେ ଗୋଟିଏ ଦଳର କିଛି ସମର୍ଥକ ଲୋକଙ୍କୁ ଭୋଟ୍ ଦେବାର ସୁଯୋଗ ନ ଦେଇ ସେଠାରେ ଜୋରଜବରଦସ୍ତ ଭୋଟ୍ ଦେଇଥିଲେ। ଏହି ପଞ୍ଚାୟତର କଇଥାଡ଼ିହ ୨ନମ୍ବର ବୁଥ୍ରେ ରାଗିଂ ହୋଇଥିବା ଅଭିଯୋଗରେ ସରପଞ୍ଚ ପ୍ରାର୍ଥୀ ଶରତ ସାହୁ ସେଠାକୁ ଯାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ସରପଞ୍ଚ ପ୍ରାର୍ଥୀ ଅଶୋକ କୁମାର ପୁହାଣ ଓ ଅନ୍ୟମାନେ ମାଡ଼ ମାରିଥିବା ଅଭିଯୋଗ କରି ଆଜି ସନ୍ଧ୍ୟାରେ ଶ୍ରୀସାହୁଙ୍କ ସମେତ ଶତାଧିକ ସମର୍ଥକ ଧାମନଗର ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଖବର ପାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯତୀନ କୁମାର ପଣ୍ତା ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ଧାମନଗର ବ୍ଲକ ଅର୍ଜୁନପୁର ପଞ୍ଚାୟତସ୍ଥିତ ତରେଇସାହି କେନ୍ଦ୍ରରେ ମଧ୍ୟ ନିର୍ବାଚନୀ ଗଣ୍ଡଗୋଳ ଘଟିଛି। ଅର୍ଜୁନପୁର ପଞ୍ଚାୟତର କେତେକ ବୁଥ୍ରେ ରାଗି˚ ହୋଇଥିବା ଅଭିଯୋଗ କରି ଧୂଷୁରୀ ଜୋନ୍ର ବିଜେପି ସମର୍ଥିତ ଜିଲ୍ଲାପରିଷଦ ପ୍ରାର୍ଥୀ ଚତୁର୍ଭୂଜ ନାୟକ ସମର୍ଥକଙ୍କ ସହିତ ଭଦ୍ରକ-ଆଖଣ୍ତଳମଣି ରାସ୍ତାର ଧୂଷୁରୀ ଠାରେ ରାସ୍ତାରୋକ କରିଥିଲେ।