ଭଦ୍ରକ (ଡ. ହରିହର ନାୟକ) : ଭଦ୍ରକ ବିଧାନସଭା କ୍ଷେତ୍ରରୁ ବିଜେଡି-ବିଜେପି ଓ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ, ତାକୁ ନେଇ ମାନସମନ୍ଥନ ଆରମ୍ଭ ହୋଇଗଲାଣି। ବିଶେଷ କରି ତିନି ପ୍ରମୁଖ ଦଳ ମଧ୍ୟରୁ ଶାସକ ବିଜେଡି ଉପରେ ସମସ୍ତଙ୍କର ନଜର ରହିଛି। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକୁ ନେଇ ଭୋଟର୍ ବିଜେଡି ମୁହାଁ ହୋଇଥିବା ବେଳେ ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଛି। ୨୦୦୯ଠାରୁ ଭଦ୍ରକ ବିଧାନସଭା ଆସନ ବିଜେଡି ଦଖଲରେ ରହିଆସିଛି। ବିଜେଡିର ସଂଗଠନ ଅନ୍ୟ ଦଳଠାରୁ ମଜ୍ବୁତ ଥିଲେ ମଧ୍ୟ ଦଳ ଭିତରେ ଗୋଷ୍ଠୀ କନ୍ଦଳ କିଛି କମ୍ ନୁହେଁ। ଅନେକ ଯୁବନେତା ଏଥର ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି। ଆଶାୟୀଙ୍କ ତାଲିକା ବଢି ଚାଲିଥିବା ବେଳେ ଭଦ୍ରକ ଆସନକୁ ପୁଣି କେମିତି କରାୟତ୍ତ କରାଯିବ, ସେ ନେଇ ଦଳ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି। ତେବେ ସଂଖ୍ୟାଧିକ ଆଶାୟୀ ନେତା ବିଜେଡି ପାଇଁ ଅଡୁଆ ସୃଷ୍ଟି କରିପାରନ୍ତି। ୨୦୦୯ରୁ ୨୦୧୪ ଦୁଇଟି ସାଧାରଣ ନିର୍ବାଚନରେ ବିଜେଡିରୁ ଯୁଗଳ କିଶୋର ପଟ୍ଟନାୟକ ବିଧାୟକ ହୋଇଥିଲେ। ମାତ୍ର ୨୦୧୯ ସାଧାରଣ ନିର୍ବାଚନରେ ଯୁଗଳ ପଟ୍ଟନାୟକ ଆଉ ନିର୍ବାଚନ ଲଢିବେନି ବୋଲି ମନା କରିବା ପରେ ତାଙ୍କ ପୁଅ ଅସିତ ପଟ୍ଟନାୟକଙ୍କୁ ଏହି ଆସନରୁ ପ୍ରାର୍ଥୀ କରିବା ପାଇଁ ଚାହିଥିଲେ। ମାତ୍ର ଦଳ ନୂଆ ମୁହଁ ଭାବେ ଯୁବନେତା ସଞ୍ଜୀବ ମଲ୍ଲିକଙ୍କୁ ଟିକଟ୍ ଦେଇଥିଲା। ନବାଗତ ସଞ୍ଜୀବ ୩୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଡାକ୍ତର ପ୍ରଦୀପ ନାୟକଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ନିର୍ବାଚନ ପରେ ବିଜେଡି ଟିକଟରୁ ବଞ୍ଚିତ ହୋଇଥିବା ଅସିତ ପଟ୍ଟନାୟକଙ୍କୁ ରାଜ୍ୟ ମତ୍ସ୍ୟ ନିଗମର ଅଧ୍ୟକ୍ଷ ପଦରେ ବସାଇ ତାଙ୍କର ମାନଭଞ୍ଜନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ପେନସନ୍ ଉପଦେଷ୍ଟା ଭାବେ ଥଇଥାନ କରିଛି ବିଜେଡି। ଦଳ କଥା ମାନି ୫ ବର୍ଷ ନିରବ ରହିବା ପରେ ଅସିତ ଏଥର ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି।
ଅନ୍ୟପକ୍ଷରେ ବର୍ତ୍ତମାନର ବିଧାୟକ ସଞ୍ଜୀବ ମଲ୍ଲିକ ମଧ୍ୟ ୨୦୨୪ ନିର୍ବାଚନରେ ପୁଣି ପ୍ରାର୍ଥୀ ହେବାକୁ ମନ ବଳାଇଛନ୍ତି। ନିଜର ଲୋକସଂପର୍କ ଓ ସାଙ୍ଗଠନିକ ଦକ୍ଷତା ପାଇଁ ସଞ୍ଜୀବ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗ୍ରହଣୀୟ ବୋଲି ତାଙ୍କ ସମର୍ଥକମାନେ ଦାବି କରୁଛନ୍ତି। ଅସିତ ଓ ସଞ୍ଜୀବଙ୍କ ବ୍ୟତୀତ ଏହି ଆସନରୁ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁ, ପୂର୍ବତନ ବିଧାୟକ ସ୍ବର୍ଗତ ରତ୍ନାକର ମହାନ୍ତିଙ୍କ ପୁଅ ସମାଜସେବୀ ଅଶୋକ ମହାନ୍ତି, ସୀତାଂଶୁ ଶେଖର ମହାପାତ୍ର, ଯୁବନେତା ଜ୍ୟୋତିପ୍ରକାଶ ମହାନ୍ତି ପ୍ରମୁଖ ଦଳୀୟ ଟିକଟ୍ରୁ ନିର୍ବାଚନ ଲଢିବାକୁ ଆଶା ରଖିଛନ୍ତି। ତେବେ ଭଦ୍ରକ ଆସନରୁ ଯିଏ ବି ପ୍ରାର୍ଥୀ ହୁଅନ୍ତୁ, ସ୍ବାଧୀନ ପୌରାଧ୍ୟକ୍ଷା ଗୁଲମୁକ୍କୀ ହବିବ୍ ନିର୍ଣ୍ଣାୟକ ଭୂମିକା ନେବେ ବୋଲି କୁହାଯାଉଛି। ଗୁଲମୁକ୍କୀ ସ୍ବାଧୀନ ପୌରାଧ୍ୟକ୍ଷା ଭାବେ ବିଜୟୀ ହେବା ପଛରେ ଅସିତ ପଟ୍ଟନାୟକଙ୍କର ଭୂମିକା ଅଧିକ ରହିଥିଲା। ଅସିତଙ୍କ ସମର୍ଥନରେ ଗୁଲମୁକ୍କୀ ଓ ତାଙ୍କ ସ୍ବାମୀ ଯୁବନେତା ଜାହିଦ୍ ହବିବ୍ ରହିଥିବା ବେଳେ ବିଧାୟକ ସଞ୍ଜୀବ ଓ ପୌରାଧ୍ୟକ୍ଷା ଗୁଲମୁକ୍କୀଙ୍କ ଭିତରେ ବିବାଦ କାହାକୁ ଅଛପା ନାହିଁ। ଏ ଦୃଷ୍ଟିରୁ ସଂଖ୍ୟାଲଘୁ ଭୋଟ୍ ଯେମିତି ହାତଛଡ଼ା ନହୁଏ ତା ଉପରେ ବିଜେଡି ନେତୃତ୍ବ ନଜର ରଖିଛନ୍ତି। ସଞ୍ଜୀବ ଓ ଅସିତଙ୍କ ମଧ୍ୟରେ ବିବାଦ ପାଇଁ ହୁଏତ ଦଳ ନୂଆ ନେତାଙ୍କୁ ଟିକଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଭଦ୍ରକର ଟାଣୁଆ ନେତା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ଜଣେ ଆଇଏଏସ୍ ଅଫିସରଙ୍କ ନାଁ ମଧ୍ୟ ଶୁଣିବାକୁ ମିଳୁଛି। ଦଳ ଯଦି ମହିଳା କାର୍ଡ ଓ ସଂଖ୍ୟାଲଘୁ ଭୋଟ୍ କାର୍ଡ ଖେଳେ ତେବେ ପୌରାଧ୍ୟକ୍ଷା ଗୁଲମୁକ୍କୀଙ୍କୁ ପ୍ରାର୍ଥୀ କରାଯିବା କିଛି ଅସମ୍ଭବ ନୁହେଁ ବୋଲି ରାଜନୀତି ସମୀକ୍ଷକଙ୍କ ମତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/bhadrak_gfx-1.jpg)