ଭଦ୍ରକ: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକରେ ବିଜେପି ଋଣନୀତି ଆରମ୍ଭ କରିଛି। ମନମୋହନ ସାମଲ ଦଳର ରାଜ୍ୟ ସଭାପତି ଦାୟିତ୍ବ ନେବା ପରେ ନିଜ ଜିଲ୍ଲାକୁ ଫୋକସରେ ରଖିଛନ୍ତି। ଜିଲ୍ଲାରେ ୫ଟି ବିଧାନସଭା ଆସନ ରହିଛି। ଏହା ମଧ୍ୟରୁ ଧାମନଗର ବିଧାନସଭା ଆସନ ବିଜେପି କବ୍ଜାରେ ଥିବା ବେଳେ ଅନ୍ୟ ୪ଟି ଆସନ ବାସୁଦେବପୁର, ଭଣ୍ଡାରିପୋଖରୀ, ଭଦ୍ରକ ଓ ଚାନ୍ଦବାଲି ବିଜେଡି ଦଖଲରେ ରହିଛି। ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଜିଲ୍ଲାର ସବୁ ଆସନ ଭିତରୁ ଭଦ୍ରକ ଆସନ ଉପରେ ସବୁ ଦଳର ଆଖି ଅଛି।
୨୦୦୯ ଓ ୨୦୧୪ରେ ବିଜେଡିର ଯୁଗଳ କିଶୋର ପଟ୍ଟନାୟକ ଏଠାରୁ ଲଗାତାର ବିଜୟୀ ହୋଇଛନ୍ତି। ୨୦୧୯ରେ ବିଜେଡିର ସଂଜୀବ କୁମାର ମଲ୍ଲିକ ନିର୍ବାଚିତ ହୋଇଛନ୍ତି। ଶ୍ରୀ ମଲ୍ଲିକ ୩୩ ହଜାରରୁ ଅଧିକ ଭୋଟ୍ରେ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଡାକ୍ତର ପ୍ରଦୀପ ନାୟକ ୬୨ ହଜାରରୁ ଅଧିକ ଭୋଟ୍ ପାଇଥିଲେ। ୨୦୨୪ ନିର୍ବାଚନ ପାଇଁ ସଦର ଆସନରେ ବିଜେଡି ଓ କଂଗ୍ରେସ ହେଭିୱେଟ୍ ପ୍ରାର୍ଥୀ ଦେବାକୁ ଯୋଜନା କରୁଛନ୍ତି। ବିଜେପି ମଧ୍ୟ ଦମଦାର ପ୍ରାର୍ଥୀ ଦେବା ନେଇ ମାନସମନ୍ଥନ ଚଳାଇଛି। ବିଜେପି ନେତା ମନମୋହନ ସାମଲ ଚାନ୍ଦବାଲି ଆସନରୁ ଏବଂ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଆସନରୁ ଲଢ଼ିବା ନେଇ ଏକପ୍ରକାର ସ୍ଥିର ହୋଇଥିବା ବେଳେ ବାସୁଦେବପୁର, ଭଣ୍ଡାରିପୋଖରୀ ଓ ଭଦ୍ରକ ଆସନ ପାଇଁ ଦଳ କାହାକୁ ପ୍ରାର୍ଥୀ କରିବ, ସେନେଇ ଜଣାପଡ଼ିନି। ଭଣ୍ଡାରିପୋଖରୀ ଓ ବାସୁଦେବପୁର ଆସନକୁ ଛାଡ଼ିଦେଲେ ଭଦ୍ରକ ଆସନରେ କାହାକୁ ପ୍ରାର୍ଥୀ କରାଯିବ; ତାକୁ ନେଇ ଦଳ ଚିନ୍ତାରେ ପଡ଼ିଛି। ଏହି ଆସନ ପାଇଁ ଏବେ ୩ ଜଣ ଆଶାୟୀ ଅଛନ୍ତି। ସେମାନେ ହେଲେ; ଡା. ପ୍ରଦୀପ ନାୟକ, ହେମନ୍ତ ପାଢ଼ୀ ଓ ମନସ୍ମିତା ଖୁଣ୍ଟିଆ।
ଭଦ୍ରକ ଆସନରୁ ଦୁଇ ଦୁଇଥର ବିଜେପି ପ୍ରାର୍ଥୀ ହୋଇ ହାରିଥିବା ଡା. ନାୟକଙ୍କୁ ଦଳ ପ୍ରାର୍ଥୀ କରିପାରେ। କାରଣ ସେ ନିର୍ବାଚନରେ ହାରିଥିଲେ ବି ଭଲ ଭୋଟ୍ ପାଇଥିଲେ। ସେହିପରି ବିଜେପି ଜିଲ୍ଲା ସଭାପତି ଶ୍ରୀ ପାଢ଼ୀଙ୍କୁ ମଧ୍ୟ ଦଳ ପ୍ରାର୍ଥୀ ଭାବେ ବାଛିବାର ସମ୍ଭାବନା ରହିଛି। ଉଲ୍ଲେଖ ଥାଉକି ୨୦୧୯ ନିର୍ବାଚନ ବେଳେ ହେମନ୍ତ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ ଏବଂ ଦଳର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ପାଇଥିଲେ। ଏହାଛଡ଼ା ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସହ ହେମନ୍ତଙ୍କର କୁଆଡ଼େ ଭଲ ସଂପର୍କ ରହିଛି। ଅନ୍ୟପଟେ ଦଳ ଯଦି ମହିଳା କାର୍ଡ ଖେଳେ; ତେବେ ମନସ୍ମିତା ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ମନସ୍ମିତା ଏବିଭିପି ଛାତ୍ରନେତ୍ରୀ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ନୀଳଗିରି କଲେଜରେ ସଭାପତି ଭାବେ ନିର୍ବାଚିତ ହେବା ସହ ଭଦ୍ରକ ଜିଲ୍ଲା ବିଜେପି ରାଜନୀତିରେ ସକ୍ରିୟ ଅଛନ୍ତି। ଆଗକୁ ଦଳ କାହା ଉପରେ ଭରସା କରୁଛି, ତା ଉପରେ ସମସ୍ତଙ୍କ ନଜର।