ଭଦ୍ରକ : ଭଦ୍ରକ ଜିଲ୍ଲା ବିଜେଡି ସଭାପତି ତଥା ସାଂସଦ ଅର୍ଜୁନ ଚରଣ ସେଠୀ ଦଳୀୟ ଟିକଟ ନ ପାଇ ଦଳ ଛାଡ଼ିବା ପରେ ତାଙ୍କ ସ୍ଥାନରେ ଜିଲ୍ଲା ସଭାପତି ଦାୟିତ୍ବ ନେଇଛନ୍ତି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ବାଇଁ। ଗତକାଲି ଏହି ଘୋଷଣା ହେବା ପରେ ଆଜି ତାଙ୍କୁ ଏକ ଶୋଭାଯାତ୍ରାରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟକୁ ପାଛୋଟି ଅଣାଯାଇଥିଲା। ଏହି ଅବସରରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ତଥାଗତ ସାମଲଙ୍କ ସଂଯୋଜନାରେ ଏଇ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବିଧାୟକ ରାଜୁ ଦାସ, ଯୁବ ବିଜେଡି ରାଜ୍ୟ ଉପସଭାପତି ଇଂ ପ୍ରଣିତକାନ୍ତି ସାମଲ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିଦ୍ୟୁତଲତା ନାୟକ, ଯୁବନେତା ସଂଜୀବ ମଲ୍ଲିକ, ବିଜେଡି ନେତା ଅଜୟ ନାୟକ, ଜିଲ୍ଲା ଉପସଭାପତି ଆଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଅନ୍ୟପକ୍ଷରେ ଜିଲ୍ଲା ସଭାପତି ଭାବେ ନିଜ ଦାୟିତ୍ବ ନେବା ପରେ ଶ୍ରୀ ସ୍ବାଇଁ ତାଙ୍କର ପ୍ରଥମ ପଦକ୍ଷେପ ସ୍ବରୂପ ଦଳରୁ ନିଲମ୍ବିତ ହୋଇଥିବା କିଛି ପୁରୁଖା ନେତା ଓ କର୍ମୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିଥିଲେ ଏବଂ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ମଳୟ ଜେନା, ପୂର୍ବତନ କାଉନସିଲର ପ୍ରଣୟ ଦାସ, ଶ୍ୟାମ ନାୟକ, ହବିବୁର ରହେମାନ, ପ୍ରଫୁଲ୍ଲ ନାୟକ, ସେକ୍ ଜକାଉଲ୍ଲା, ଆଇନଜୀବୀ ତାହେର ମହମ୍ମଦ,ସେକ୍ ନିଜାମ ଉଦ୍ଦିନ୍,ଦେବେନ୍ଦ୍ର ପୁହାଣ ପ୍ରମୁଖ। ନିଲମ୍ବନ ଉଠିବା ପରେ ଶ୍ରୀ ଜେନା ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି, ଆମେ ଦଳରୁ ନିଲମ୍ବିତ ହୋଇଥିଲେ ମଧ୍ୟ ଅନ୍ୟ ଦଳକୁ ଯାଇ ନ ଥିଲୁ। ଧୈର୍ଯ୍ୟର ସହ ଅପେକ୍ଷା କରିଥିଲୁ। ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ଓ ବିଶ୍ବାସ ଥିଲା। ଆଜି ତାହା ପୂରଣ ହୋଇଛି। ଏଇ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ମୁନ ପାଣିଗ୍ରାହୀ, ଯୁବନେତା ପଦୁ ସାହୁ, ସମିତି ସଭ୍ୟ ଯୋଗେନ୍ଦ୍ର ଘଡେଇ, ସଚ୍ଚି ମହାନ୍ତି, ରମେଶ ନାୟକ, ଅଶୋକ ବଳ, ବାପୁ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।