ତେଜିଲା ଭଦ୍ରକ ବସ୍ ସିଣ୍ଡିକେଟ୍ ବିବାଦ : ମାସେ ପର୍ଯ୍ୟନ୍ତ ୧୪୪ ଧାରା ଜାରି

ସିଣ୍ଡିକେଟ୍ ଅଫିସ ଓ ଟିକଟ କାଉଣ୍ଟରରେ ତାଲା, ବ୍ୟାପକ ପୁଲିସ ମୁତୟନ

ଭଦ୍ରକ : ଭଦ୍ରକ ବସ୍ ସିଣ୍ଡିକେଟ୍ ବିବାଦ ଉଗ୍ରରୂପ ନେଉଛି। ସିଣ୍ଡିକେଟ୍‌ର ଦୁଇ ଗୋଷ୍ଠୀ ମାଲିକଙ୍କ ମଧ୍ୟରେ ବିବାଦ ଏବେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। କେଉଁ ଗୋଷ୍ଠୀର ସିଣ୍ଡିକେଟ୍ ନେତା କେଉଁ ଅଫିସ୍ ଘରେ ବସିବେ ତାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ଏହି ବିବାଦର ସମାଧାନ ହୋଇ ନ ପାରିବାରୁ ପ୍ରଶାସନ ପକ୍ଷରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ତଛକ ବସ୍ ସିଣ୍ଡିକେଟ୍ ଅଫିସରେ ମାସେ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିବା ଉପଜିଲ୍ଲାପାଳ ପୀତାମ୍ବର ସାମଲ କହିଛନ୍ତି। ସିଣ୍ଡିକେଟର ଟିକଟ କାଉଣ୍ଟରରେ ମଧ୍ୟ ତାଲା ପକାଇ ଦିଆଯାଇଛି। ଉଭୟ ଗୋଷ୍ଠୀର କୌଣସି ମାଲିକ ଯେଭଳି ସିଣ୍ଡିକେଟ୍ ଅଫିସ୍‌କୁ ଯାଇ ପାରିବେ ନାହିଁ ସେଥିପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। କେବଳ ସିଣ୍ଡିକେଟ୍‌ର ଯାତ୍ରୀ ବିଶ୍ରାମ ଗୃହ ଖୋଲା ରହିବ। ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବ। ଏଠାରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ତାକୁ ନଜରରେ ରଖି ଟାଉନ ଥାନା ପକ୍ଷରୁ ପୁଲିସ ମୁତୟନ କରାଯାଇଛି।

ପ୍ରକାଶ ଥାଉକି, ଭଦ୍ରକ ବସ୍ ସିଣ୍ଡିକେଟର ଆଭ୍ୟନ୍ତରୀଣ ବିବାଦ ନେଇ ଗତ ପ୍ରାୟ ବର୍ଷେ ହେବ ଶୀତଳଯୁଦ୍ଧ ଲାଗିରହିଛି। ସିଣ୍ଡିକେଟର ପଦ ପଦବି ଓ ଅର୍ଥନୈତିକ ବ୍ୟବସ୍ଥା ନେଇ ଦୁଇ ଗୋଷ୍ଠୀ ମାଲିକଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ଗୋଟିଏ ଗୋଷ୍ଠୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ନିର୍ବାଚନ କରାଇ ସଭାପତି, ସଂପାଦକ ଓ ଅନ୍ୟାନ୍ୟ ପଦପଦବୀ ପାଇଁ ନିଜର ନେତା ବାଛିଥିଲେ। ଏହି ଗୋଷ୍ଠୀଙ୍କୁ ସବୁ କ୍ଷେତ୍ରରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନ ସୁରକ୍ଷା ଓ ସହଯୋଗ ‌ଦେଇ ଆସିଥିଲା। ଅନ୍ୟପକ୍ଷରେ ସିଣ୍ଡିକେଟର ଅନ୍ୟ କିଛି ବସ୍ ମାଲିକ ନିର୍ବାଚନ ପ୍ରକ୍ରିୟାରେ ନ ଯାଇ ଚୟନ ପ୍ରକ୍ରିୟାରେ ନିଜ ନିଜ ଭିତରେ ନେତା ବାଛି ପଦ ପଦବିରେ ରହିବା ସହ ଭଦ୍ରକ ବସ୍ ସିଣ୍ଡିକେଟ୍‌ର ବନ୍ତଛକ କାର୍ଯ୍ୟାଳୟରେ ବସୁଥିଲେ। କୋର୍ଟଙ୍କ ରାୟ ବଳରେ ଯେଉଁ ମାଲିକମାନେ ନିର୍ବାଚିତ ହୋଇ ଆସିଲେ ସେମାନେ ମଧ୍ୟ ପ୍ରଶାସନର ସହାୟତାରେ ସିଣ୍ଡିକେଟ୍‌ ଅଫିସକୁ ପ୍ରବେଶ କରିବାକୁ ଚାହିଁଲେ। ଫଳରେ ଗତ ଦୁଇ ଦିନ ତଳେ ଉଭୟ ଗୋଷ୍ଠୀର ମାଲିକଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିବା ସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଉଭୟ ଗୋଷ୍ଠୀର ମାଲିକଙ୍କ ମଧ୍ୟରେ ଠେଲାପେଲା ଓ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ପୁଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏହି ବିବାଦୀୟ ଘଟଣାର ଆପୋସ ସମାଧାନ ପାଇଁ ଗତକାଲି ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ ଓ ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଭଦ୍ରକ ତହସିଲଦାର ଓ ଟାଉନ ଆଇଆଇସିଙ୍କ ଉପସ୍ଥିତିରେ ଉଭୟ ପକ୍ଷର ମାଲିକଙ୍କ ସହ ଆଲୋଚନା କରାଯାଇଥିଲା। ମାତ୍ର ପ୍ରଶାସନର କୌଣସି କଥା ଉଭୟ ଗୋଷ୍ଠୀର ମାଲିକମାନେ ମାନି ନ ଥିଲେ। ଦୁଇ ଗୋଷ୍ଠୀର ମାଲିକଙ୍କ ଜିଦ୍ ପରେ ଉଭୟ ଗୋଷ୍ଠୀର ନେତା ସିଣ୍ଡିକେଟ୍ ଅଫିସ୍ ରୁମ୍‌ରେ ଅଲଗା ଅଲଗା ବସିବାକୁ ନିଷ୍ପତ୍ତି ହେଲା। କିନ୍ତୁ ମୁଖ୍ୟ ଅଫିସ୍ ଅର୍ଥାତ ଯେଉଁ ରୁମ୍‌ଟି ବଡ଼ ସେହି ରୁମ୍‌ରେ ଉଭୟ ଗୋଷ୍ଠୀ ବସିବାକୁ ଜିଦ୍ ଧରିଥିଲେ। ଫଳରେ କୌଣସି ସମାଧାନର ବାଟ ବାହାରି ପାରିଲା ନାହିଁ।

ଏ ନେଇ ଶନିବାର ମଧ୍ୟ ଦିନ ସାରା ପ୍ରଶାସନ ସହ ଆଲୋଚନା ଚାଲିଥିଲା। ମାତ୍ର ଆଲୋଚନା ବେଳେ ଉଭୟ ଗୋଷ୍ଠୀର ଜିଦ୍ ପାଇଁ ଘଟଣା ସମାଧାନ ହୋଇ ପାରିଲା ନାହିଁ। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପଜିଲ୍ଲାପାଳ ଶ୍ରୀ ସାମଲ ଶନିବାର ଦିନ ୧୨ଟାରୁ ଭଦ୍ରକ ବସ୍ ସିଣ୍ଡିକେଟ୍ ଅଫିସ୍ ପରିସରରେ ୧୪୪ ଧାରା ଜାରି କରିଛନ୍ତି। ମାସେ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବା ସହପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ କରା ଯାଇଥିବା ଟାଉନ ଥାନା ଆଇଆଇସି ଚନ୍ଦନ ଘଡ଼େଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର