ଭଦ୍ରକ ବିଜେପି ରାଜନୀତି : ବିଷ୍ଣୁ-ମନମୋହନଙ୍କୁ ଟିକଟ ଲାଗି କ୍ଲିନ୍‌ଚିଟ୍‌

ଭଦ୍ରକ : ସାରା ଭାରତ ବଷର୍ରେ ଏବେ ମୋଦୀ ହାୱାରେ ନିର୍ବାଚନ ପାର ହେବାକୁ ଯୋଜନା କରୁଥିବା ବିଜେପି ପାଇଁ କିନ୍ତୁ ଓଡ଼ିଶା ରାଜନୀତିର ପାଣିପାଗ ଠିକ୍ ଠାକ୍ ହୋଇ ପାରୁନି। ରାଜ୍ୟରେ ଅଧିକାଂଶ ସ୍ଥାନରେ ନେତୃତ୍ବ କନ୍ଦଳ ଓ ପ୍ରାର୍ଥୀ ଚୟନକୁ ନେଇ ଚାଲିଛି କସରତ। ଭଦ୍ରକ ଜିଲ୍ଲା ପରି ଏକ ରାଜନୈତିକ ସମ୍ବେଦନଶୀଳ ଜିଲ୍ଲାରେ ୫ଟି ବିଧାନସଭା କ୍ଷେତ୍ର ଓ ଗୋଟିଏ ଲୋକସଭା କ୍ଷେତ୍ର ଥିବା ବେଳେ ଚାନ୍ଦବାଲିରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ଧାମନଗରରେ ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀଙ୍କ ବ୍ୟତୀତ ଅନ୍ୟ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଚୟନ ଶେଷ ହୋଇ ପାରି ନାହିଁ। ଭଣ୍ଡାରିପୋଖରୀରେ ପଞ୍ଚାନନ ଓ ବଦ୍ରୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଥିବା ବେଳେ କାହାକୁ ମିଳିବ ଏଠାରେ ଦଳୀୟ ଟିକଟ ତାହା ସ୍ବଷ୍ଟ ହୋଇ ନାହିଁ। ଜଣେ ଟିକଟ ପାଇଲେ ଅନ୍ୟ ଜଣେ ନେତା କଣ କରିବେ। ଦଳରେ ରହିବା ନା ଦଳ ଡେଇଁବେ ତାହାକୁ ନେଇ ଚାଲିଛି ଚର୍ଚ୍ଚା। ସେହିପରି ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଡା. ପ୍ରଦୀପ ନାୟକ ଓ ତୁଷାର ଜେନାଙ୍କ ମଧ୍ୟରେ ଚାଲିଛି ପ୍ରାର୍ଥୀ ଚୟନକୁ ନେଇ ଟଣା ଓଟରା। ଏମାନଙ୍କ ମଧ୍ୟରୁ କାହାକୁ ମିଳିବ ଟିକଟ ତାହାକୁ ନେଇ ଜାରି ରହିଛି ସସପେନସ୍। ଏପରି ଅବସ୍ଥାରେ ଭଦ୍ରକ ପାଇଁ ମନସ୍ମିତା ଖୁଣ୍ଟିଆ, ରାଜୀବ ମହାନ୍ତି ଓ ଶରତ ପଢିହାରୀଙ୍କ ପରି ନେତାଙ୍କ ନାମ ମଧ୍ୟ ବିଧାନସଭା ପ୍ରାର୍ଥୀ ହେବା ପାଇଁ ଚର୍ଚ୍ଚା ହେଉଛି। ସେହିପରି ବାସୁଦେବପୁରରେ ଦୀନବନ୍ଧୁ ପତି ଓ ମାଧବାନନ୍ଦ ମଲ୍ଲିକଙ୍କ ମଧ୍ୟରେ ଚାଲିଛି ଟିକଟ ଚୟନକୁ ନେଇ ଛକାପଞ୍ଝା। ଭଦ୍ରକ ଲୋକସଭା କ୍ଷେତ୍ର ପାଇଁ ଶରତ ଦାସଙ୍କ ନାମକୁ ନେଇ ଚର୍ଚ୍ଚା ସବୁଠାରୁ ଆଗରରେ ଥିବା ବେଳେ ତାଙ୍କୁ ପ୍ରାର୍ଥୀକରିବା ବିଜେପି ଦଳ ପକ୍ଷରୁ ଏକ ପ୍ରକାର ଚୂଡାନ୍ତ ହୋଇଥିବା ବେଳେ ନାମ ଘୋଷଣା ହୋଇ ନଥିବାରୁ ଏହି ଆସନ ନେଇ ମଧ୍ୟ ରହିଛି ଦ୍ବନ୍ଦ୍ବ। ଦଳ ଅପେକ୍ଷା କରୁଛି। ବିଜେଡି କିମ୍ବା କଂଗ୍ରେସ ଦଳରୁ କେଉଁ ଟାଣୁଆ ନେତାଙ୍କୁ ଦଳକୁ ଟାଣି ତାଙ୍କୁ ଭଦ୍ରକ ଲୋକସଭା ପ୍ରାର୍ଥୀ କରାଯାଇ ପାରେ ବୋଲି ଭଦ୍ରକ ବିଜେପି ଶିବିରରେ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି। ବିଜେପିର ପ୍ରାର୍ଥୀ ଚୟନକୁ ନେଇ ସେତିକି ସସପେନସ ବଢୁଛି।

ସମ୍ବନ୍ଧିତ ଖବର