ଭଦ୍ରକ: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍ ପରୀକ୍ଷାରେ ଭଦ୍ରକର ଝିଅ ସୁଶ୍ରୀ ଶୋଭାଙ୍ଗୀ ଖୁଣ୍ଟିଆ ୨୪୮ତମ ରାଙ୍କ ହାସଲ କରି ଉତ୍ତୀର୍ଣ୍ଣ ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ଏହି ସଫଳତା ହାସଲ କରିବା ପରେ ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଶୋଭାଙ୍ଗୀ କହିଛନ୍ତି, ‘‘ଯଦି ସୁଯୋଗ ମିଳେ, ତେବେ ମୁଁ ଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରିବି। ଶିକ୍ଷା ବିଭାଗରେ ସଂସ୍କାର ଆଣିବାକୁ ଲକ୍ଷ୍ୟ ରଖିଛି।’’
ୟୁପିଏସ୍ସି ପରୀକ୍ଷାରେ ଶୋଭାଙ୍ଗୀ ୨୪୮ତମ ରାଙ୍କ ଆଣିଥିବା ନେଇ ଅପରାହ୍ନ ସମୟରେ ତାଙ୍କ ସାଙ୍ଗ ତାଙ୍କୁ ଫୋନ୍ରେ ଜଣାଇଥିଲେ। ଏହା ପରେ ସେ ଆଉ ଥରେ ପରୀକ୍ଷା ଫଳକୁ ଠିକ୍ ଭାବେ ଦେଖିବା ପରେ ଜାଣିଥିଲେ ଯେ ସେ କୃତକାର୍ଯ୍ୟ ହୋଇଛନ୍ତି। ଏହା ପରେ ସେ ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଖୁସି ଖବର ଜଣାଇଥିଲେ। ଝିଅର ପରୀକ୍ଷା ଫଳ ଜାଣିବା ପରେ ବାପା-ମା’ଙ୍କ ଆଖିରୁ ଆନନ୍ଦର ଅଶ୍ରୁ ବାହାରି ଯାଇଥିଲା।
ଭଦ୍ରକ ବଙ୍କସାହି ବାସିନ୍ଦା ସତ୍ୟନାରାୟଣ ଖୁଣ୍ଟିଆଙ୍କ ଏକ ମାତ୍ର କନ୍ୟା ସୁଶ୍ରୀ ଶୋଭାଙ୍ଗୀ ଖୁଣ୍ଟିଆ ୟୁପିଏସ୍ସି ପରୀକ୍ଷାରେ କୃତକାର୍ଯ୍ୟ ହେବା ନେଇ ଖବର ପାଇବାପରେ ସାରା ପରିବାରରେ ଖୁସିର ମହୋଲ ଖେଳିଯାଇଛି। ଶୋଭାଙ୍ଗୀଙ୍କ ବାପା ଭଦ୍ରକ ସହରରେ ଏକ ସାଇବର କାଫେ ଖୋଲିଛନ୍ତି।
ସୂଚନାଯୋଗ୍ୟ, ଶୋଭାଙ୍ଗୀ ପୂର୍ବରୁ ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ୯୭ତମ ରାଙ୍କ ଆଣିଥିଲେ। ସେ ଏବେ ଭଦ୍ରକ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଟ୍ରେନିଂରେ ଅଛନ୍ତି। ତେବେ ଏହି ଟ୍ରେନିଂରେ ଥିବା ବେଳେ ଭାରତୀୟ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତି କରିଥିଲେ ଓ ଶେଷରେ ସଫଳତା ଲାଭ କରିଛନ୍ତି।