ବାତ୍ୟା ପାଇଁ ଭଦ୍ରକରେ ଯୁଦ୍ଧକାଳୀନ ପ୍ରସ୍ତୁତି : ଚାନ୍ଦବାଲି, ବାସୁଦେବପୁରର ୯୧ ଗାଁ ବିପଦସଙ୍କୁଳ

ଭଦ୍ରକ/ଧାମରା/ବାସୁଦେବପୁର : ବାତ୍ୟା ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛି ଭଦ୍ରକ ଜିଲ୍ଲା ପ୍ରଶାସନ। ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ଅହରହ ସତର୍କ କରାଯାଉଛି। ସମୁଦ୍ର ତଟବର୍ତ୍ତୀ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକର ୭୨ଟି ପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳୀ ସହିତ ୩୬୩ଟି ସ୍କୁଲର ବ୍ୟବସ୍ଥା କରାଯାଇଛି। ଏହି ଦୁଇଟି ବ୍ଳକ୍‌ର ୯୧ଟି ଗାଁକୁ ବିପଦସଙ୍କୁଳ ଅଞ୍ଚଳ ଭାବେ ଚିହ୍ନଟ କରିଛି ପ୍ରଶାସନ। ଆଜି ସନ୍ଧ୍ୟା ସୁଦ୍ଧା ଅଳ୍ପ କେତେକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆସନ୍ତାକାଲି ବର୍ଷା ଓ ବାତ୍ୟାର ସ୍ଥିତିକୁ ଦେଖି ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ।

ସୂଚନା ମୁତାବକ, ବାସୁଦେବପୁର ଓ ଚାନ୍ଦବାଲି ବ୍ଳକର ପ୍ରାୟ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ଯୋଜନା ରଖିଛି। ଇତିମଧ୍ୟରେ ଗଭୀର ସମୁଦ୍ରରୁ ପ୍ରାୟ ୨ ହଜାର ମାଛଧରା ବୋଟ୍ ଫେରି ଆସିଛନ୍ତି। ୧୮ରୁ ୨୧ ତାରିଖ ଭିତରେ କେହି ସମୁଦ୍ର ଭିତରକୁ ନ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ରକୂଳ ବସ୍ତିରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ବାତ୍ୟା ମୁକାବିଲା ପାଇଁ ଜିଲ୍ଲାରେ ୫ଟି ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି। ଧାମରାକୁ ୨ଟି ଏନଡିଆରଏଫ୍ ଟିମ୍ ପଠାଯାଇଥିବା ବେଳେ ବାସୁଦେବପୁର, ଚାନ୍ଦବାଲି ବ୍ଳକରେ ଗୋଟିଏ ଲେଖା ଟିମ୍‌ ମୁତୟନ ହୋଇଛନ୍ତି। ଅନ୍ୟ ଏକ ଟିମ୍‌କୁ ଭଦ୍ରକ ହେଡକ୍ବାର୍ଟରରେ ରଖାଯାଇଛି। ବାତ୍ୟା ମୁକାବିଲା ପାଇଁ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବିଭିନ୍ନ ପ୍ରାଶାସନିକ ଅଧିକାରୀଙ୍କ ସମେତ ସମସ୍ତ ଲାଇନ୍‌ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଗ ଦେଇଥିଲେ। ବିଦ୍ୟୁତ୍ ବିଭାଗ, ଯୋଗାଣ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗଗୁଡ଼ିକ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଧାମରା ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅତିରିକ୍ତ ଶାସନ ସଚିବ ଅଶୋକ ବେହୁରିଆ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ମଧୁସୂଦନ ମିଶ୍ର, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଧାମରା ଥାନା ଅଧିକାରୀ ଶ୍ରୀକାନ୍ତ ପତି, ମେରାଇନ ଥାନା ଅଧିକାରୀ ତୁସୀଲ ମାଝୀ, ଅତିରିକ୍ତ ତହସିଲଦାର ଚୈତନ୍ୟ ପ୍ରସାଦ ମୁର୍ମୁ, ଏନ୍‌ଡିଆରଏଫ୍‌ର ଟିମ ଲିଡର ସୁବ୍ରତ କୁମାର ଭୋଇଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗ ଦେଇଥିଲେ।

ସେପଟେ ପୁଲିସ ଡିଜି ଅଭୟ ଆଜି ବାତ୍ୟା ମୁକାବିଲା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବାତ୍ୟା ସମୟରେ ବିପଦଗ୍ରସ୍ତ ଲୋକଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦେବା ସହ ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ଅଧିକ ପୁଲିସ ମୁତୟନ ପାଇଁ ଏସ୍‌ପି ରାଜେଶ ପଣ୍ଡିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ମେରାଇନ୍‌ ପୁଲିସ ସଜାଗ ରହିବା ସହ ଏନ୍‌ଡିଆର୍‌ଏଫ୍ ଓ ଅଗ୍ନିଶମ ବାହିନୀ ସହ ସମନ୍ବୟ ରଖି ବାତ୍ୟା ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର