ବଦଳିବେ ଭଦ୍ରକ ଜିଲ୍ଲା ବିଜେଡି ସଭାପତି! କାହା ଉପରେ ଆସ୍ଥା ଦେଖାଇବ ଦଳ?

ଭଦ୍ରକ: ପଞ୍ଚାୟତ ଓ ପୌର ନିର୍ବାଚନ ପରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ କରିବେ ବୋଲି ଚର୍ଚ୍ଚା ହେଉଛି। କେବଳ ମନ୍ତ୍ରୀ ମଣ୍ଡଳ ନୁହେଁ, କିଛି ନିଗମ ଅଧ୍ୟକ୍ଷ ପଦରେ ମଧ୍ୟ ଅଦଳବଦଳ କରାଯାଇପାରେ। ସେହିପରି ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ଅଧିକାଂଶ ଜିଲ୍ଲାରେ ଜିଲ୍ଲା ସଭାପତି ବଦଳିପାରନ୍ତି। ପୌର ଓ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଆଧାର କରି ସବୁ ପଦରେ ନେତୃତ୍ବ ପରିବର୍ତ୍ତନ ହେବ ବୋଲି କୁହାଯାଉଛି।

ତେବେ ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ବିଜେଡି ସଭାପତି ବଦଳ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଯଦି ସଭାପତି ବଦଳନ୍ତି; ତେବେ ନୂଆ ସଭାପତି କିଏ ହେବେ, ସେନେଇ ଜୋରଦାର ଚର୍ଚ୍ଚା ଚାଲିଛି।
ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀ ଦୀର୍ଘ ବର୍ଷ ଧରି ବିଜେଡିର ଭଦ୍ରକ ଜିଲ୍ଲା ସଭାପତି ଭାବେ ସଂଗଠନ ଦାୟିତ୍ବ ତୁଲାଉଥିଲେ। ସେ ସମୟରେ ସେ ଦଳକୁ ଶକ୍ତିଶାଳୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ପୁଅ ଅଭିମନ୍ୟୁ ସେଠୀଙ୍କୁ ବିଜେଡି ଲୋକସଭା ଟିକଟ୍‌ ନ ଦେବାରୁ ଅର୍ଜୁନ ଦଳ ଛାଡ଼ି ବିଜେପିରେ ମିଶି ଯାଇଥିଲେ। ଅର୍ଜୁନଙ୍କ ପରେ ଜିଲ୍ଲା ବିଜେଡି ସଭାପତି ପଦ ୩ ଥର ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଥିବା ଜଗନ୍ନାଥ ସ୍ବାଇଁଙ୍କୁ ଦିଆଯାଇଥିଲା।

୨୦୧୯ରୁ ଜଗନ୍ନାଥ ଭଦ୍ରକ ବିଜେଡି ଜିଲ୍ଲା ସଭାପତି ଦାୟିତ୍ବ ତୁଲାଉଛନ୍ତି। ୨୦୧୯ରେ ହୋଇଥିବା ସାଧାରଣ ନିର୍ବାଚନରେ ଭଦ୍ରକର ୫ଟି ବିଧାନସଭା ଆସନରୁ ବିଜେଡି ୪ଟି ଆସନରେ ଜିତିଥିଲା ଏବଂ ଧାମନଗର ଆସନ ବିଜେପି ହାତକୁ ଚାଲିଗଲା। ସେହିପରି ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଥିବା ବେଳେ ଜଗନ୍ନାଥଙ୍କ ନିଜ ପଞ୍ଚାୟତ ରାନ୍ଦିଆରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ପରାଜିତ ହେଲେ। ସେହିପରି ପୌର ନିର୍ବାଚନରେ ବିଜେଡିକୁ ଭଦ୍ରକ ଆସନ ହରାଇବାରକୁ ପଡ଼ିଛି।

ଏପରି ସମୟରେ ଜଗନ୍ନାଥଙ୍କ ରାଜନୈତିକ ଓ ସାଂଗଠନିକ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ଯାହାଫଳରେ ଦଳ ଆଉ ତାଙ୍କୁ ଜିଲ୍ଲା ସଂଗଠନ ଦାୟିତ୍ବ ଦେବ ନାହିଁ ବୋଲି ଆଲୋଚନା ହେଉଛି।
ଯଦି ଭଦ୍ରକ ଜିଲ୍ଲା ସଭାପତି ବଦଳିବା ଆଲୋଚନା ସତ ହୋଇଥାଏ; ତେବେ ତାଙ୍କ ସ୍ଥାନରେ ଦଳ କାହାକୁ ଜିଲ୍ଲା ସଭାପତି କରିବ, ତାକୁ ନେଇ ଚର୍ଚ୍ଚା ଚାଲିଛି। ଯେଉଁ ଚର୍ଚ୍ଚାରେ ସବୁଠାରୁ ଆଗରେ ଅଛନ୍ତି ଧାମନଗର ବ୍ଲକ୍‌ର ଦୁଇ ଦୁଇଥର ଅଧ୍ୟକ୍ଷ ଥିବା ଅଶୋକ ନାୟକ ଏବଂ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ। ସାଂଗଠନିକ ଦକ୍ଷତା ଆଧାରରେ ଅଶୋକଙ୍କୁ ଏବଂ ବିଧାୟକ ଥିବାରୁ ମୁକ୍ତିକାନ୍ତଙ୍କୁ ଜିଲ୍ଲା ସଭାପତି ଆସନରେ ବସାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି।

ଦୁଇ ନେତା ଅଶୋକ ଓ ମୁକ୍ତିକାନ୍ତଙ୍କୁ ଛାଡ଼ି ଦେଲେ ଆଉ କିଛି ନେତାଙ୍କ ନାମ ମଧ୍ୟ ତାଲିକାକୁ ଆସିପାରେ। ଯେଉଁମାନଙ୍କ ଠାରେ ସଂଗଠନ ସମ୍ଭାଳିବା ଦକ୍ଷତା ରହିଛି। ତେବେ ଦଳ କାହାକୁ ଜିଲ୍ଲା ସଂଗଠନ ଦାୟିତ୍ବ ଦେଉଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର