ଭଦ୍ରକ: ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ଆସି ଭଦ୍ରକ ଜିଲ୍ଲା ଅଧୀନ ୫ଟି ବ୍ଲକ୍ର ୪୦ଟି ପଞ୍ଚାୟତର ପ୍ରାୟ ୩୦ ହଜାର ହେକ୍ଟର ଜମିର ଧାନଚାଷ ଏବଂ ୪ ହଜାର ହେକ୍ଟର ଜମିର ପରିବା ଚାଷ ସଂପୂର୍ଣ୍ଣ ଉଜୁଡ଼ିଯାଇଛି। ବର୍ଷା କମିବା ସହ ବନ୍ୟା କମିଛି। ହେଲେ ଚାଷୀର ଦୁଃଖ ବଢ଼ିଯାଇଛି। ଭଣ୍ଡାରିପୋଖରୀ କଣ୍ଟି ଏସ୍କେପ୍ ଏବଂ ବାଲିପୋଖରୀ ଏସ୍କେପ୍ରେ ବନ୍ୟାଜଳ ପ୍ରବାହିତ ହୋଇ ବ୍ଲକ୍ର ୬ଟି ପଞ୍ଚାୟତର ପ୍ରାୟ ୫ ହଜାର ହେକ୍ଟର ଚାଷଜମି ଜଳମଗ୍ନ ହାଇଛି। ଷୋଳମପୁର, ନପଙ୍ଗ, ମାଳଦା, ବାଲିପୋଖରୀ, ବନ୍ଦାଳ ମଢ଼ିଆଳି, ଝୁଣ୍ଟୁଣା ଆଦି ପଞ୍ଚାୟତରେ ବ୍ୟାପକ ଚାଷ କ୍ଷତିଗ୍ରସ୍ତ ହୋଇଛି। ଚାଷଜମିରେ ପାଣି ଠିଆ ହୋଇ ରହିବା କାରଣରୁ ଫସଲ ପଚିବାରେ ଲାଗିଛି। କଣ୍ଟିଘାଇ ଏସ୍କେପ୍ରେ ବନ୍ୟାଜଳ ପ୍ରବାହିତ ହୋଇ ଧାମନଗର ବ୍ଲକ୍ର ତିଳିଆ ଅଞ୍ଚଳକୁ କ୍ଷତି ପହଞ୍ଚାଇଛି।
ମଲ୍ଲିମାହାରା ଏସ୍କେପ୍ ଓ ଗୌରାଙ୍ଗପଚର ଏସ୍କେପ୍ ଦେଇ ବନ୍ୟାଜଳ ପ୍ରବାହିତ ହେବାରୁ ବ୍ଲକ୍ର ଦିହୁଡ଼ି ଆନନ୍ଦପୁର, ଖଡ଼ିପଦା, ଦୋବଲ, କରଦା, ସୋହଡ଼ା, ପଧାନୀ, ଦଳାଙ୍ଗ, ଅର୍ଜୁନପୁର, ଧୁଷୁରୀ, କୋଠାର, ବୟାଙ୍ଗଡ଼ିହ, ହସନାବାଦ, ପାଳସାହି, ରଇପୁର, ବମକୁରା ଆଦି ୨୦ଟି ପଞ୍ଚାୟତର ପ୍ରାୟ ସାଢ଼େ ୧୦ ହଜାର ହେକ୍ଟର ଚାଷଜମି ସଂପୂର୍ଣ୍ଣ ବୁଡ଼ି ରହିଛି। ଚାନ୍ଦବାଲି ବ୍ଲକ୍ର ଆରଡ଼ି, ସୁନ୍ଦରପୁର, ନାନ୍ଦପୁର ଆଦି ୩ ପଞ୍ଚାୟତର ପ୍ରାୟ ୫ ହଜାର ହେକ୍ଟର, ତିହିଡ଼ି ବ୍ଲକ୍ର ବାରୁଅ, ବିଲଣା, କୋଡ଼କ ପଞ୍ଚାୟତର ପ୍ରାୟ ୧୦ ହଜାର ହେକ୍ଟର ଏବଂ ଭଦ୍ରକ ବ୍ଲକ୍ର ଅର୍ଣ୍ଣପାଳ ଓ ବିଷ୍ଣୁପୁର ପଞ୍ଚାୟତର ପ୍ରାୟ ୩ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୮୦ ହାଜର ଲୋକ କ୍ଷତିଗ୍ରସ୍ତ ହୋଇଥିବା ନେଇ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ପ୍ରତିକ୍ରିୟାରେ କହିଛନ୍ତି। କ୍ଷୟକ୍ଷତିର ଆକଳନ ଚାଲିଛି। ତହସିଲଦାରମାନେ ସଂପୂର୍ଣ୍ଣ ରିପୋର୍ଟ ଦେବା ପରେ ସରକାରଙ୍କୁ ଅବଗତ କରାଯିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଭଦ୍ରକ ସାଂସଦ, ଭଣ୍ଡାରିପୋଖରୀ ବିଧାୟକ ଓ ଭଦ୍ରକ ବିଧାୟକ ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ଲୋକମାନଙ୍କ ସହ ସମସ୍ୟା ବାବଦରେ ଆଲୋଚନା କରିଛନ୍ତି ଏବଂ ସହାୟତା ପାଇଁ ସରକାରଙ୍କୁ ଅବଗତ କରିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/baitarani-bk2.jpg)