ଭଦ୍ରକ: ସପ୍ତ ଦିବସ ବ୍ୟାପୀ ମହାଯଜ୍ଞ ଓ ମା’ ଭଦ୍ରକାଳୀଙ୍କର ସପ୍ତ ମାତୃକା ବେଶ ପାଇଁ ପୀଠରେ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଆସନ୍ତା ୧୨ ତାରିଖ ଠାରୁ ମା’ଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞର ଶୁଭାରମ୍ଭ ସହିତ ସପ୍ତ ଦିବସ ବ୍ୟାପୀ ମା’ ସପ୍ତ ମାତୃକା ବେଶରେ ସଜ୍ଜିତ ହୋଇ ବିଭିନ୍ନ ରୀତିନୀତିରେ ପୂଜା ପାଇବେ। ମହାଯଜ୍ଞର ଶୁଭାରମ୍ଭ ତିଥିରେ ପବିତ୍ର ସାଳନ୍ଦୀ ନଦୀର ଆହରପଦା ଘାଟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଦ୍ଵାରା ବିଭିନ୍ନ ବାଦ୍ୟ-ସଂକୀତ୍ତର୍ନ ସହ ଏକ ବିଶାଳ ମାନସିକଧାରୀ ଭକ୍ତମାନେ କଳସ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ନିଜର ନାମକୁ ପଞ୍ଜିକରଣ କରିବାରେ ଲାଗିଛନ୍ତି।
ମା’ଙ୍କର ସପ୍ତ ମାତୃକା ବେଶ ନିମନ୍ତେ ମନ୍ଦିରରେ ରଙ୍ଗ ପ୍ରଲେପନ କାର୍ଯ୍ୟ, ଆଲୋକ ସଜ୍ଜା ଓ ତୋରଣ କାର୍ଯ୍ୟ ଆରମ୍ଭ ହୋଇଛି। ମହାଯଜ୍ଞର ଆହୁତି ନିମନ୍ତେ ଯଜ୍ଞ ମଣ୍ଡପକୁ ସଜ୍ଜିତ କରାଯାଉଛି। ସପ୍ତ ମାତୃକା ବେଶ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ସେବାୟତ ତଥା ଗ୍ରାମବାସୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ବିଭାଗରେ ଦାୟିତ୍ଵ ବଣ୍ଟନ କରାଯାଇଛି। ଭକ୍ତମାନଙ୍କର ସୁବିଧା ଦୃଷ୍ଟିରୁ ମା’ଙ୍କ ପୀଠରେ ଶାନ୍ତି ଶୃଙ୍ଖଳା ରକ୍ଷା, ଆଲୋକ ବ୍ୟବସ୍ଥା, ପାନୀୟ ଜଳ, ପରିମଳ, ରାସ୍ତା ମରାମତି, ପୂଜା ରୀତିନୀତି ବିଷୟରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି।
ସପ୍ତ ମାତୃକା ବେଶର ପ୍ରଥମ ଦିବସରେ ମା’ଙ୍କର ବେଦମାତା ବଶ, ଦ୍ଵିତୀୟ ଦିବସରେ ମହାକାଳୀ ବଶ, ତୃତୀୟ ଦିବସରେ ରାଜରାଜେଶ୍ଵରୀ, ଚତୁର୍ଥ ଦିବସରେ ମା’ଙ୍କର ସିଂହବାହିନୀ ବଶ, ପଞ୍ଚମ ଦିବସରେ ଜଗଦ୍ଧାତ୍ରୀ ବଶ, ଷଷ୍ଠ ଦିବସରେ ମହାଲକ୍ଷ୍ମୀ ବେଶରେ ପୂଜା ପାଇବାକୁ ଥିବା ବେଳେ ଅନ୍ତିମ ଦିବସରେ ମହାଲକ୍ଷ୍ମୀ ବେଶ ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ତରଫରୁ ପ୍ରକାଶ କରାଯାଇଛି। ମହାଯଜ୍ଞର ସପ୍ତସତୀ ଚଣ୍ଡୀପାଠ, ନାମ ସଂକୀତ୍ତର୍ନ, ଗୀତାପାଠ, ଭାଗବତ ପାଠ ଆଦି ବିଭିନ ଆଧ୍ୟାତ୍ମିକ କାର୍ଯ୍ୟ ସପ୍ତ ଦିବସ ବ୍ୟାପୀ ଅନୁଷ୍ଠିତ ହେବ ବୋଲି ପ୍ରସ୍ତୁତି ଜୋର୍ସୋର୍ ଚାଲିଛି।