ଭୁବନେଶ୍ବର: ବର୍ତ୍ତମାନ କରୋନାର ତୃତୀୟ ଲହରୀ ଆରମ୍ଭ ହୋଇଯାଇଛି। ରାଜ୍ୟରେ ଅନେକ ଲୋକ ଏଥିରେ ଆକ୍ରାନ୍ତ ହେବା ଜଣାପଡିବା ପରେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଥମ ଦୁଇ ଲହରରେ ଯେମିତି କଟକଣା ଲାଗିଥିଲା ଏବେ ବି ସେହି କଟକଣା ଲାଗିବା ଆରମ୍ଭ ହୋଇଛି। ଆରଟିପିସିଆର, ଆଣ୍ଟିଜେନ ଟେଷ୍ଟକୁ ବ୍ୟାପକ କରାଯାଇଛି। ପ୍ରତ୍ୟେକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏ ସଂକ୍ରାନ୍ତ ବ୍ୟବସ୍ଥା କରାଯିବାକୁ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ରାତି କର୍ଫ୍ୟୁ ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ରାଜ୍ୟର ଅନେକ ନେତା କୋଭିଡରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଓ ରାଜ୍ୟସଭା ସଦସ୍ୟ ଡଃ ସସ୍ମିତ ପାତ୍ର ଓ ଲୋକସଭା ସଦସ୍ୟା ମଞ୍ଜୁଲତା ମଣ୍ଡଳ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଜେଡିର ଏହି ୩ ନେତା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।
ଭଦ୍ରକ ଲୋକସଭା ସଦସ୍ୟା ମଞ୍ଜୁଲତା ମଣ୍ଡଳ ମଧ୍ୟ ଶୁକ୍ରବାର କରୋନରେ ସଂକ୍ରମିତ ହୋଇଥିବା ଟ୍ବିଟ ଯୋଗେ ଜଣାଇଛନ୍ତି। ଲୋକ ପ୍ରତିନିଧି ହେତୁ ସେ ବିଭିନ୍ନ ସ୍ଥାନକୁ ଯାଇଛନ୍ତି । ତେଣୁ ତାଙ୍କ ସଂସ୍ପର୍ଶରେ ଯିଏ ଆସିଛନ୍ତି ସେମାନେ ମଧ୍ୟ ନିଜକୁ ସୁରକ୍ଷିତ ରଖିବାକୁ କରୋନା ପରୀକ୍ଷା କରି ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ସମସ୍ତେ ସତର୍କ ରହିବା ସହିତ ଅନ୍ୟମାନଙ୍କୁ ସଚେତନ କରନ୍ତୁ ବୋଲି ସେ କହିଛନ୍ତି।
ସେହିଭଳି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ମଧ୍ୟ କରୋନା ପଜଟିଭ ଚିହ୍ନଟ ହେବା ପରେ କହିଛନ୍ତି, ବିଗତ ଦିନରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, କରୋନା ପରୀକ୍ଷା କରାନ୍ତୁ। ସେ କରୋନା ଟିକାର ଉଭୟ ଡୋଜ୍ ନେଇଥିଲେ। ସେ ୨୦୨୦ରେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସୁରକ୍ଷିତ ରହିବା ପାଇଁ ମାସ୍କ ପିନ୍ଧନ୍ତୁ ଓ ସତର୍କ ରୁହନ୍ତୁ ବୋଲି ଶ୍ରୀ ପାତ୍ର କହିଛନ୍ତି। ଯେଉଁମାନେ ଟିକା ନେଇଛନ୍ତି ସେମାନେ ନିଜକୁ ସୁରକ୍ଷିତ ବୋଲି ମନେ ନକରି ସତର୍କ ରହିବାକୁ ସେ ଅନୁରୋଧ କରିଛନ୍ତି।
ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କୁ ଗୁରୁବାର ସାମାନ୍ୟ ଜ୍ବର ହୋଇଥିଲା। ସନ୍ଧ୍ୟା ବେଳକୁ ଜ୍ବରର ପ୍ରକୋପ ଅଧିକ ହେବାରୁ କୋଭିଡ ପରୀକ୍ଷା କରାଇଥିଲେ। ଶୁକ୍ରବାର ଅପରାହ୍ନରେ ତାଙ୍କର ନମୁନା ରିପୋର୍ଟ ପଜିଟିଭ ଜଣାପଡ଼ିଥିଲା। ଶ୍ରୀ ମଲ୍ଲିକ ଏବେ ଗୃହ ସଂଗରୋଧରେ ଅଛନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ସେ କହିଛନ୍ତି ଯେ, ବିଗତ କିଛି ଦିନ ମଧ୍ୟରେ ତାଙ୍କର ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, କୋଭିଡ ପରୀକ୍ଷା କରିନିଅନ୍ତୁ।
ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟୁଇଟ୍ କରି ନିଜେ ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀ ଦାସ। ସେ ଗୁରୁବାର ଲକ୍ଷଣବିହୀନ କରୋନା ସଂକ୍ରମିତ ହୋଇଛନ୍ତି। ସେ ହୋମ ଆଇସୋଲେସନରେ ଥିବାର ବି ସୂଚନା ଦେଇଛନ୍ତି।