କାଲିଠୁ ୩୧ ଯାଏଁ ଭଦ୍ରକ ପୌରାଞ୍ଚଳ ଓ ଧାମନଗର ରହିବ ଲକଡାଉନ

ଜଲେଶ୍ୱର ଓ ଗଜପତିର କିଛି ଅଂଚଳ ହେବ ଲକଡାଉନ

ଭୁବନେଶ୍ୱର: ଭଦ୍ରକ ପୌରାଞ୍ଚଳ ଓ ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ଅଂଚଳ ଆସନ୍ତାକାଲି (ସୋମବାର) ଠାରୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ରହିବ । ଏହି ୨ଟି ସ୍ଥାନରେ ସପ୍ତାହର ଅନ୍ତିମ ଦୁଇ ଦିନ (ଶନିବାର ଓ ରବିବାର) ସଟଡାଉନ ରହିବ । ଅର୍ଥାତ ସଟଡାଉନ କଟକଣା ପୂର୍ବଭଳି ବଳବତ୍ତର ରହିବ । ଲକଡାଉନ କଟକଣା ସମୟରେ ପ୍ରତିଦିନ ସକାଳ ୫ଟାରୁ ଅପରାହ୍ନ ଗୋଟିଏ ଯାଏଁ ଦୋକାନ, ବଜାର ଖୋଲିବ । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ପୌରାଞ୍ଚଳରେ ମଧ୍ୟ ସୋମବାର ଠାରୁ ଆଗାମୀ ୭ ଦିନ ପାଇଁ ସଟଡାଉନ ଆରମ୍ଭ ହୋଇଯିବ । ଏହି ଅଂଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।

ସେହିପରି ଗଜପତି ଜିଲ୍ଲାର ବିଭିନ୍ନ ଅଂଚଳରେ ମଧ୍ୟ ଆସନ୍ତା ୨୦ ତାରିଖ ଠାରୁ ଲକଡାଉନ ଓ ସଟଡାଉନ କଟକଣା ଆରମ୍ଭ ହୋଇଯିବ । ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି, ସୋମବାର ସକାଳ ୫ଟା ଠାରୁ ଜୁଲାଇ ୩୧ ତାରିଖ ମଧ୍ୟରାତ୍ରୀ ଯାଏଁ କିଛି ନିର୍ଦ୍ଧିଷ୍ଟ ଅଚଂଳ ଲକଡାଉନ ରହିବ । ଜିଲ୍ଲାର ସମସ୍ତ ବ୍ଲକ ସଦର ମହକୁମାରେ ଏହି କଟକଣା ଲାଗୁ ହେବ । ପାରଳାଖେମୁଣ୍ଡି ପୌରାଞ୍ଚଳ ଓ କାଶୀନଗର ବିଜ୍ଞାପିତ ଅଂଚଳ ପରିଷଦରେ ମଧ୍ୟ ସଟଡାଉନ ଜାରି ରହିବ । ଜିଲ୍ଲାର ୮ଟି ବ୍ଲକ ଓ ୧୧ଟି ପଂଚାୟତରେ ମଧ୍ୟ ଲକଡାଉନ କଟକଣା ଜାରି ରହିବ ।

ଏତଦ ବ୍ୟତୀତ ବରଗଡ଼ ହସ୍ପିଟାଲକୁ ମଧ୍ୟ ୫ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଏଠାରେ ଜଣେ ରୋଗୀଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଂପୃକ୍ତ ହସ୍‌ପିଟାଲକୁ ସଟଡାଉନ ଘୋଷଣା କରିଛନ୍ତି । ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧିତ ଖବର