ଭଦ୍ରକ: ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ। ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଗୁରୁବାର ଥିଲା ଦ୍ୱିତୀୟ ଦିନ। ଗତକାଲି ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର ଦାଖଲ କରି ନଥିବା ବେଳେ ଗୁରୁବାର ଦ୍ୱିତୀୟ ଦିନରେ ବି କେହି ପ୍ରାର୍ଥିପତ୍ର ଦାଖଲ କଲେ ନାହିଁ। ଆସନ୍ତାକାଲି ତୃତୀୟ ଦିନରେ କିଛି ନେତା ପୌରପାଳିକା ପାଇଁ ପ୍ରା‌ର୍ଥିପତ୍ର ଦାଖଲ କରିବେ ବୋଲି ଜଣାଯାଇଛି।

Advertisment

ସଦ୍ୟ ପ୍ରକାଶ ପାଇଥିବା ପଞ୍ଚାୟତ ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଜିଲ୍ଲା ପରିଷଦ ସଭାପତି, ଉପସଭାପତି, ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ, ଏପରିକି ନାଏବ ସରପଞ୍ଚ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ନଥିବା ବେଳେ ଦଳୀୟ ନେତାମାନେ ସେହି କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ପଞ୍ଚାୟତ ନିର୍ବାଚନର ମାହୋଲ ଶେଷ ନ ହେଉଣୁ ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ବିରୋଧୀ ହଡବଡେଇ ଯାଇଛନ୍ତି। ଜିଲ୍ଲାର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ୩୦ଟି ୱାର୍ଡ ପାଇଁ କେଉଁ ୱାର୍ଡରୁ କିଏ ପ୍ରତିଦ୍ବନ୍ଦ୍ବିତା କରିବେ ତାକୁ ନେଇ ନିଷ୍ପତ୍ତି ଚୂଡାନ୍ତ ହୋଇପାରି ନାହିଁ। ବିଜେଡି ମଧ୍ୟ କେଉଁ ୱାର୍ଡରୁ କାହାକୁ ଦଳୀୟ କାଉନସିଲର ପ୍ରାର୍ଥୀ କରିବ, ତାହାକୁ ନେଇ ଚୟନ ପ୍ରକ୍ରିୟା ଶେଷ କରି ପାରିନାହିଁ। ଅନେକ ୱାର୍ଡ ସଂରକ୍ଷଣ ହୋଇଥିବା ବେଳେ ଏହିସବୁ ୱାର୍ଡରୁ କାହାକୁ ଦଳୀୟ ପ୍ରାର୍ଥୀ କରାଯିବ। କେଉଁ ୱାର୍ଡରେ ନୂଆ ପ୍ରାର୍ଥୀ ଦିଆଯିବ। କେଉଁ ୱାର୍ଡରେ ପୁରୁଣା ନେତାଙ୍କୁ ପୁଣି ନିର୍ବାଚନ ଲଢିବାକୁ ସୁଯୋଗ ଦିଆଯିବ ବୋଲି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଘରେ ଦିନ ରାତି ଚାଲିଛି ବୈଠକ।

ଚଳିତ ନିର୍ବାଚନରେ ପୌରାଧ୍ୟକ୍ଷ ଭୋଟ ସିଧାସଳଖ ଭାବେ ପ୍ରାର୍ଥୀ ନିର୍ବାଚନ ଲଢିବାକୁ ଥିବା ବେଳେ ଏହି ପଦବି ପାଇଁ ବହୁ ଆଶାୟୀ ରହିଛନ୍ତି। ଯେଉଁଥି ପାଇଁ ଦଳ କାହାକୁ ପ୍ରାର୍ଥୀ କରିବ। ତାହାକୁ ନେଇ ଉପର ଲେବୁଲରେ ନିଷ୍ପତ୍ତି ହେବ ବୋଲି ଜଣାପଡିଛି। ଭଦ୍ରକ ପୌରପାଳିକା ପାଇଁ କେଉଁ ୱାର୍ଡରୁ କିଏ ଆଶାୟୀ ଓ କାହାକୁ ଦଳୀୟ ଟିକଟ ଦିଆଯିବ। ତାହା ଚୂଡାନ୍ତ ହୋଇ ପାରୁ ନଥିବାରୁ ବିଜେଡି ପକ୍ଷରୁ କାଉନସିଲ ପଦ ପାଇଁ କୌଣସି ୱାର୍ଡରୁ କେହି ନେତା ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି। କେବଳ ବିଜେଡି ନୁହେଁ, ବିରୋଧୀ ବିଜେପି ପକ୍ଷରୁ ମଧ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ନେଇ ବିଳମ୍ବ ହେଉଛି।

କଂଗ୍ରେସ ଦଳର ଅବସ୍ଥା ମଧ୍ୟ ସେଇଆ। ପଞ୍ଚାୟତ ନିର୍ବାଚନର ଯେଉଁ ମାହୋଲ ରହିଥିଲା। ପୌର ନିର୍ବାଚନ ପାଇଁ ସେଭଳି ମାହୋଲ ପରିଲକ୍ଷିତ ହେଉନି। ଭଦ୍ରକ ପୌର ନିର୍ବାଚନରେ କାଉନସିଲର ପଦ ପାଇଁ ନେତା ଯେତିକି ଆଶାୟୀ ନୁହେଁ। ଏଥର ସିଧାସଳଖ ପୌରାଧ୍ୟକ୍ଷା ପଦ ପାଇଁ ନିର୍ବାଚନ ଲଢିବା ନେଇ ବହୁ ନାରୀନେତ୍ରୀଙ୍କ ନାମ ଚର୍ଚ୍ଚାକୁ ଆସିଛି। ଭଦ୍ରକର ବିଜେଡି ନେତ୍ରୀ ଦେବାହୁତୀ ମହାପାତ୍ର, ତାହେରା ଖାତୁନ୍, ଆଇନଜୀବୀ ଅମିତାବାଳା ଆଚାର୍ଯ୍ୟ, ଗୁଲମଖି ହବିବ୍, ସମିତା ମିଶ୍ର, ଅଞ୍ଜନା ମିଶ୍ରଙ୍କ ନାମ ଚର୍ଚ୍ଚାରେ ରହିଛି। ସେହିପରି ବିଜେପି ଦଳର ପୌରାଧ୍ୟକ୍ଷା ପଦ ପାଇଁ ପୂର୍ବତନ ଭଦ୍ରକ ପୌର ଉପାଧ୍ୟକ୍ଷା ଗୀତରାଣୀ ପଢିହାରୀଙ୍କ ନାମ ଚର୍ଚ୍ଚାରେ ରହିଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ଏବେ ସୁଦ୍ଧା କାହାରିଙ୍କ ନାମ ଆଲୋଚନାକୁ ଆସି ନାହିଁ। ୩୦ ୱାର୍ଡ ବିଶିଷ୍ଟ ଭଦ୍ରକ ପୌର ପରିଷଦର ନିର୍ବାଚନ ପାଇଁ ଏବେ ଏଇ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଦେବା ସହ ଅନେକ ସ୍ବାଧୀନ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି।