ଭଦ୍ରକ ଟ୍ରକ୍‌ ଟ୍ରାଜେଡିର ଦିନକ ପରେ ଗାଁ ଶ୍ମଶାନ, ସ୍ୱର୍ଗଦ୍ୱାରରେ ଜୁଇ ଜଳିଲା

ଶୋକରେ ଡୁବିଲା ଅସୁରା ହାଟସାହି ଗାଁ, ଥମୁନି କାନ୍ଦବୋବାଳି, ଗ୍ରାମବାସୀ ସ୍ତବ୍ଧ

ଭଦ୍ରକ : ରାଣୀତାଲ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାର ଦିନକ ପରେ ବି ଦୁଃଖ ଓ ଶୋକରେ ବୁଡ଼ି ରହିଛନ୍ତି ଭଦ୍ରକବାସୀ। ଜୀବନ କ’ଣ ଜାଣିବା ପୂର୍ବରୁ ଦୁର୍ଘଟଣାରେ ଜୀବନ ହରାଇଥିବା ୫ ଛାତ୍ରଛାତ୍ରୀଙ୍କ ଘରେ କାନ୍ଦବୋବାଳି ଥମିବାର ନାଁ ନେଉନି। ଭଦ୍ରକ ହସ୍ପିଟାଲରୁ ବ୍ୟବଚ୍ଛେଦ ପରେ ଘର ଲୋକଙ୍କୁ ଫେରାଇ ଦିଆଯାଇଥିବା ୪ ଛାତ୍ରଛାତ୍ରୀଙ୍କ ଶବ ଆଜି ଭୋର୍‌ରେ ଗାଁ ଶ୍ମଶାନରେ ଦାହ କରାଯାଇଛି। ଅନ୍ୟ ଜଣେ ଛାତ୍ର ସତ୍ୟବ୍ରତଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ କରାଯାଇଛି।

ଗତକାଲି ଅପରାହ୍ନ ୪ ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ୧୦ ଚକିଆ ଟ୍ରକ୍‌ ଧକ୍କାରେ ସତ୍ୟବ୍ରତ ବାରିକ, ଶ୍ୱେତା ଶାହା, ସୁକାନ୍ତ ସାହୁ, କଳ୍ପନା ଜେନା ଓ ପ୍ରିୟମ୍ବଦା ମହାନ୍ତି ଆଦି ନବମ ଶ୍ରେଣୀରେ ପଢ଼ୁଥିବା ୫ ଛାତ୍ରଛାତ୍ରୀଙ୍କ ପ୍ରାଣ ହରାଇଥିଲେ। ଆହତ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ କଟକ ପଠାଯାଇଥିବାବେଳେ ଅନ୍ୟମାନେ ଭଦ୍ରକସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ମୃତ ଛାତ୍ରଛାତ୍ରୀଙ୍କର ଶବ ବ୍ୟବଚ୍ଛେଦ କରାଯାଇ ବିଳମ୍ବିତ ରାତିରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଆଜି ଭୋର୍‌ରେ ସତ୍ୟବ୍ରତଙ୍କୁ ଛାଡ଼ି ଅନ୍ୟ ୪ ଜଣ ପିଲାଙ୍କ ଅନ୍ତିମ ସଂସ୍କାର ଅସୁରା ହାଟସାହି ଶ୍ମଶାନରେ କରାଯାଇଥିଲା। ଶ୍ମଶାନରେ ଗୋଟିଏ ପରେ ଗୋଟିଏ ୪ ଜଣ କୁନି କୁନି ପିଲାଙ୍କର ଜୁଇ ଜଳୁଥିବାର ଏଇ ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଓ ମନରେ କୋହ ଭରି ଦେଇଥିଲା। ନିଜ ହୃଦୟର ଟୁକୁଡ଼ାମାନଙ୍କୁ ହରାଇ ବାପା,ମା’ ଓ ପରିବାର ଲୋକେ ମୁଣ୍ଡ ପିଟି କାନ୍ଦୁଥିବାବେଳେ ଉପସ୍ଥିତ ଗ୍ରାମବାସୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ବି କୋହ ସମ୍ବରଣ କରି ପାରୁନଥିଲେ।

ସମସ୍ତଙ୍କ ଆଖିରୁ ଧାର ଧାର ହୋଇ ଲୁହ ଗଡ଼ୁଥିଲା। ହାଟସାହି ଶ୍ମଶାନ ପଡ଼ିଆରେ ୪ଟି କଅଁଳ ଭବିଷ୍ୟତର ଜୁଇ ହୁତହୁତ୍‌ ହୋଇ ଜଳି ଯାଉଥିବା ବେଳେ ସମସ୍ତଙ୍କ ଆଖିରେ ଥିଲା ଲୁହ ଆଉ ଲୁହ।

ଅନ୍ୟପକ୍ଷରେ ୫ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଆଜି ସେମାନେ ପାଠ ପଢ଼ୁଥିବା ରାଣୀତାଲ ହାଇସ୍କୁଲରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗତକାଲିର ଦୁର୍ଘଟଣାରେ ଭୟଭୀତ ହୋଇ ଅନେକ ପିଲା ସ୍କୁଲ ଆସି ନ ଥିବାବେଳେ ଯେଉଁମାନେ ଆସିଥିଲେ ସମସ୍ତଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇ ପଡ଼ୁଥିବା ନିଜ ସାଙ୍ଗପିଲାମାନଙ୍କୁ ହରାଇବାର ଦୁଃଖ। କିଏ ନିଜର ପ୍ରିୟ ସାଙ୍ଗକୁ ହରାଇ ବାହୁନି ବାହୁନି କାନ୍ଦୁଥିଲା ତ କିଏ ମୃତ ସହପାଠୀମାନଙ୍କୁ ଝୁରି ହେଉଥିଲା। ମୃତ ପିଲାମାନଙ୍କ ଆତ୍ମାର ସଦ୍‌ଗତି ପାଇଁ ଏକ ଶୋକସଭା ଅନୁଷ୍ଠିତ ହେବା ପରେ ସ୍କୁଲ ଛୁଟି କରି ଦିଆଯାଇଥିଲା।

ଆଜି ଏଇ ଘଟଣାର ଗୁରୁତ୍ଵ ଉପଲବ୍ଧି କରି ରାଜ୍ୟ ଶିକ୍ଷା ଅଧିକାର ସୁରକ୍ଷା କମିଟିର ଅଧ୍ୟକ୍ଷା ସଂଧ୍ୟା ଭଦ୍ରକରେ ପହଞ୍ଚିଥିଲେ। ସେ ପ୍ରଧାନ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପରେ ମେଡିକାଲରେ ଆହତଙ୍କୁ ଭେଟିବା ପରେ ହାଟସାହି ଗାଁକୁ ଯାଇ ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସହାୟତା ରାଶି ଖୁବ୍‌ଶୀଘ୍ର ସେମାନଙ୍କୁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର