ଭୁବନେଶ୍ବର : ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଭଦ୍ରକ ଓ କଟକ ରେଳ ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ୍‌ ପ୍ରକଳ୍ପ କାର୍ଯ୍ୟ ୫୦% ଶେଷ ହୋଇଛି। ହରିଦାସପୁର ଓ ବୈରୀ ମଧ୍ୟରେ ୧୬.୮୦ କିମି ଦୈର୍ଘ୍ୟ ରେଳ ମାର୍ଗ ମେ’ ପ୍ରଥମ ସପ୍ତାହରେ ଶେଷ ହୋଇଛି। ଏହି ମାର୍ଗ କାର୍ଯ୍ୟ ୨୦୨୩ ଜୁନ୍ ଶେଷ ସପ୍ତାହ ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଶୀଘ୍ର କାର୍ଯ୍ୟ ସାରିବା ଉପରେ ବିଶେଷ ଧ୍ୟାନ ଦେବାକୁ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା କହିବା ସହ ରାଜ୍ୟ ସରକାରଙ୍କ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Advertisment

୯୨.୧୯ କିମି ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ ପ୍ରକଳ୍ପ ୨୦୧୨-୧୩ରେ ଅନ୍ତର୍ଭୁକ୍ତ ହୋଇଥିଲା ଏବଂ ୨୦୧୫ ଅକ୍ଟୋବରରେ ଅନ୍ତିମ ମଞ୍ଜୁରି ଦିଆଯାଇଥିଲା। ୨୦୧୬ ଏପ୍ରିଲରେ ଯଖପୁରା ଏବଂ ହରିଦାସପୁର ମଧ୍ୟରେ ୨୩.୫୩ କିମି ରେଳ ମାର୍ଗ, ୨୦୧୯ ମେ’ରେ କପିଳାସ ରୋଡ୍‌ଠାରୁ ଶାଳଗାଁ ପର୍ଯ୍ୟନ୍ତ ୪.୩୦ କିମି ରେଳ ମାର୍ଗ ଏବଂ ୨୦୨୨ ଅକ୍ଟୋବରରେ କପିଳାସ ରୋଡ୍‌ଠାରୁ ନିର୍ଗୁଣ୍ଡି ପର୍ଯ୍ୟନ୍ତ ୪.୨୦ କିମି ରେଳ ମାର୍ଗ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହୋଇଛି। ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ମାର୍ଗ ବଳକା କାର୍ଯ୍ୟ ୨୦୨୩-୨୪ ଆର୍ଥିକ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପ୍ରକଳ୍ପର ସର୍ବଶେଷ ଆନୁମାନିକ ମୂଲ୍ୟ ୧୨୮୪.୩୯ କୋଟି ଥିବା ବେଳେ ଏବେ ସୁଦ୍ଧା ୬୪୮.୬୮ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଓଡ଼ିଶାରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପ ସହ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି। ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ୍‌ କାର୍ଯ୍ୟ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ। ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଅସୁବିଧାଜନକ ଟ୍ରେନ୍ ଚଳାଚଳକୁ ଏଡ଼ାଇ ଦେଇପାରିବ।