ଭଦ୍ରକ ଶ୍ରୀରାମ ନବମୀ: ସବୁଠି ଶ୍ରୀରାମ ଧ୍ବନୀ, ୮୧ରୁ ଊର୍ଦ୍ଧ୍ବ ମେଢ ନଗର ସଂକୀର୍ତ୍ତନରେ ସାମିଲ

ଅପରାହ୍ନ ୩ଟାରୁ ନଗର ସଂକୀର୍ତ୍ତନ ଜାରି, ସହରରେ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ

ଭଦ୍ରକ: ଐତିହାସିକ ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞ ପାଇଁ ଭଦ୍ରକ ସହର ଲୋକାରଣ୍ୟ ହୋଇଛି। ପୂର୍ଣ୍ଣାହୁତି ପୂର୍ବରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଗୁରୁବାର ଶେଷ ଦିନରେ ନଗର ସଂକୀର୍ତ୍ତନରେ ଲକ୍ଷାଧିକ ଶଦ୍ଧାଳୁ ଶ୍ରୀରାମ ଭକ୍ତ ସାମିଲ ହୋଇଛନ୍ତି। ନଗର ସଂକୀର୍ତ୍ତନ ଅପରାହ୍ନ ୩ ଟାରୁ ସ୍ଥାନୀୟ ନେହେରୁ ଷ୍ଟାଡିୟମରୁ ବହାରିଛି। ଭଦ୍ରକ ସହର ବନ୍ତ ଛକ, ଅପର୍ତ୍ତିବିନ୍ଧାଛକ ଦେଇ କଚେରୀ ରୋଡ, ଟାଉନହଲ ଛକ, ନୂଆବଜାର, କୁଆଁଶ, କୋଦମ୍ବବେଡା, ଚନ୍ଦନବଜାର, ପୁରୁଣାବଜାର, ଶଙ୍କରପୁର, ଲାହାପଟି, ସନ୍ଥିଆ ଦେଇ ମେଢ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଗାନ୍ଧୀ ପଡ଼ିଆସ୍ଥିତ ଶ୍ରୀରାମ ନବମୀ ମହାଯଜ୍ଞ ମଣ୍ଡପଠାରେ ମିଳିତ ହେବେ। ଏଇ ନଗର ସଂକୀର୍ତ୍ତନରେ ସାମିଲ ହୋଇଛନ୍ତି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୮୧ରୁ ଊର୍ଦ୍ଧ୍ବ ଆକ‌ର୍ଷଣୀୟ ମେଢ। ସବୁ ମେଢରେ ଆକର୍ଷଣୀୟ ଆଲୋକସଜା କରାଯାଇଛି। ପାରଂପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ନାଚି ଥିଲେ ସବୁ ଭକ୍ତ। ଜୟ ଶ୍ରୀ ରାମ ଧ୍ବନୀ ଓ ବଜରଙ୍ଗୀ ଧ୍ବନୀରେ କମ୍ପିଛି ଭଦ୍ରକର ଗାଁ ଠୁଁ ସହର।

ନଗର ସଂକୀର୍ତ୍ତନରେ ସାମିଲ ହୋଇଥିଲେ ‌ବଙ୍କସାହି, ଗେଲପୁର, ସନ୍ଥିଆ, ଜଗନ୍ନାଥପୁର, ବାଗୁରାଇ, ଜାନୁଗଂଜ, କାରିଘରିଆ, କୁଆଁଶ, ଅପର୍ତ୍ତିବିନ୍ଧା, ଅସ୍ଥଳ, ମଠସାହି, ଚରମ୍ପା, ଗବସାହି, ଗେଲଟୁଆ, ଲାହାପଟି, ଗରଦପୁର, ଉତ୍ତରବାହିନୀ, ଭଦ୍ରକାଳୀ ସାହି, ବେନ୍ତାଳ, ଇଚ୍ଛାପୁର, ଏରେଇ, ପାଟଣାସାହି, ସାମରାଇପୁର, ଜଳଙ୍ଗା, ଇଚ୍ଛାପୁର ମେଢ। ସେହିପରି ବିଭିନ୍ନ ବ୍ଲକରୁ ସୁସଜ୍ଜିତ ହୋଇ ଆସିଥିବା ମେଢ ନଗର ସଂକୀର୍ତ୍ତନରେ ସାମଲ ହୋଇଛନ୍ତି। ଭଦ୍ରକ ସହର ଆଜି ଦିନ ତମାମ ଲୋକାରଣ୍ୟ ହୋଇଥିବା ବେଳେ ସାରା ସହର ଗେରୁଆମୟ ହୋଇଥିଲା। ବିଭିନ୍ନ ସ୍ଥାନରେ ସଂକୀର୍ତ୍ତନ ଦଳ ଓ ଭକ୍ତମାନଙ୍କୁ ଦହି ପଣା, ଆଇସକ୍ରିମ, ଅନ୍ନ ଭୋଗ, ଖିଚୁଡି, ପ୍ରସାଦ ଆଦି ବଣ୍ଟନ କରାଯାଇଥିଲା। ନଗର ସଂକୀର୍ତ୍ତନରେ ଦଳ ମତ ନିର୍ବିଶେଷରେ ସବୁ ନେତା ଓ ସବୁ ବର୍ଗର ଲୋକ ସାମିଲ ହୋଇଥିଲେ।

ଭଦ୍ରକର ଶ୍ରୀରାମ ମହାଯଜ୍ଞ କମିଟିର ସଭାପତି ବରିଷ୍ଟ ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ର, ବରିଷ୍ଠ ବିଜେପି ନେତା ମନ ମୋହନ ସାମଲ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଅଭିମନ୍ୟୁ ସେଠୀ, ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀ, ଡାକ୍ତର ପ୍ରଦୀପ ନାୟକ, ବଦ୍ରୀନାରାୟଣ ଧଳ, ମାଧବାନନ୍ଦ ମଲ୍ଲିକ, ମନସ୍ମିତା ଖୁଣ୍ଟିଆ, ହରପ୍ରିୟା ସାହୁ, ଅମ୍ବିକା ଦାସ, ମହାଯଜ୍ଞ କମିଟିର କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସାଧାରଣ ସଂପାଦକ ଶରତ ପଢିହାରୀ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ସହ ସଂଯୋଜକ ତପନ କୁମାର ମହାନ୍ତି, କୋଷାଧ୍ୟକ୍ଷ ନିରିଂଜନ ସାହୁ, ସହ କୋଷାଧ୍ୟକ୍ଷ ଭଗବାନ ପଣ୍ଡା, ସଭ୍ୟ ଅମ୍ବିକା ଦାସ ପ୍ରମୁଖ ସାମିଲ ହୋଇଥିଲେ।

ଏଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଧୁ ସନ୍ଥ ଯୋଗଦେଇଛନ୍ତି। କାର୍ଯ୍ୟକ୍ରମରେ ମହାଯଜ୍ଞ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଛନ୍ତି। ନଗର ସଂକୀର୍ତ୍ତନ ଓ ଶୋଭାଯାତ୍ରରେ ଶାନ୍ତି ଶୃଙ୍ଖଳା ରକ୍ଷାକରିବା ପାଇଁ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏଥିପାଇଁ ୧୫୦ରୁ ଊର୍ଦ୍ଧ୍ବ ପୁଲିସ ଅଫିସରଙ୍କୁ ସହରର ଛକ ସ୍ଥାନରେ ମୁତୟନ କରାଯାଇଛି। ଶାନ୍ତି ଶୃଙ୍ଖଳାର ରକ୍ଷା ପାଇଁ ଭଦ୍ରକ ଏସପି ବରୁଣ ଗୁଣ୍ଠୁପାଲିଙ୍କ ନିର୍ଦ୍ଦେଶରେ ଭଦ୍ରକ ସହରର ବିଭିନ୍ନ ଛକ ସ୍ଥାନରେ ପୁଲିସ ଅଧିକାରୀ ମୁତୟନ ହୋଇଛନ୍ତି। ଭଦ୍ରକରେ ଏଇ ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞ ପାଳନ ଅବସରରେ ଜୟ ଶ୍ରୀରାମ ଧ୍ବନୀରେ କମ୍ପୁଛି ଭଦ୍ରକ ସହର। ସାରା ସହର ହୋଇଛି ଗେରୁଆ ମୟ। ସବୁ କୋଠା ଉପରେ ଉଡୁଛି ହନୁମାନ ଓ ଶ୍ରୀରାମଙ୍କର ଗେରୁଆ ପତାକା। ବିଭିନ୍ନ ଛକ ସ୍ଥାନରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଇଛି। ରାମ ଭକ୍ତଙ୍କର ବାଇକ୍‌ରେ ଲାଗିଛି ଗୋରୁଆ ପତାକା ମୁଣ୍ଡରେ ଳାଗିଛି ଗେରୁଆ ପଟି। ରାମ ଭକ୍ତଙ୍କ ଅପୂର୍ବ ସମାଗମରେ ଭଦ୍ରକ ସହର ହୋଇଛି ଉତ୍ସବ ମୁଖର। ଏଇ ନଗର ସଂକୀର୍ତ୍ତନ ଓ ମହାଯଜ୍ଞରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ପୁଲିସ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ସହଯୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର