ଭଦ୍ରକରେ ସଦ୍‌ଭାବନା ସମାରୋହ

‘ସଦ୍‌ଭାବନା ନ ରହିଲେ ସମାଜ ତିଷ୍ଠିବ ନାହିଁ’

ଭଦ୍ରକ: ଥିଙ୍କ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ସଦ୍‌ଭାବନା ସମାରୋହ ଆଜି ସନ୍ଧ୍ୟାରେ ଭଦ୍ରକ ସହିଦ୍‌ ସ୍ମୃତି ଭବନ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ଭିଜିଲାନସ୍‌ ଡିଜି ତଥା ବିଶିଷ୍ଟ କଥାକାର ଡ. ଦେବାଶିଷ ପାଣିଗ୍ରାହୀ ସମାରୋହକୁ ଉଦ୍‌ଘାଟନ କରି କହିଲେ ସାହିତ୍ୟ ଓ ସଂସ୍କୃତିର ବିକାଶ ହେଲେ ମଣିଷ ଭିତରେ ଭଲପାଇବା ବଢେ। ଭଲପାଇବା ବଢିଲେ ନିଜ ନିଜ ଭିତରେ ସଦ୍‌ଭାବନା ବଢେ। ପରସ୍ପର ମଧ୍ୟରେ ସଦ୍‌ଭାବନା ବୃଦ୍ଧି ହେଲେ ମଣିଷକୁ ଶାନ୍ତି ମିଳେ ବୋଲି ସେ ମତ ଦେଇଥିଲେ। ସମ୍ମାନିତ ଅତିଥି ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ. ଯତୀନ୍ଦ୍ର ନାୟକ ଯୋଗ ଦେଇ ସଦ୍‌ଭାବନା ସଂପର୍କରେ ଆଲୋକପାତ କରିଥିଲେ। ଥିଙ୍କ୍‌ ଫାଉଣ୍ଡେସନ୍‌ର ସଦସ୍ୟ ସ୍ତମ୍ଭକାର ଅଭୟ ଦ୍ଵିବେଦୀ ସମାରୋହରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଫାଉଣ୍ଡେସନର ମାନେଜିଂ ଟ୍ରଷ୍ଟି କୈଳାସ ସିଂ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇନଜୀବୀ କଲ୍ୟାଣ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ସମାରୋହର ପ୍ରଥମ ଅଧିବେଶନରେ ‘ସଦ୍‌ଭାବନା ଏକ ସାମାଜିକ ମନ୍ତ୍ର’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପୌରୋହିତ୍ୟ କରି କେନ୍ଦ୍ର ସାହିତ୍ୟ ଏକାଡେମିର ରାଜ୍ୟ ଆବାହକ, ବିଶିଷ୍ଟ କଥାକାର ତଥା ‘ସମ୍ବାଦ’ର ସଂପାଦକ (ଫିଚର) ଗୌରହରି ଦାସ ବକ୍ତବ୍ୟ ରଖିଥିଲେ। ସେ କହିଲେ ସଦ୍‌ଭାବନା ଆମ ସମସ୍ତଙ୍କ ଶାନ୍ତିର ମୂଳମନ୍ତ୍ର ହେଉ। ପ୍ରତି ପରିବାର ଓ ସମାଜ ଭିତରେ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ରହୁ। ଏପରି ଭାବ ଓ ଆବେଗ ରହିଲେ ସେ ପରିବାର ଓ ସମାଜରେ ଲୋକେ ସୁଖ ଓ ଶାନ୍ତିରେ ସହାବସ୍ଥାନ କରିବେ। ଆମ ଭିତରେ ସଦ୍‌ଭାବନା ନ ରହିଲେ ସମାଜ ତିଷ୍ଠିବ ନାହିଁ ବୋଲି ଡ. ଦାସ ନିଜ ବକ୍ତବ୍ୟରେ କହିିଥିଲେ। ଆଲୋଚନାଚକ୍ରର ଅନ୍ୟତମ ବକ୍ତା ବିଜେପି ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଲେ ଏବେ ଆମ ଭିତରେ ସଦ୍‌ଭାବନା କମି କମି ଯାଉଛି। ଅନ୍ୟର ଖୁସି କଥା ଶୁଣିଲେ, ଆମେ ଖୁସି ହୋଇପାରୁ ନାହୁଁ। ଅନ୍ୟର କୌଣସି ଏକ ଭଲ କଥା ଆମକୁ ଭଲ ଲାଗୁନାହିଁ। ଅନ୍ୟକୁ ଭଲ ନ ପାଇଲେ, ତା’ର କଳା, ସାହିତ୍ୟ, ସଂସ୍କୃତି ଓ ଧର୍ମକୁ ଆପଣାର କରି ନ ପାରିଲେ ଆମ ଭିତରେ ସଦ୍‌ଭାବନା ରହିବ ନାହିଁ। ବିବିଧତା ମଧ୍ୟରେ ଏକତା ହେଉଛି ସଦ୍‌ଭାବନାର ମୂଳ ମନ୍ତ୍ର ବୋଲି ସେ କହିଥିଲେ। ସଭାରେ ଭଦ୍ରକ ଚଉଦ ମହଲା ମୁସଲିମ୍‌ ଜମାତର ସଭାପତି ମହମ୍ମଦ ଅବଦୁଲ ବାରି ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଭଦ୍ରକ ଏକ ଭାଇଚାରା ଓ ଭଲ ପାଇବାର ମାଟି ବୋଲି କହିଥିଲେ। ସେ କହିଲେ ଏଠି ଉଭୟ ହିନ୍ଦୁ ଓ ମୁସଲମାନ ଭାଇଙ୍କ ଭିତରେ ଭାବଗତ ଆବେଗ ବେଶ୍‌ ଅତୁଟ ରହିଛି। ଆଗାମୀ ଦିନରେ ଏଇ ସଦ୍‌ଭାବନା ମଧ୍ୟ ଅତୁଟ ରହିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ପ୍ରଫେସର କୈଳାସ ମହାପାତ୍ର କହିଲେ ଅନ୍ୟର ଧର୍ମ, ସଂସ୍କୃତି ଓ କଳା- ସାହିତ୍ୟ ପ୍ରତି ଭଲପାଇବା ନ ରହିଲେ ସଦ୍‌ଭାବନା ରହିବ ନାହିଁ। ଅନ୍ୟକୁ ଭଲ ପାଇଲେ ସଦ୍‌ଭାବନା ବଢେ ବୋଲି ସେ ମତ ରଖିଥିଲେ। ଶେଷରେ ଅଭିଜିତ୍‌ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋହରେ ଭଦ୍ରକ ସହରର ବହୁ ବୁଦ୍ଧିଜୀବୀ ଓ ସାହିତ୍ୟିକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର