ଭଦ୍ରକ ସହରରେ ଆହୁରି ୨୨ ଘଣ୍ଟା ଯାଏଁ ବନ୍ଦ ରହିବ ଇଣ୍ଟରନେଟ୍‌ ସେବା

ରାମନବମୀ ପାଇଁ ୫୦ ପ୍ଲାଟୁନ ପୁଲିସ ମୁତୟନ, ୧୪୪ ଧାରା କୋହଳ

ଭଦ୍ରକ: ରାମନବମୀ ପାଇଁ ଓଡ଼ିଶା ପ୍ରସିଦ୍ଧ ଭଦ୍ରକ ଉତ୍ସବ ମୁଖର ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ସହରରେ ଆହୁରି ୨୨ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ। ଭୁବନେଶ୍ୱରସ୍ଥିତ ସାଇବର ସେଲରୁ ଆଇଆଇସି ବି.ଆର୍‌. ସୁନ୍ଦର ରାଜ ଓ ଦୀପ୍ତି ରଂଜନ ମହାନ୍ତି ଭଦ୍ରକ ପହଞ୍ଚି ଇଣ୍ଟରନେଟ୍‌ ସେବା ଉପରେ ଅନୁଧ୍ୟାନ କରି ଶନିବାର ଏହି ଅତ୍ୟାଧୁନିକ ସେବାକୁ ବନ୍ଦ କରି ଦେଇଛନ୍ତି। ଇଣ୍ଟରନେଟ୍‌ ସେବା ବନ୍ଦ କରାଯିବା ପୂର୍ବରୁ ପୂର୍ବତନ ଭଦ୍ରକ ଏସ୍‌ପି ଅନୁପ ସାହୁ ଓ ବର୍ତ୍ତମାନ ଏସ୍‌ପି ପି ଗଙ୍ଗାଧର ବାତୁଲା, ଉତ୍ତରାଞ୍ଚଳ ଆଇଜି ବିନୟତୋଷ ମିଶ୍ରା ସମେତ ରାଜ୍ୟର ବଛାବଛା ବରିଷ୍ଠ ଡିଏସ୍‌ପି, ଏସଡିପିଓ ଓ ଆଇଆଇସିଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଭଦ୍ରକରେ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍‌ ସେବା ଉପରେ ରୋକ୍‌ ଲଗାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି। ଏଥି ସହିତ ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ସେ କହିଛନ୍ତି। ରବିବାର ରାମନବମୀ ପାଇଁ ସହରରେ ୫୦ ପ୍ଲାଟୁନ ପୁଲିସ ଓ ୧୦୦ ପୁଲିସ ଅଧିକାରୀ ମୁତୟନ ହୋଇଛନ୍ତି। ସେହିଭଳି ୧୪୪ ଧାରା ଆଜି ମଧ୍ୟାହ୍ନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କୋହଳ କରି ଦିଆଯାଇଛି।

ରାମନବମୀ ମହାଯଜ୍ଞ ଅବସରରେ ରବିବାର ଅପରାହ୍ନ ୩ଟାରେ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହୋଇଛି। ଏଥିରେ ସାଧୁ ଓ ସନ୍ଥମାନେ ମଧ୍ୟ ଯୋଗଦେଇଛନ୍ତି। ୧୯୯୧ରୁ ଆରମ୍ଭ ହୋଇଥିବା ରାମନବମୀ ମହୋତ୍ସବରେ ଶୁକ୍ରବାର କଳସ ଯାତ୍ରାରେ ୫୦୦୮ ଜଣ ମହିଳା ସାମିଲ ଥିଲେ। ଏହି ଯାତ୍ରାରେ ୧୦,୦୦୦ରୁ ଅଧିକ ରାମଭକ୍ତ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର