ଭଦ୍ରକରେ ୨୯୮୭ ରକ୍ତ ନମୁନାରୁ ୧୬୪୭ର ରିପୋର୍ଟ ନେଗେଟିଭ୍ , ୧୮ କଣ୍ଟେନମେଣ୍ଟ ଜୋନ୍ ଉପରେ ପୁଲିସର ନଜର

ଭଦ୍ରକ,୨୭/୪(ଇମିସ): ଭଦ୍ରକ ଜିଲ୍ଲାରେ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କ ମନରେ ଆତଙ୍କ ଖେଳିଯାଇଥିଲା | ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୨୯୮୭ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ଟେଷ୍ଟ ହେବାକୁ ପରୀକ୍ଷାଗାରକୁ ଯାଇଥିବାବେଳେ ସେଥିରୁ ୧୬୪୭ଟି ରକ୍ତ ନମୁନାର ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୧୬ ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ସୁଦ୍ଧା ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ୍ କରି ଜଣାଇଛନ୍ତି। ଜିଲ୍ଲାରେ ଆହୁରି ୧୩୨୪ ଜଣଙ୍କର ସଂଗୃହିତ ରକ୍ତ ନମୁନାର ପରୀକ୍ଷା ରିପୋର୍ଟ ଆସିନାହିଁ। ଏଇ ପରୀକ୍ଷା ରିପୋର୍ଟ କଣ ଆସିବ ତାହା ଉପରେ ଜିଲ୍ଲାବାସୀଙ୍କର ନଜର ରହିଛି। ଜିଲ୍ଲାରେ ଆହୁରି ଅନେକ କଲିକତା ଫେରନ୍ତା ଓ ଅନ୍ୟ ରାଜ୍ୟରୁ ଆସି ଘରେ ଲୁଚି ରହିଥିବା ବେଳେ ସଠିକ୍ ରିପୋର୍ଟ ଆସିପାରୁନଥିବା ଜଣାପଡିଛି। ଏହି ଲୋକମାନେ ନିଜ ପରିବାର ଓ ରାଜ୍ୟ ପାଇଁ ଭୟଙ୍କର ସ୍ଥିତି ସୃଷ୍ଟି କରିବାକୁ ଯାଉଛନ୍ତି। ଯେଉଁମାନେ ଲୁଚି ରହିଛନ୍ତି, ସେମାନେ ନିଜ ଆଡୁ ରକ୍ତ ନମୁନା ପରୀକ୍ଷା କରିବାରେ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଜି ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲାରେ ଗତକାଲି ସଟଡାଉନ୍ କଟକଣା ହଟିବା ପରେ ସହରରେ ଲୋକମାନେ ସାମାଜିକ ଦୂରତା ଭୁଲି ଯାଇ ଦୋକାନ ବଜାରରେ ଏଭଳି ଗହଳି କଲେ, ଯେମିତି ଏହା ମଣିଷମାନଙ୍କର ହାଟ ଦୃଶ୍ୟମାନ ହେଲା। ଏକ ମାସର ଲକ୍ ଡାଉନ୍ ଓ ସଟ୍ ଡାଉନର ବ୍ରତ ପାଣିରେ ପଡିଲା। ଲୋକଙ୍କ ଜୀବନ ଆଗ ନାଁ ବେପାର ଆଗ ବୋଲି ମଧ୍ୟ ପ୍ରଶ୍ନ ଉଠିଲା। ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାପାଳ ଓ ଏସପି ଭଦ୍ରକ ସହରରେ କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ଦେବା ପରେ ଆଜି ସହରର ସବୁ ପ୍ରବେଶ ପଥକୁ ସିଲ୍ କରାଯାଇଥିଲା। ଲୋକଙ୍କ ଗମନାଗମନ ଉପରେ ନଜର ରଖାଯିବା ସହ ବେପାରୀମାନଙ୍କ ଚଳପ୍ରଚଳ ଉପରେ ପୁଲିସ ନଜର ରଖିଥିଲା। ଜିଲ୍ଲାର ବାସୁଦେବପୁର, ତିହିଡି, ଧାମନଗର, ଭଣ୍ଡାରିପୋଖରୀ ବ୍ଲକର ୧୮ ପଞ୍ଚାୟତରେ ୮୨ ଗାଁକୁ ସିଲ୍ କରାଯାଇ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଏଇ ସବୁ ଜୋନ୍ ଉପରେ ପୁଲିସ ଦିନ ରାତି କଡା ପହରା ଦେଉଥିବା ନେଇ ଏସପି ସମ୍ବାଦକୁ କହିଛନ୍ତି। ସେହିପରି ଜିଲ୍ଲାରେ ୨୪ ଘଣ୍ଟା‌ ମଧ୍ୟରେ କରୋନା କଟକଣାକୁ ଭାଙ୍ଗି ଥିବା କିଛି ଅମାନିଆ ଲୋକଙ୍କର ୧୯୨ ଟି ମଟର ସାଇକେଲ ଜବତ କରାଯାଇ ଫାଇନ ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର