ଭଦ୍ରକ ଜିଲ୍ଲାକୁ ଫେରିଛନ୍ତି ୧୭୨୫ ପ୍ରବାସୀ, ସଙ୍ଗରୋଧରେ ଅଛନ୍ତି ୪୭୯୦ଜଣ

ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ଏମାନଙ୍କ ଭିତରୁ ଜଣେ ଦୁବାଇ ଫେରନ୍ତା ଥିବା ବେଳେ, ୨ଜଣ ଦିଲ୍ଲୀ ଫେରନ୍ତା, ୧୮ଜଣ କୋଲକାତା ଫେରନ୍ତା ଏବଂ ୪ଜଣ ସୁରତ ଫେରନ୍ତା ଥିବା ଜଣାଯାଇଛି।
ସେମାନଙ୍କ ମଧ୍ୟରୁ ଏଯାବତ୍ ୧୨ଜଣ ସୁସ୍ଥ ହୋଇଥିବା ବେଳେ, ୧୩ଜଣ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି।

ଏଯାଏଁ ଭଦ୍ରକ ଜିଲ୍ଲାକୁ ୧୭୨୫ଜଣ ପ୍ରବାସୀ ଫେରନ୍ତା ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୧୩୦୦ ଜଣ ସୁରତ ଫେରନ୍ତା ବୋଲି ଜଣାଯାଇଛି। ଏହାଛଡ଼ା ୪୦୦ଜଣ କୋଲକାତା ଫେରନ୍ତା ଏବଂ ୨୫ଜଣ କୋଟା ଫେରନ୍ତା ଥିବା ଜଣାପଡ଼ିଛି।
ଏବେ ଭଦ୍ରକ ଜିଲ୍ଲାରେ ୪୭୯୦ଜଣ ସଙ୍ଗରୋଧରେ ରହିଛନ୍ତି। ଜିଲ୍ଲାର ସମସ୍ତ ସଙ୍ଗରୋଧ କେନ୍ଦ୍ରରୁ ଶହେ ମିଟର ଦୂରତା ଯାଏଁ ୧୪୪ ଧାରା ଜାରି କରାଯାଇଛି।


ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାରୁ ଆଜି ଜଣେ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ତଥ୍ୟ ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଉକ୍ତ କରୋନା ଆକ୍ରାନ୍ତ ତିହିଡି ବ୍ଲକ ଅନ୍ତର୍ଗତ କୁବେରା ପଞ୍ଚାୟତର। ସେ ଜଣେ ସୁରତ ଫେରନ୍ତା ବୋଲି ବି କୁହାଯାଇଛି।

ତିହିଡି ବ୍ଲକରୁ ଗତ କିଛି ଦିନ ଭିତରେ ୧୮୭ଜଣ ସୁରତ ଫେରନ୍ତାଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କର ସ୍ବାବ୍ ସଂଗ୍ରହ କରାଯାଇ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା। ସେମାନଙ୍କ ଭିତରୁ ମାତ୍ର ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ଏଣେ ଭଦ୍ରକରେ ଏହି କରୋନା ଆକ୍ରାନ୍ତ ତିହିଡି ବ୍ଲକ ଅନ୍ତର୍ଗତ କୁବେରା ପଞ୍ଚାୟତର ବୋଲି ଜଣାଯିବା ପରେ ଉକ୍ତ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୨୪ରେ ପହଞ୍ଚିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର