ଭଦ୍ରକ: ଭଦ୍ରକ ଜିଲ୍ଲାରେ ଯେଉଁ ନୂଆ ୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୫ ଜଣ ସୁରତ ଫେରନ୍ତା, ୩ଜଣ ପଶ୍ଚିମବଙ୍ଗ ଓ ଜଣେ କୋଲକାତା ଫେରନ୍ତା ବୋଲି ଜଣାଯାଇଛି। ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି | ଏମାନଙ୍କ ଭିତରୁ ବାସୁଦେବପୁର ବ୍ଳକରୁ ୫, ଭଦ୍ରକ ବ୍ଳକରୁ ୨ ଜଣ ବନ୍ତ ଏବଂ ଭଣ୍ଡାରିପୋଖରୀ ବ୍ଳକରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତେ ନିଜ ନିଜ ଅଞ୍ଚଳର ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସେମାନଙ୍କୁ କଟକ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଭଦ୍ରକ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ଜିଲ୍ଲାରେ ୧୯ଜଣ ସୁସ୍ଥ ହୋଇଥିବା ବେଳେ ୨୧ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ପୁଣି ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଗଞ୍ଜାମରୁ ସର୍ବାଧିକ ୪୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଏହାଛଡ଼ା ଖୋର୍ଦ୍ଧାରେ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୧୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଭଦ୍ରକ ଜିଲ୍ଲାରେ ୯ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସୁସ୍ଥ ହେବା ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୫ ଥିବା ବେଳେ ୧୪୩ଜଣ ସୁସ୍ଥ ହୋଇଛନ୍ତି। ଏଯାବତ୍ ରାଜ୍ୟରେ ୩ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।