ଭଦ୍ରକ ଟାଉନ ପୁଲିସ୍ ଦ୍ବାରା ୧୨ ମଟର ସାଇକେଲ ଜବତ, ୪ ଗିରଫ

ଭଦ୍ରକ: ଭଦ୍ରକ ଟାଉନ ପୁଲିସ ଦ୍ବାରା ଚଢାଉ କରାଯାଇ ୧୨ଟି ଚୋରି ମଟର ସାଇକେଲ ଜବତ କରାଯାଇଛି | ଏହା ସହ ଏଥିରେ ସଂପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭଦ୍ରକ ଟାଉନ ପୁଲିସ । ଗିରଫ ହୋଇଥିବା ୪ଜଣ ଅଭିଯୁକ୍ତଙ୍କ ଘର ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅଞ୍ଚଳରେ ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ୩ ଟି ମୋବାଇଲ ଫୋନ୍ ମଧ୍ୟ ପୁଲିସ ଜବତ କରିଛି।

ସୂଚନାରୁ ପ୍ରକାଶ ଯେ, ଭଦ୍ରକ ଟାଉନ୍ ଭିତରେ ଗତ କିଛି ଦିନ ହେଲା ବହୁ ଲୋକଙ୍କର ମଟର ସାଇକେଲ ଚୋରି ହେଉଥିଲା। ମଟର ସାଇକେଲ ଚୋରି ସଂପର୍କରେ ଟାଉନ ଥାନାରେ ଅଭିଯୋଗ ହେଉଥିଲା। ମାତ୍ର ପୁଲିସ ସେମାନଙ୍କ ଟେର୍ ପାଉନଥିଲା। ଭଦ୍ରକ ଏସପିଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଟାଉନ୍ ଥାନା ପକ୍ଷରୁ ସବ୍ ଇନସପେଣ୍ଟର ଦେବରାଜ ଜେନାଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ମଟର ସାଇକେଲ ଚୋରି ରାକେଟ ଉପରେ ନଜର ରଖାଯାଇଥିଲା। ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା ଯେ, ଭଦ୍ରକ ସହର ଭିତରେ ଦୁଇ ଜଣ ମଟର ସାଇକେଲ ଚୋର ଭଡାରେ ରହୁଛନ୍ତି। ପ୍ରଥମେ ସେମାନଙ୍କୁ ଧରିବାକୁ ପୁଲିସ ପିଛା କରିଥିବା ବେଳେ ଭଦ୍ରକ ଟାଉନ ପୁଲିସର କବଜାକୁ ଆସିଥିଲା ମୁଖ୍ୟ ଅଭିଯୁକ୍ତ ଶଶିକାନ୍ତ ପ୍ରଧାନ(୨୮) |

ଶଶିକାନ୍ତଙ୍କର ନିଜ ଘର ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ଦ୍ବାରିକା ଗ୍ରାମରେ ବୋଲି ପୁଲିସ ସୂଚନା ପାଇଥିଲା। ଶଶିକାନ୍ତ ଭଦ୍ରକ ସହରରେ ଭଡାରେ ରହି ନିଜର ଏଇ ବାଇକ୍ ଚୋରି କାରବାର ଚଳାଇଥିଲା। ତା’ ନିକଟରୁ ଗତକାଲି ୪ଟି ମଟର ସାଇକେଲ ପୁଲିସ ଜବତ କରିବା ପରେ ତାର ଅନ୍ୟ ସହଯୋଗୀଙ୍କୁ ଧରିବାକୁ ଜାଲ ବିଛାଇଥିଲା। ପୁଲିସର ଏଇ ଜାଲରେ ଗୋଟିଏ ପରେ ଗୋଟିଏ ମଟର ସାଇକେଲ ଚୋର ଧରାପଡିଥିଲେ।

ଶଶିକାନ୍ତ ଟିମ୍ ର ଅନ୍ୟ ଜଣେ ଅଭିଯୁକ୍ତ ହେଲା ସୁଶାନ୍ତ ମଲ୍ଲିକ (୩୦)। ତାଙ୍କ ଘର ଖନ୍ତାପଡା ଥାନା ଅନ୍ତର୍ଗତ ଦ୍ବାରିକା ଗ୍ରାମରେ। ତା’ଠାରୁ ପୁଲିସ ୩ ଟି ମଟର ସାଇକେଲ ଜବତ କରିଛି। ଏଇ ଦୁଇ ମଟର ସାଇକେଲଚୋର ଚୋର ଭଦ୍ରକ ଜିଲ୍ଲାରେ ନିଜର ଚୋରି ନେଟୱାର୍କ କରି ବାଲେଶ୍ବରକୁ ମଟର ସା‌ଇକେଲ ଚାଲାଣ କରୁଥିଲେ। ଏମାନଙ୍କ ସହ ବାଲେଶ୍ବର ଜିଲ୍ଲାରେ ରହି ଆଉ ଦୁଇ ମଟର ସାଇକେଲ ଚୋର ରାକେଟ୍ ବାଲେଶ୍ବର ସହରରୁ ମଟର ସାଇକେଲ ଉଠାଉ ଥିଲେ। ଏମା‌ନେ ବିଶେଷକରି ପୁରୁଣାବାଲେଶ୍ବର ଅଞ୍ଚଳରେ ଆଡ୍ଡା ଜମାଇ ଥିଲେ।

ଅନ୍ୟ ଜଣେ ଅଭିଯୁକ୍ତ କପିଳାସ ମଲ୍ଲିକ (୩୧)ର ଘର ବାଲେଶ୍ବର ଜିଲ୍ଲାର ଖନ୍ତାପଡା ଥାନା ଅନ୍ତର୍ଗତ ବରପଦା ଗ୍ରାମରେ ବୋଲି ପୁଲିସ ଜାଣିବା ପରେ ତାଙ୍କୁ ସେଠାରୁ ଗତକାଲି ରାତିରେ ଉଠାଇ ଆଣିଥିଲା। କପିଳାସଠାରୁ ୨ଟି ମଟର ସାଇକେଲ ଜବତ କରିବା ସହ ତା’ର ଅନ୍ୟ ଜଣେ ସହଯୋଗୀ ସୁଧାକର ପାଢୀଠାରୁ ୩ ଟି ମଟର ସାଇକେଲ ଜବତ କରିଥିଲା ପୁଲିସ। ଏଇ ୪ଜଣ ମଟର ସାଇକେଲ ଚୋରଙ୍କଠାରୁ ୧୨ ଟି ମଟର ସାଇକେଲ ଜବତ କରାଯାଇଥିବା ବେଳେ ୨ ଟି ମୋବାଇଲ ଜବତ କରାଯାଇଛି। ଏମାନଙ୍କୁ ଆଜି ଭଦ୍ରକ ଟାଉନ ପୁଲିସ ଗରିଫ କରି କୋର୍ଟ ଚାଲାଣ କରିଛି ବୋଲି ଭଦ୍ରକ ସହର ଏସଡିପିଓ ସାର୍ଥକ ରାୟ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଭଦ୍ରକ ଟାଉନ ପୁଲିସକୁ ଏଇ ସଫଳତା ମିଳିଥିବା ବେଳେ ପୁଲିସ ପକ୍ଷରୁ ଅନ୍ୟ ମଟର ସାଇକେଲ ଚୋରଙ୍କ ଉପରେ ମଧ୍ୟ ନଜର ରଖାଯାଇଛି ବୋଲି ଭଦ୍ରକ ଟାଉନ ଆଇଆଇସି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର