ଆଦିବାସୀ ମହିଳାଙ୍କ ଅଭିଯୋଗ: ଶବ ବ୍ୟବଚ୍ଛେଦ ସମୟରେ ପରିବାରକୁ ନ ଜଣାଇ ମୃତ ବ୍ୟକ୍ତିଙ୍କ ଆଖି କାଢ଼ିଦେଲେ ଡାକ୍ତର

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଘରୋଇ କଳହ ପାଇଁ ସ୍ବାମୀ ବିଷ ପିଇବା ପରେ ଚିକିତ୍ସା ପାଇଁ ସ୍ତ୍ରୀ ସମେତ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ। କିନ୍ତୁ  ପରିସ୍ଥିତି ଗମ୍ଭୀର ହେବାରୁ  ଯୁବକଙ୍କୁ  କଟକ ଏସସିବିକୁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ତେବେ ଶବ ବ୍ୟବଚ୍ଛେଦ ସମୟରେ ପରିବାରର ଅନୁମତି ନ ନେଇ ଯୁବକଙ୍କ ଆଖି କାଢ଼ି ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ମୃତ ବ୍ୟକ୍ତିଙ୍କ ପତ୍ନୀ ଅଶିକ୍ଷିତ ହୋଇଥିବାରୁ ଡାକ୍ତରଖାନା କର୍ମଚାରୀ ତାଙ୍କୁ ନ ଜଣାଇ ଚକ୍ଷୁଦାନ କାଗଜପତ୍ରରେ ହସ୍ତାକ୍ଷର କରାଇ ନେଇଥିଲେ। ପରେ ଶବ ବ୍ୟବଚ୍ଛେଦ କରାଇ ଗାଁକୁ ଅନ୍ତିସଂସ୍କାର ପାଇଁ ଆଣିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଗାଁ ଲୋକେ ଡାକ୍ତରଖାନା ପକ୍ଷରୁ ମିଳିଥିବା କାଗଜପତ୍ର ଦେଖିବା ପରେ ସେଥିରେ ପରିବାର ଲୋକେ ନିଜ ଇଚ୍ଛାରେ ଚକ୍ଷୁଦାନ କରୁଥିବା ଲେଖାଥିବା ସହ ମୃତ ବ୍ୟକ୍ତିଙ୍କ ପତ୍ନୀର ଟିପ ଚିହ୍ନ ରହିଥିଲା। ଏଭଳି ଘଟଣା ପରେ ମୃତକଙ୍କ ପରିବାର ଲୋକେ ଘଟଣାର ତଦନ୍ତ ପାଇଁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଯାହା ପରେ ଭଦ୍ରକ ଏସପିଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ପରିବାରଲୋକଙ୍କୁ ପରାମର୍ଶ ଦେଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାଗୁରାଇ ଆଦିବାସୀ କଲୋନୀରେ । ମୃତକଙ୍କ ନାଁ ବୀର ଓରଫ ନଣ୍ଡା ଗାଗରାଇ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ନାଁ ଚମ୍ପା ଗାଗରାଇ ବୋଲି ଜଣାପଡ଼ିଛି।  ପାରିବାରିକ କଳହ ପାଇଁ ନଣ୍ଡା ଗତ  ୭ତାରିଖରେ ବିଷ ପିଇଦେଇଥିଲେ । ଘର ଲୋକେ ତାଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ୧୧ ତାରିଖ ଦିନ ଏସସିବିରେ ନଣ୍ଡାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସେଠାରେ ପରିବାର ଲୋକଙ୍କୁ କାଗଜରେ ଦସ୍ତଖତ କରିବା ପାଇଁ କୁହାଯାଇଥିଲା । ନଣ୍ଡାଙ୍କ ସ୍ତ୍ରୀ ଓ ଭାଇ ଅଶିକ୍ଷିତ ହୋଇଥିବାରୁ ଟିପ ଚିହ୍ନ ଦେଇଥିଲେ । ପରେ ଶବ ବ୍ୟବଛେଦ କରି ମୃତଦେହ  ଘରକୁ ନେଇ ଫେରିଥିଲେ। କିନ୍ତୁ ଅନ୍ତିମ ସତ୍କାର ସମୟରେ ଶବ ଖୋଲିବା ବେଳେ ଆଖି ନଥିବା ଦେଖି ପୂରା ପରିବାର ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ପରେ ଗାଁର ଅନ୍ୟ ଲୋକଙ୍କୁ ନଣ୍ଡାଙ୍କ ପରିବାର ଲୋକେ ଏସସିବିରୁ ମିଳିଥିବା କାଗଜପତ୍ର ଦେଖାଇଥିଲେ । କାଗଜପତ୍ର ଦେଖିବା ପରେ ଜଣା ପଡ଼ିଥିଲା ଯେ  ନଣ୍ଡାଙ୍କ ପରିବାର ଲୋକେ ନିଜ ଇଚ୍ଛାରେ ଚକ୍ଷୁ ଦାନ କରିଛନ୍ତି । କିନ୍ତୁ ଏବେ ମୃତ ନଣ୍ଡାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ସେମାନେ ଆଦିବାସୀ ହୋଇଥିବାରୁ ତାଙ୍କୁ ଠକି ଆଖି ନେଇଯାଇଛନ୍ତି ଏସସିବି । ଚମ୍ପାଙ୍କ କହିବା ମୁତାବକ, ଆମେ ଆଦିବାସୀ । ପାଠ ପଢି ନାହୁଁ । ଅଶିକ୍ଷିତ । ସେଥିପାଇଁ ଯେଉଁଠି ଟିପ ଚିହ୍ନ ଦେବାକୁ କହିଲେ ଆମେ ଦେଲୁ । କିନ୍ତୁ ଶବ ବ୍ୟବଚ୍ଛେଦ ପରେ ଶବକୁ ଘରକୁ ଆଣି ଦେଖିଲୁ ଯେ ଆଖି ନାହିଁ ।

ସମ୍ବନ୍ଧିତ ଖବର