ଭଦ୍ରକ ଆର.ଡି. ଅଫିସ ଭିଜିଲାନସ୍‌ ଟ୍ରାପ୍ ମାମଲା: କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ୧୩ ଦିନ ହେଲା ଖୋଜୁଛି ଭିଜିଲାନ୍ସ

ଭଦ୍ରକ: ଗତ ଜାନୁଆରୀ ୯ ତାରିଖରେ ଭଦ୍ରକ ଆର.ଡି. ଡିଭିଜନ୍‌- ୧ ଅଫିସର ଡାଟାଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ଦୁଇଟି ରାସ୍ତା କାମର ବିଲ୍‌ କରାଇ ଦେବା ଲାଗି ଜଣେ ଠିକାଦରଙ୍କ ନିକଟରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ଟିମ୍‌ ଦ୍ଵାରା ଟ୍ରାପ୍‌ ହୋଇ ଗିରଫ ହୋଇଥିଲେ। ଏଇ ଲାଞ୍ଚ ମାମଲାରେ ସଂପୃକ୍ତ ଅଫିସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମାନସ ମହାନ୍ତିଙ୍କ ସଂପୃକ୍ତି ରହିଥିବା ନେଇ ଭିଜିଲାନ୍ସ ଟିମ୍‌ ସୂଚନା ପାଇଥିଲା। ଗିରଫ ହେବା ଭୟରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ମହାନ୍ତି କେଉଁଆଡେ ଫେରାର ହୋଇଯାଇଛନ୍ତି। ତାଙ୍କର ଭଦ୍ରକର ଅସ୍ଥଳସ୍ଥିତ ଭଡା ଘରକୁ ଭିଜିଲାନ୍ସ ଟିମ୍‌ ସିଲ୍‌ କରି ଦେଇଥିବା ବେଳେ ତାଙ୍କର ଭୁବନେଶ୍ୱରର ପଟିଆସ୍ଥିତ ୨ଟି ଘର ଉପରେ ଚଢାଉ କରିଥିଲେ।

ସେହିଦିନ ରାତିରେ ଭଦ୍ରକ ଭିଜିଲାନ୍ସର ଦୁଇଟି ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜା ଖୋଜି କରିଥିଲେ। ତାଙ୍କର ମୋବାଇଲ ନମ୍ବରରେ ଯୋଗାଯୋଗ କରିଥିଲେ ମଧ୍ୟ ଶ୍ରୀ ମହାନ୍ତିଙ୍କ ସହ ଯୋଗଯୋଗ ସମ୍ଭବ ହୋଇ ପାରି ନଥିଲା। ସେ ତାଙ୍କର ମୋବାଇଲ ସୁଇଚ୍‌ ଅଫ୍‌ କରି ରଖିଥିବା ବେଳେ ତାଙ୍କର କୌଣସି ପତ୍ତା ଭିଜିଲାନ୍ସ ଟିମ୍‌ ପାଇପାରୁ ନାହିଁ। ଆଜକୁ ୧୩ ଦିନ ହେବ ଗିରଫ ଭୟରେ ଶ୍ରୀ ମହାନ୍ତି କେଉଁଠି ଆତ୍ମଗୋପନ କରିଛନ୍ତି। ସେ କେଉଁଠି ଆତ୍ମଗୋପନ କରିଛନ୍ତି ପତ୍ତା କେହି ପାଉ ନାହାନ୍ତି।

କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କର ପତ୍ତା ମିଳୁ ନଥିବା ବେଳେ ତାଙ୍କ ଅଫିସର ସବୁ କାମ ଅଚଳ ହୋଇପଡିଛି। ରାସ୍ତା ନିର୍ମାଣ କାମ, ଠିକାଦାରଙ୍କର ବିଲ୍‌ ଓ ଅନ୍ୟାନ୍ୟ ଅଫିସ୍‌ କାମ କିଛି ହୋଇପାରୁ ନାହିଁ। ଭଦ୍ରକ ଆର.ଡି ଡିଭିଜନ୍‌-୧ରେ ଏବେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଏଇ ଅଫିସରେ କୌଣସ ଫାଇଲରେ କେହି ହାତ ମାରୁ ନାହାନ୍ତି। ତେବେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କର ପତ୍ତା ମିଳୁ ନଥିବାରୁ ତାଙ୍କ ଉପରେ କଣ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାହା ଉପରେ ରହିଛି ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର