ଭୁବନେଶ୍ବର : ଦୀର୍ଘଜୀବୀ ହେବା ବିକାଶର ପରିମାପକ। ସେଥିପାଇଁ ପ୍ରତ୍ୟେକ ଦେଶ ନିଜ ନାଗରିକଙ୍କୁ ଦୀର୍ଘଜୀବୀ କରାଇବାକୁ ଗୁରୁତ୍ବ ଦିଅନ୍ତି। କେନ୍ଦ୍ରୀୟ ଏସିଆରେ ଏଭଳି ଏକ ଦେଶ ଅଛି, ଯେଉଁଠି ଲୋକେ ସହସ୍ର ବର୍ଷ ବଞ୍ଚୁଥିଲେ। ସେହି ଅଞ୍ଚଳକୁ ଦେଖି, ସ୍ବର୍ଗର ପରିକଳ୍ପନା ବୋଧେ କରାଯାଇଥିବା ଅନୁମାନ କରାଯାଏ। ରାମାୟଣରେ ବଶିଷ୍ଠ ଋଷି ରାମଚନ୍ଦ୍ରଙ୍କ ପରିବାରର ପାଞ୍ଚୋଟି ପିଢ଼ିଙ୍କ ଗୁରୁ ଥିଲେ। ଅର୍ଥାତ ସେହି ସମୟରେ କିଛି ବ୍ୟକ୍ତି କେତେ ଯେ ବର୍ଷ ବଞ୍ଚୁଥିଲେ ତାହା ଅନୁମାନ କରାଯାଇ ପାରେ। ଆଜି ପୃଥିବୀର ୭୦ କୋଟି ଲୋକଙ୍କ ବୟସ ୬୫ ବୟସରୁ ଊର୍ଧ୍ବ। ଏଭଳି ଅନୁଭବ ହେଉଛି ଯେମିତି ପୃଥିବୀ ବୁଢ଼ା ହେଉଛି। ବରିଷ୍ଠ ନାଗରିକଙ୍କ ପାଇଁ ବୃଦ୍ଧାଶ୍ରମ କେବଳ ସମାଧାନ ନୁହେଁ। ସେମାନଙ୍କ ସହାୟତା ଏବଂ ସହଯୋଗ ପାଇଁ ଯୁବ ଗୋଷ୍ଠୀକୁ ଆଗେଇ ଆସିବାକୁ ପଡ଼ିବ। ନିଜର ୮୦ ତମ ଜୟନ୍ତୀ ଅବସରରେ ଲିଖିତ ପୁସ୍ତକ ‘ତୃତୀୟ ଦୃଷ୍ଟି’ର ଉନ୍ମୋଚନ ବେଳେ ଏହା କହିଛନ୍ତି ବିଶିଷ୍ଟ ପ୍ରାବନ୍ଧିକ ଭଗବାନ ପ୍ରକାଶ।
ଆମ ଓଡ଼ିଶା ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଗବାନ ପ୍ରକାଶ କହିଛନ୍ତି, ସମୟ ବଦଳିବା ସହିତ ଜନ୍ମଦିନ ପାଳନ ବିଧି ବଦଳିଛି। ପିଠାର ସ୍ଥାନ ଆଜି କେକ୍ ନେଇଛି ସତ କିନ୍ତୁ ଏଥିରେ କୌଣସି ଅସୁବିଧା ନାହିଁ। ଜଗତୀକରଣ ପ୍ରଭାବର ଏହା ଏକ ସ୍ବଭାବିକ ପ୍ରକ୍ରିୟା। ବିଭିନ୍ନ ଦେଶରେ ଜନ୍ମଦିନ ପାଳନ ବିଧି ଭିନ୍ନ। ଜାପାନରେ ବରିଷ୍ଠ ନାଗରିକଙ୍କ ଜନ୍ମଦିନ ପାଳନ ହୁଏ ନାହିଁ। ଆଫ୍ରିକାରେ ଶିଶୁ ମୃତ୍ୟୁ ହାର ଏତେ ଅଧିକ ଯେ ୧୦ ବର୍ଷ ପର୍ଯ୍ୟନ୍ତ କାହାର ଜନ୍ମଦିନ ପାଳନ କରାଯାଏ ନାହିଁ। ଦକ୍ଷିଣ ଆଫ୍ରିକାରେ କିଂବଦନ୍ତୀ ପୁରୁଷ ନେଲସନ୍ ମାଣ୍ଡେଲାଙ୍କ ୯୫ ବର୍ଷ ବୟସରେ ମୃତ୍ୟୁ ଶଯ୍ୟା ନିକଟରେ ଜନ୍ମ ଉତ୍ସବ ପାଳନ ହେଉଥିଲା।
କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଶ୍ରୀ ପଟ୍ଟନାୟକ କହିଲେ, ଭଗବାନ ପ୍ରକାଶଙ୍କୁ କୃତଜ୍ଞତା ଅର୍ଥାତ ଈଶ୍ବରଙ୍କୁ କୃତଜ୍ଞତା। ‘ସମ୍ବାଦ’ ତାଙ୍କ ସଙ୍ଗ ପାଇ ଅନେକ ଲୋକଙ୍କ ସହିତ ଯୋଡ଼ି ହୋଇଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମ୍ବିଧାନିକ ବ୍ୟବସ୍ଥା ଅବକ୍ଷୟମୁଖୀ ହେଲେ ନାଗରିକଙ୍କ କର୍ତ୍ତବ୍ୟ ବଢ଼ିଯାଏ। କିନ୍ତୁ ନାଗରିକ ସମାଜର ଅବକ୍ଷୟ ହେଲେ ତାକୁ କେହି ରକ୍ଷା କରିପାରିବେ ନାହିଁ। ଏଥିପାଇଁ ବିପ୍ଳବର ଆବଶ୍ୟକ ହୁଏ। ଏଭଳି ସ୍ଥିତିରେ ଭଗବାନ ପ୍ରକାଶଙ୍କ ଭଳି ବ୍ୟକ୍ତିଙ୍କ ଗୁରୁତ୍ବ ବୃଦ୍ଧି ପାଇଛି। ଯିଏ ଅଧ୍ୟାପନା ବୃତ୍ତିରେ ରହି ପିଲାଙ୍କୁ ପଢ଼ାଇବା ଠାରୁ ଆରମ୍ଭ କରି ଏନଏସଏସର ପ୍ରତିଷ୍ଠା, ନିର୍ବାଚନ କମିସନରଙ୍କ ପରାମର୍ଶଦାତା ଏବଂ ଆଜି ପ୍ରାବନ୍ଧିକ ଭାବରେ ଅନେକ କାର୍ଯ୍ୟ କରି ସମସ୍ତଙ୍କ ପାଇଁ ଦୃଷ୍ଟାନ୍ତ ହୋଇଛନ୍ତି।
ଭଗବାନ ପ୍ରକାଶଙ୍କ ଲିଖିତ ପୁସ୍ତକ ‘ତୃତୀୟ ଦୃଷ୍ଟି’ର ସମୀକ୍ଷା କରି ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ମୁଖ୍ୟ ଅତିଥି କମଳକାନ୍ତ ମିଶ୍ର କହିଛନ୍ତି ଯେ ଏହି ପୁସ୍ତକରେ ବିବର୍ତ୍ତନ, ସଂସ୍କୃତି, ଧର୍ମ, ନିର୍ବାଚନ, ରାଜନୀତି, ଦିବ୍ୟାଙ୍ଗଙ୍କ ଠାରୁ ଆରମ୍ଭ କରି ଗାଁ ଚାଟଶାଳୀ ପର୍ଯ୍ୟନ୍ତ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ସମସ୍ୟା ଭିତ୍ତିକ ସମସ୍ତ ପ୍ରକାର ପ୍ରବନ୍ଧ ରହିଛି। କେଉଁଠି ଗମ୍ଭୀରତା ଅଛି ତ କେଉଁଠି ବ୍ୟଙ୍ଗ ଅଛି। ବାପୁ ତୁମେ ଗଲା ପରେ ଶୀର୍ଷକରେ ଗାନ୍ଧୀଙ୍କୁ ଛାଡ଼ ବାଡ଼ିକୁ ପ୍ରୟୋଗ କର ବ୍ୟଙ୍ଗ ସାହିତ୍ୟର ଏକ ଉଦାହରଣ ଅଟେ। ନୈତିକତାର ବାର୍ତ୍ତା ଦେବା ତାଙ୍କ ଲେଖାର ବିଶେଷତ୍ବ। ଅନ୍ୟତମ ଅତିଥି ଅରୁନ୍ଧତୀ ଦେବୀ କହିଛନ୍ତି, ଭୂମିରୁ ଭୂମାକୁ ସ୍ପର୍ଶ କରିଛନ୍ତି ପ୍ରାବନ୍ଧିକ ଭଗବାନ ପ୍ରକାଶ। ତାଙ୍କର ସରଳ ଜୀବନ କିନ୍ତୁ ଉଚ୍ଚ ଚିନ୍ତନ ରହିଛି। ଆମ ଓଡ଼ିଶା ସମ୍ପାଦକ ସ୍ବରାଜ ମିଶ୍ର ଅତିଥି ପରିଚୟ ଏବଂ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସ୍ତମ୍ଭକାର ଅସିତ ମହାନ୍ତି ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ଡ. ବିନାୟକ ରଥ, ରୀନା ରାଉତରାୟ, ଡ. ପ୍ରମୋଦ ମିଶ୍ର, ମନୋଜ ଜେନା, ଲଳିତ ପଟ୍ଟନାୟକ, ପ୍ରହଲ୍ଲାଦ ସିହ୍ନା ପ୍ରମୁଖ ମଧ୍ୟ ଭଗବାନ ପ୍ରକାଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।