ଭୁବନେଶ୍ବର: ଓଡ଼ିଆ ଜାତିକୁ ପରିଚୟ ଦେବାରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭୂମିକା ଅବର୍ଣ୍ଣନୀୟ। ତାଙ୍କ ରଚିତ ଓଡ଼ିଆ ଭାଗବତ ବଳରେ ଓଡ଼ିଶାରେ ଶିକ୍ଷାର ପ୍ରଚାର ପ୍ରସାର ଘଟିଥିଲା। ପ୍ରତ୍ୟେକ ଗ୍ରାମରେ ଭାଗବତ ଟୁଙ୍ଗି ପ୍ରତିଷ୍ଠା ହୋଇଥିଲା। ଯେଉଁ ଓଡ଼ିଆ ଅତିବଡ଼ୀଙ୍କୁ ଜାଣିନାହିଁ, ସେ ଓଡ଼ିଆ ହେବାର ଯୋଗ୍ୟତା ହରାଇଛି। କେନ୍ଦ୍ର ସାହିତ୍ୟ ଅକାଦେମି ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ ‘ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜାତୀୟ ଆଲୋଚନାଚକ୍ର’ର ଉଦ୍ଘାଟନୀ ଅବସରରେ ଅତିଥିମାନେ ଏହା କହିଛନ୍ତି। ଓଡ଼ିଆ ଭାଗବତ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ସମାଜର ମୂଳ ଆଧାର। ଜୀବନ, ମୃତ୍ୟୁ, ମୋକ୍ଷ, ମୁକ୍ତି, ବିଚାର, ଦ୍ୱନ୍ଦ୍ୱ, ଚଳଣି, ପରମ୍ପରା ଓ ସଂସ୍କୃତି ସମ୍ବନ୍ଧିତ ନାନାବିଧ ପ୍ରଶ୍ନର ସହଜ ଉତ୍ତର ଭାଗବତ ଦେଇଥାଏ ବୋଲି ମତ ରଖିଛନ୍ତି।
ସଂସ୍କୃତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପଣ୍ଡିତ ଅନ୍ତର୍ଯାମୀ ମିଶ୍ର ଉଦ୍ଘାଟନ କରି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଏବଂ ଓଡ଼ିଆ ସଂସ୍କୃତିର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। କେନ୍ଦ୍ର ସାହିତ୍ୟ ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ ସ୍ୱାଗତ ଭାଷଣରେ ଅତିବଡ଼ୀଙ୍କ ବହୁବିଧ କୃତି ଓ ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ର ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଗୌରହରି ଦାସ ଅଧିବେଶନରେ ସଭାପତିତ୍ୱ କରି କହିଲେ, ଓଡ଼ିଆ ଜନଜୀବନ ଓ ଭାଗବତ ଓତଃପ୍ରୋତ ଭାବେ ଜଡ଼ିତ। ମଣିଷ ମନର ସବୁ ପ୍ରକାର ପ୍ରଶ୍ନର ଉତ୍ତର ତହିଁରେ ଭରି ରହିଛି। ଭାଗବତର ଲୋକପ୍ରିୟତା ଓ ବହୁଳ ବ୍ୟବହାର ସମ୍ପର୍କରେ ଶ୍ରୀ ଦାସ ସୂଚନା ଦେଇଥିଲେ। ମୁଖ୍ୟ ଆଲୋଚକ ବିଶିଷ୍ଟ ସମାଲୋଚକ ପ୍ରଦୀପ୍ତ କୁମାର ପଣ୍ଡା ପଞ୍ଚସଖା ଯୁଗର ସାହିତ୍ୟର ବୈଶିଷ୍ଟ୍ୟ, ଓଡ଼ିଆ ଭାଗବତର ମୌଳିକତା ଓ ପ୍ରଭାବ ଆଦି ଗୁରୁତ୍ୱପୂର୍ଣ୍ଣ ଦିଗର ବର୍ଣ୍ଣନା କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ ଧନ୍ୟବାଦ ଦେଇଥିଲେ। କେନ୍ଦ୍ର ସାହିତ୍ୟ ଅକାଦେମି କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ ସଭା ସଂଯୋଜନା କରିଥିଲେ।
ପ୍ରଥମ ଅଧିବେଶନରେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସଭାପତିତ୍ୱରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ଗାଳ୍ପିକା ଜୟନ୍ତୀ ରଥ ଓ ପ୍ରାବନ୍ଧିକ ଶାନ୍ତନୁ କୁମାର ରଥ ଓଡ଼ିଆ ସାହିତ୍ୟରେ ଭାଗବତର ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ। ଦ୍ୱିତୀୟ ଅଧିବେଶନରେ ପ୍ରଫେସର ଯତୀନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆଲୋଚକ ଭାବେ କଳ୍ପତରୁ ନାୟକ, ଗବେଷକ ପୀତବାସ ରାଉତରାୟ, ସଂଗ୍ରାମ ଜେନା ଯୋଗଦେଇ ଜଗନ୍ନାଥ ଦାସଙ୍କ କୃତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ।