ଆନନ୍ଦପୁର/ହାଟଡିହି: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ଭାଗୀରଥି ସେଠୀଙ୍କ ଟିକେଟ୍ କାଟି ଅଭିମନ୍ୟୁ େସଠୀଙ୍କୁ ପ୍ରାର୍ଥୀ କରିଛି। ଅଭିମନ୍ୟୁ ହେଉଛନ୍ତି ହାଟଡିହି ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ସ୍ବାମୀ। ୨୦୦୯ ପରଠାରୁ ଆନନ୍ଦପୁର ନିର୍ବାଚନମଣ୍ଡଳୀ ବିଜେଡି ଦଖଲରେ ରହିଛି। ବିଜେଡି ଏଠାରେ ବାରମ୍ବାର ପ୍ରାର୍ଥୀ ପରିବର୍ତ୍ତନ କରି ବିରୋଧୀଙ୍କୁ ଚକ୍ମା ଦେବା ସହ ସଫଳତା ପାଉଛି। ବିଜେଡି-ବିଜେପି ମେଣ୍ଟ ସମୟରେ ଏହି ଆସନ ବିଜେପି ଭାଗରେ ପଡ଼ିଥିଲା। ୨୦୦୦ ରେ ବିଜେପିର ମାୟାଧର ଜେନା ଓ ୨୦୦୪ରେ କଂଗ୍ରେସର ଜୟଦେବ ଜେନା ଏହି ଆସନରୁ ବିଜୟୀ ହୋଇଥିଲେ। ୨୦୦୯ରେ ବିଜେଡିରୁ ଭାଗୀରଥି ସେଠୀ, ୨୦୧୪ରେ ମାୟାଧର ଜେନା ଓ ୨୦୧୯ରେ ଭାଗୀରଥି ସେଠୀ ବିଧାୟକ ହୋଇଥିଲେ। ଚଳିତ ନିର୍ବାଚନରେ ବିଜେଡି ଅଭିମନ୍ୟୁ ସେଠୀଙ୍କ ଉପରେ ଭରସା କରିଛି। ଅଭିମନ୍ୟୁ ହାଟଡିହି ବ୍ଲକ୍ ଇଞ୍ଚୋଳ ପଞ୍ଚାୟତର ବାସିନ୍ଦା। ସେ ନିଜ ପତ୍ନୀ ସାବିତ୍ରୀ ସେଠୀଙ୍କୁ ୨୦୦୭ରେ ସରପଞ୍ଚ ଭାବେ ବିଜୟୀ କରାଇଥିଲେ। ୨୦୧୨ ଓ ୨୦୨୨ରେ ପତ୍ନୀଙ୍କୁ ଦୁଇ ଦୁଇଥର ସମିତିସଭ୍ୟା ଭାବେ ନିର୍ବାଚିତ କରି ବ୍ଲକ୍ ଅଧ୍ୟକ୍ଷା କରାଇଛନ୍ତି। ପତ୍ନୀଙ୍କ ସହ ମିଶି ସେ ଲୋକଙ୍କ ଭଲମନ୍ଦ ବୁଝିବା ସହ ବିଭିନ୍ନ ଉନ୍ନୟନ କାମ କରିଆସୁଛନ୍ତି।
ଟିକେଟ ପାଇବା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଖୁସି ମନାଇବା ସହ ଆନନ୍ଦପୁର, ଆଇତିପୁର, ପଢ଼ିଆରିପଲ୍ଲୀ, ବାଙ୍ଗୋରରୁ ବହୁ ସଂଖ୍ୟାରେ ଦଳୀୟ କର୍ମୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଏଠାରେ କଂଗ୍ରେସ ଜୟଦେବ ଜେନା ଓ ବିଜେପି ଆଲୋକ ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। ଟିକେଟ୍ କଟିବା ପରେ ବିଜେଡି ପକ୍ଷରୁ ତାଙ୍କୁ କୌଣସି ଯୋଗାଯୋଗ କରାଯାଇ ନଥିବା ଭାଗୀରଥି ସେଠୀ କହିଛନ୍ତି। ସେ ଭୁବନେଶ୍ବରରେ ଅଛନ୍ତି। ଆସନ୍ତାକାଲି ଆନନ୍ଦପୁର ଗଲେ ନିଜ ସମର୍ଥକଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।