କରଞ୍ଜିଆ,(ଉମାଶଙ୍କର ଦାସ): ସୁଖଦୁଃଖ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ। ତେଣୁ ଖରାପ ପରିସ୍ଥିତିକୁ ଦେଖି ଡରିଗଲେ ହେବନି। ତା’ ସହ ସଂଘର୍ଷ କରିବାକୁ ପଡ଼ିବ। ଏମିତି ମାନସିକତା ରଖି ଜୀବନଯାତ୍ରାରେ ସଫଳ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ କେରକେରା ପଞ୍ଚାୟତ ନୂଆଗାଁ ଗ୍ରାମର ଭଗବତୀ ମହାନ୍ତ। ଯିଏ ଆଜି କଠିନ ପରିଶ୍ରମ ବଳରେ ଅନ୍ୟମାନଙ୍କୁ ରୋଜଗାର ଦେବା ସହ ନିଜ ଅଞ୍ଚଳ ପାଇଁ ଜଣେ ଦକ୍ଷ ମହିଳା ଏବଂ ଘର ପାଇଁ ସୁନାବୋହୂ ପାଲଟିଛନ୍ତି।
କେନ୍ଦୁଝର ଜିଲ୍ଲା ସାହରପଡ଼ା ବ୍ଲକ ଉଦୟପୁର ଗ୍ରାମର ଭଗବତୀ ମହାନ୍ତ ୨୦୦୧ ମସିହାରେ ନୂଆଗାଁ ଗ୍ରାମର ଖଗେଶ୍ବର ମହାନ୍ତଙ୍କୁ ବିବାହ କରିଥିଲେ। ଯୁକ୍ତ ଦୁଇ ଯାଏ ପଢ଼ିଥିବା ଭଗବତୀଙ୍କ ଶାଶୂଘର ଅଭାବ ଅନଟନ ମଧ୍ୟରେ ଚଳୁଥିଲେ। ଏଭଳି ସମୟରେ ସେ ସ୍ବାମୀଙ୍କ ହାତରେ ହାତ ମିଶାଇ ନିଜେ କିଛି କରିବାକୁ ଚାହିଁଲେ। ଭଗବତୀଙ୍କ ଚାଷ ପ୍ରତି ଆଗ୍ରହ ଥିବା ଦେଖି ସ୍ବେଚ୍ଛାସେବୀ ସଂସ୍ଥା ‘ପ୍ରଦାନ’ ତାଙ୍କୁ ସହଯୋଗ କରିବା ସହ ଜୈବିକ ସାର ପ୍ରସ୍ତୁତି ସଂପର୍କରେ ପ୍ରଶିକ୍ଷଣ ଦେଲା। ପରବର୍ତ୍ତୀ ସମୟରେ ଭଗବତୀ ‘ସଂପର୍କ’ ରୟାଲ୍ ଅର୍ଗାନିକ ଷ୍ଟୋର୍ ନାମକ ଏକ ସଂସ୍ଥା ଖୋଲି ଗୋମୂତ୍ର, ଗୋବର ଓ ବିଭିନ୍ନ ପତ୍ର ଦ୍ବାରା ଜୈବିକ ସାର ପ୍ରସ୍ତୁତ କଲେ। ଯାହାକୁ ସେ ବୋତଲ ତଥା ଜାର୍ରେ ପ୍ୟାକ୍ କରି ବିଭିନ୍ନ ଗାଁର ଚାଷୀଙ୍କୁ ବିକିଲେ। ଚାଷୀମାନେ ଉକ୍ତ ସାର ବ୍ୟବହାର କରି ବେଶ୍ ଲାଭବାନ ହେଲେ। ଯେଉଁ ଜମିରୁ ୨୫ ହଜାର ଟଙ୍କାର ଫସଲ ଅମଳ ହେଉଥିଲା, ଭଗବତୀଙ୍କ ପ୍ରସ୍ତୁତ ଜୈବିକ ସାର ବ୍ୟବହାର ପରେ ସେହି ଜମିରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଅମଳ ହୋଇପାରିଲା। ଏବେ ଭଗବତୀଙ୍କ ଜୈବିକ ସାରର ଚାହିଦା କାହିଁରେ କ’ଣ? ପୁଞ୍ଜି ଅଭାବରୁ ଜୈବିକ ସାର ପ୍ରସ୍ତୁତିକୁ ଯଦିଓ ସେ ଆଗକୁ ବଢ଼ାଇ ପାରିନାହାନ୍ତି, କିନ୍ତୁ ଏଥିରୁ ସେ ଭଲ ଦି ପଇସା ରୋଜଗାର କରୁଛନ୍ତି। କେବଳ ସେତିକି ନୁହେଁ, ୧୦ଟି ପରିବାର ସଦସ୍ୟଙ୍କୁ ରୋଜଗାର ବି ଦେଇଛନ୍ତି। ଯେଉଁମାନେ ତାଙ୍କୁ ଜୈବିକ ଖତ ପ୍ରସ୍ତୁତିରେ ସହଯୋଗ କରୁଛନ୍ତି।
ଭଗବତୀଙ୍କ ପ୍ରୟାସ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ବେଶ୍ ଉପକୃତ ହୋଇଥିବାବେଳେ ନିଜ ଅଞ୍ଚଳରେ ସେ ଏକ ଚିହ୍ନା ମୁହଁ ପାଲଟି ଯାଇଛନ୍ତି। ଘରେ ସୁନାବୋହୂ ସାଙ୍ଗକୁ ଦକ୍ଷ ମହିଳା ଉଦ୍ୟୋଗୀର ସୁନାମ ସାଉଁଟିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/210f1343-d5c3-45c3-8285-6207c537c0a8.jpg)