ଭୁବନେଶ୍ବର: ବହୁ ଚର୍ଚ୍ଚିତ ଭାଇ ଭାଇ ଆଶ୍ରମରେ ଆଜି ଇନ୍ଫୋଭ୍ୟାଲି ଥାନା ପୁଲିସ ତାଲା ଠୁଙ୍କିଛି। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ନ୍ୟାୟରେ ଗୁଳିକାଣ୍ଡର କାରଣ ଓ ଦୁର୍ବୃତ୍ତମାନଙ୍କୁ ଖୋଜୁଖୋଜୁ ଆଶ୍ରମର କେଳେଙ୍କାରୀ ପଦାକୁ ଫୁଟି ବାହାରିଛି। ପୂଜାର୍ଚ୍ଚନା ଆଢ଼ୁଆଳରେ ଆଶ୍ରମରେ ଚାଲିଥିବା ଯୌନ କେଳେଙ୍କାରୀ ଲୋକଲୋଚନକୁ ଆସିଯାଇଛି। ତେଣୁ କମିସନରେଟ୍ ପୁଲିସ ଗୁଳିମାଡ଼ କରିଥିବା ଦୁଇ ଦୁର୍ବୃତ୍ତଙ୍କୁ ବାନ୍ଧି ଜେଲ୍କୁ ପଠାଇବା ସହ ଭଣ୍ଡ ବାବା ଓ ତା’ର ଜଣେ ସହଯୋଗୀକୁ ମଧ୍ୟ ପୋକ୍ସୋ ଧାରାରେ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଛି। ରାଜଧାନୀ ଉପକଣ୍ଠରେ ଜନଗହଳିପୂର୍ଣ୍ଣ ରାସ୍ତାରେ ଥିବା ଏକ ଆଶ୍ରମରେ ବହୁ ଦିନ ଧରି ଏଭଳି କୁତ୍ସିତ କାରବାର ଚାଲିଥିବା କଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ବିଳମ୍ବରେ ହେଲେ ବି ସତ ପଦାକୁ ଆସିଥିବାରୁ ସ୍ଥାନୀୟ ଲୋକେ ଆଶ୍ବସ୍ତ ହୋଇଥିବା କହିଛନ୍ତି। ଅନ୍ୟର ଭାଗ୍ୟ ବଦଳାଇ ପାରୁଥିବା ଭଣ୍ଡ ବାବା ଶେଷରେ ଜେଲ୍ ହାଜତକୁ ଯାଇଥିବାରୁ ସରଗରମ ଚର୍ଚ୍ଚା ଚାଲିଛି।
ଆଶ୍ରମ ବୃତ୍ତାନ୍ତ
ଆଶ୍ରମର ପ୍ରତିଷ୍ଠାତା ଜଗତସିଂହପୁର କୁଜଙ୍ଗ ଥାନା ହଂସୁରା ଗାଁର ଅଜୟ ସାମନ୍ତରାୟ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ଆତ୍ମଘୋଷିତ ବାବା ନିଜକୁ ଭାଇ ଠାକୁର ବୋଲି କହୁଥିଲେ ଏବଂ ଶ୍ରଦ୍ଧାଳୁମାନେ ବିଶ୍ବାସ କରୁଥିଲେ। ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଆଦି ଜିଲ୍ଲାରୁ ବାବାଙ୍କର ବହୁ ଅନୁଗାମୀ ଥିଲେ। ବିଶେଷକରି ବାବାଙ୍କ ମହିଳା ଭକ୍ତଙ୍କ ସଂଖ୍ୟା ଅଧିକ। ବର୍ଷକ ବାରମାସ ଆଶ୍ରମରେ ପର୍ବପର୍ବାଣୀ ଲାଗି ରହିଥାଏ ଏବଂ ବାବାଙ୍କ ଅନୁଗାମୀମାନେ ପର୍ବ ବେଳେ ଅନ୍ତେବାସୀ ଭାବେ ଆଶ୍ରମରେ ରହନ୍ତି। ସ୍ବାସ୍ଥ୍ୟ, ପାଠପଢ଼ା ଓ ଭାଗ୍ୟ ସମସ୍ୟା ନେଇ ଲୋକେ ବାବାଙ୍କ ଶରଣ ନେଉଥିଲେ ବୋଲି କୁହାଯାଉଛି। ବର୍ଷ ବର୍ଷ ଧରି ବାବା ଆଶ୍ରମରେ ପୂଜାର୍ଚ୍ଚନା ଆଢ଼ୁଆଳରେ ନିଜର ଯୌନ ପିପାସା ମେଣ୍ଟାଇବା ପାଇଁ ବାଟ ତିଆରି କରିଥିଲେ ବୋଲି କେହି ଟେର୍ ପାଇନଥିଲେ। ଅବଶ୍ୟ ବାବା ସହ ଗିରଫ ହୋଇଥିବା ସହଯୋଗୀ ସୁକାନ୍ତ ବିଶ୍ବାଳ ଭଳି କିଛି ଅନୁଗାମୀ ବାବାଙ୍କ କଳା କାରନାମା ବାବଦରେ ଜାଣିଥିଲେ। ୭୮ ବର୍ଷ ବୟସରେ ପହଞ୍ଚିଥିବା ଏହି ଭାଇ ବାବାଙ୍କ ପାପ ବେଶି ଦିନ ଛପି ରହିନାହିଁ। ଏକଦା ସୀମାରେ ବନ୍ଧୁକ ଧରି ଦେଶମାତୃକା ପାଇଁ ପହରା ଦେଉଥିବା ଅଜୟ ଆଜି ନିଜର କୁକର୍ମ ପାଇଁ ଜେଲ୍ର ଅନ୍ଧାରୀ କୋଠରୀକୁ ଯାଇଛନ୍ତି।
କେମିତି ବାହାରିଲା ସତ
ଚଳିତ ମାସ ୫ ତାରିଖ ରାତି ପ୍ରାୟ ୭ଟା ବେଳେ ଆଶ୍ରମରେ ପଶି ଦୁଇ ଦୁର୍ବୃତ୍ତ ଗୁଳିମାଡ଼ କଲେ। ଆଠ ରାଉଣ୍ଡ ଗୁଳିମାଡ଼ ହୋଇଥିଲା। ଅନ୍ତେବାସୀ ସୁନୀଲ ବାରିକ ଦେହରେ ୪ଟି ଗୁଳି ବାଜିଥିଲା ଓ ଅଶୋକ ମହାନ୍ତିଙ୍କ ପେଟରେ ଗୋଟିଏ ଗୁଳି ଘଷି ହୋଇ ଖସିଯାଇଥିଲା। ଏଇଠୁ ଆରମ୍ଭ ହେଲା ପୁଲିସ ତଦନ୍ତ। ଇନ୍ଫୋଭ୍ୟାଲି ଥାନା ପୁଲିସ ସହ ସ୍ପେସାଲ୍ ସ୍କ୍ବାଡ୍ ଟିମ୍ ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଲାଗିପଡ଼ିଲେ। ଆଶ୍ରମରେ କିଛି କେଳେଙ୍କାରୀ ଚାଲିଛି ବୋଲି ପୁଲିସ ପ୍ରଥମରୁ ସନ୍ଦେହ କରିଥିଲା। ମାତ୍ର ଘଟଣା ପରେ କୌଣସି ଅନ୍ତେବାସୀ ଠିକ୍ ସୂଚନା ଦେବାକୁ ମୁହଁ ଖୋଲିନଥିଲେ। ବାବାଙ୍କ କଳା କାରନାମାକୁ ଘୋଡ଼ାଇବା ଲାଗି ସେମାନେ ମୁହଁ ବନ୍ଦ କରିଥିଲେ। କିନ୍ତୁ ପୁଲିସର ଘନଘନ ପଚରାଉଚରା ପରେ ସେମାନଙ୍କଠାରୁ ଦୁର୍ବୃତ୍ତମାନଙ୍କ ବିଷୟରେ କିଛି ସୁରାକ ମିଳିଯାଇଥିଲା। ସେହିପରି ଏମ୍ସରେ ଚିକିତ୍ସାଧୀନ ଥିବା ସୁନୀଲ ମଧ୍ୟ ପୁଲିସକୁ ଗୁଳିମାଡ଼ କରିଥିବା ସୂରଜ ବିଷୟରେ ସୂଚନା ଦେଇଥିଲା।
ପୁଲିସ ତଦନ୍ତ
ଛାନ୍ଭିନ୍ରୁ ଜଣାପଡ଼ିଥିଲା ଯେ କିଛି ଦିନ ପୂର୍ବେ ଭାଇ ବାବାଙ୍କ ସହଯୋଗୀ ସୁକାନ୍ତକୁ ଦୁଇଜଣ ନିର୍ଘାତ୍ ମାଡ଼ମାରି ଲହୁଲୁହାଣ କରିଥିଲେ। ମାତ୍ର ଏନେଇ ସେ ଥାନାରେ ଅଭିଯୋଗ କରିନଥିଲେ। ବାବାଙ୍କ କାଣ୍ଡସବୁ ଧରାପଡ଼ିଯିବା ଭୟରେ ବିଚରା ସୁକାନ୍ତ ମାଡ଼ଖାଇ ନିରବ ଥିଲେ। କିନ୍ତୁ ଆଶ୍ରମର କିଛି ଅନ୍ତେବାସୀ ଏହା ଜାଣିଥିଲେ ଏବଂ ପୁଲିସକୁ କହିଥିଲେ। ତେଣୁ ଭରତପୁର ୱାଟ୍କୋ କାର୍ଯ୍ୟାଳୟର କର୍ମଚାରୀ ସୁକାନ୍ତକୁ ପଚରାଉଚରା କରିଥିଲା। ପ୍ରଥମେ ମାଡ଼ ଖାଇବା କଥାକୁ ଏଡ଼ାଇବାକୁ ଚେଷ୍ଟା କରୁଥିବା ସୁକାନ୍ତ ସବୁ ସତ ମାନିଯାଇଥିଲା ଏବଂ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୂରଜ ବିଷୟରେ କହିପକାଇଥିଲା। ଏଥର ପୁଲିସ ଭଦ୍ରକରେ ଚଢ଼ଉ କରି ସୂରଜକୁ ଉଠାଇବା ପରେ ସବୁ କଥା ବାହାରି ଆସିଥିଲା। ଭଣ୍ଡ ବାବା ଦ୍ବାରା ନିଜ ପତ୍ନୀ ଯୌନ ନିର୍ଯାତନାର ଶିକାର ହୋଇଥିବାରୁ ସୂରଜ ପ୍ରତିଶୋଧ ନେବା ପାଇଁ ବାବାକୁ ଟାର୍ଗେଟ୍ କରିଥିଲା ବୋଲି ମାନିଯାଇଥିଲା।