ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଗଲା ୪ ମାସରୁ ଅଧିକ ଦିନ ହେଲା ମନ୍ଦିର ଲୁଟି ପୁଲିସର ନିଦ ହଜାଇ ଦେଇଥିବା ‘ଭାଇ-ଭାଇ’ ଗ୍ୟାଙ୍ଗର ଖେଳ ଖତମ୍‌ ହୋଇଛି। ତିନି ଭାଇ ମିଶି ମନ୍ଦିର ଲୁଟି ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିଲେ। ବାଲିପାଟଣା ପୁଲିସ ଦୁଇ ଭାଇଙ୍କୁ ଧରିବା ପରେ ସେଠାରୁ ସୂଚନା ପାଇ ଅନ୍ୟ ଭାଇକୁ କାବୁ କରିଛି ଜଗତସିଂହପୁର ପୁଲିସ। ଅଭିଯୁକ୍ତଙ୍କଠାରୁ ପୁଲିସ ଠାକୁରଙ୍କ ମୂର୍ତ୍ତି, ମୁକୁଟ, ପୂଜାରେ ବ୍ୟବହୃତ ଘଣ୍ଟି, ଘଣ୍ଟା, ପିତ୍ତଳ ବାସନକୁସନ, ଢାଳ, ଦୀପ, ବାଲଟି ଓ ସିଂହାସନ ଆଦି ସହ ମାରଣାସ୍ତ୍ର ଜବତ କରିଛି। ଆଜି ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଛନ୍ତି ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା। ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଥାନା ଶାଳଜଙ୍ଗ ମାଳିତୋଟା ଅଞ୍ଚଳର ସାରଦା ପ୍ରସାଦ ଆଚାର୍ଯ୍ୟ (୩୮), ବରଦା ପ୍ରସାଦ ଆଚାର୍ଯ୍ୟ ଓରଫ୍ ରାଜା ଓରଫ୍ ଟେରା(୨୯) ଓ ଅନ୍ନଦା ପ୍ରସାଦ ଆଚାର୍ଯ୍ୟ ଓରଫ୍ ବିନଧା(୨୫)। 

Advertisment

ପୁଲିସ ସୂଚନା ଅନୁସାରେ, ଗତ ୪ ତାରିଖ ରାତିରେ ବରଦା ଓ ଅନ୍ନଦା ବାଲିପାଟଣା ଥାନା ଅଧୀନ ପ୍ରାଚୀ ବେଲେଶ୍ବର ମନ୍ଦିରରୁ ଚୋରି କରିଥିଲେ। ଖବର ପାଇ ପୁଲିସ ଅନ୍ନଦା ଓ ବରଦାକୁ ଧରିଥିଲା। ମୁଖ୍ୟ ଅଭିଯୁକ୍ତ ସାରଦାକୁ ନିଜ ଗାଁ ଶାଳଜଙ୍ଗ ମାଳିତୋଟାରୁ ଗିରଫ କରିବା ସହ ମନ୍ଦିର ଲୁଟ୍ ସାମଗ୍ରୀ ଜବତ କରିଥିଲା। ୩ ଭାଇ ଚଳିତବର୍ଷ ୯ ମନ୍ଦିର ଓ ଗୋଟିଏ ଘରୁ ଚୋରି କରିଥିବା ଜଣାପଡ଼ିଛି। କନକଦୁର୍ଗା ମନ୍ଦିର, ପୁରୁଣାଗଡ଼ସ୍ଥିତ ମା’ କୁତାମଚଣ୍ଡୀ ମନ୍ଦିର, ଚାଟରାସ୍ଥିତ ରାଧାକାନ୍ତ ମନ୍ଦିର, ଶାଳଜଙ୍ଗସ୍ଥିତ ସାଇ ମନ୍ଦିର, ଓଡ଼ିଶୋସ୍ଥିତ ଉତ୍ତରାୟଣୀ ଓ ମହାବୀର ମନ୍ଦିର, ଚଢ଼େଇଗାଁର ଚନ୍ଦ୍ରଶେଖର ଓ ମା’ ବୁଢ଼ୀ ବାସୁଳି ମନ୍ଦିର, ଆଶ୍ରମପାଟଣାର ହନୁମାନ ମନ୍ଦିର, ଦେବୀଦୋଳ ନୂଆପାରିସ୍ଥିତ ତୁମ୍ବେଶ୍ବର ମନ୍ଦିର, ନିଆଳି ଥାନା ଶାସନପଦାର ମହାବୀର ମନ୍ଦିର ଓ ଶାଳଜଙ୍ଗ ମାଳିତୋଟାର ବିଶ୍ବରୂପା ଆଚାର୍ଯ୍ୟଙ୍କ ଘରୁ ମଧ୍ୟ ଲୁଟପାଟ୍ କରିଥିଲେ।

କେବଳ ସେପ୍ଟେମ୍ବର ମାସରେ ୬ଟି ମନ୍ଦିରରେ କଳାକନା ବୁଲାଇଥିଲେ ଏହି ଗ୍ୟାଙ୍ଗ୍‌। ତିନିଜଣଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ କହିଛି। ସେମାନେ ଗୋପାଳସାଗରରେ ଏକ ଘର ଭଡ଼ା ନେଇ ରହୁଥିବା ପୁଲିସକୁ ସୂଚନା ମିଳିଛି। ପୁଲିସ ସେହି ଘରେ ପହଞ୍ଚିଥିଲେ ମଧ୍ୟ ତାଲା ପଡ଼ିଥିବା ଦେଖିବାକୁ ପାଇଛି। ଏ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରି କୋର୍ଟଙ୍କ ଅନୁମତି ମିଳିବା ପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଘର ଭଙ୍ଗାଯାଇ ଯାଞ୍ଚ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଉଲ୍ଲେଖଥାଉକି, ପତ୍ନୀକୁ ହତ୍ୟା କରିବା ଅଭିଯୋଗରେ ସାରଦା ୬ ବର୍ଷ ତଳେ ଜେଲ୍‌ ଯାଇଥିଲା। ୫ ବର୍ଷ ଜେଲ୍‌ରେ କାଟିବା ପରେ ଗତବର୍ଷ ମୁକୁଳିଥିଲା। ପରେ ତିନି ଭାଇ ମିଶି ଲୁଟ୍‌ପାଟ୍‌ ଆରମ୍ଭ କରି ଦେଇଥିଲେ। ତିନିଜଣଙ୍କ ନାଁରେ ପୂର୍ବରୁ ମଧ୍ୟ ମାମଲା ରହିଥିବା ପୁଲିସ କହିଛି। 

କୌତୁହଳପୂର୍ଣ୍ଣ କଥା ହେଲା, ମନ୍ଦିର ଲୁଟୁଥିବା ତିନି ଭାଇ କେବେ ବି ଆମିଷ ଭୋଜନ କରୁ ନ ଥିଲେ। ଏପରିକି ଯେଉଁ ଦିନ ମନ୍ଦିର ଲୁଟୁଥିଲେ ସେଦିନ ସମ୍ପୂର୍ଣ୍ଣ ବିନା ପିଆଜ ରସୁଣର ସାତ୍ତ୍ବିକ ଭୋଜନ କରୁଥିଲେ। ପୁଲିସ ଜେରା କଲାବେଳେ ଏ କଥା କହିଛି ସାରଦା। କାହିଁକି ଏପରି କରୁଥିଲ ବୋଲି ପୁଲିସ ପାଲଟା ପ୍ରଶ୍ନ ପଚାରିବାରୁ ସାରଦା କହିଥିଲା, ଭଗବାନ ସ୍ବପ୍ନରେ ଏମିତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ଆମିଷ ତ୍ୟାଗ କରି ସାତ୍ତ୍ବିକ ଭୋଜନ କରୁଥିଲୁ ବୋଲି ସେ କହିଥିଲା।