ପିପିଲି : ପୁରାତନ ଭଜନ ଓ ଜଣାଣକୁ ଖଞ୍ଜଣୀ ବାଦ୍ୟ ମାଧ୍ୟମରେ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ସ୍ଥାନୀୟ ଅଞ୍ଚଳର ସମାଜସେବୀ ତଥା ପୁରୁଖା କଂଗ୍ରେସ କର୍ମୀ ବନମାଳୀ ମିଶ୍ରଙ୍କର ୮୨ ବର୍ଷ ବୟସରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ପିପିଲି ବ୍ଲକ୍‌ କମଳାସାଗର ପାଟଣା ଗ୍ରାମରେ ସ୍ବର୍ଗତ ମିଶ୍ର ଜନ୍ମଗ୍ରହଣ କରିଥିଲେ। ସେ ଗାଁରେ ବିଦ୍ୟାଳୟ ପ୍ରତିଷ୍ଠା ଓ ଖଣ୍ତିମଙ୍ଗଳପୁରରେ ବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ଥିଲେ। ଜଣେ ସଫଳ କୃଷକଭାବେ ବିଭିନ୍ନ ଅନୁଷ୍ଠାନରୁ ସେ ପୁରସ୍କୃତ ହୋଇଛନ୍ତି।

Advertisment

କୋଭିଡ୍‌ ସମୟରେ ତାଙ୍କର ଭଜନ ଓ ଜଣାଣ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ତାଙ୍କ କଣ୍ଠରେ ‘ନ ଚାହାଁ ମାୟା ଦର୍ପଣେ’, ‘ରାମ ନ ଭଜିଲୁ ତୁଣ୍ତରେ’, ‘ନୀଳାଚଳେ ଲାଗିଛି ଲୀଳା’, ‘ଉଡ଼ୁରେ ଲୋଟଣୀ ପାରା’, ‘ଆରେ ଭୁଲାମନ ଦିନେ ସରିଯିବ ସୁଖ ସମ୍ପଦ’ ଆଦି ପୁରାତନ ଭଜନଗୁଡ଼ିକୁ ଶ୍ରୋତା ଓ ଦର୍ଶକମାନଙ୍କ ମନକୁ ଛୁଇଁଥିଲା। ଗାଁରେ ତାଙ୍କ ମରଶରୀର ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତି, ରାଜନେତା ତାଙ୍କର ଶେଷ ଦର୍ଶନ କରିଥିଲେ। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ପୁଅ ବିଭୂତିଭୂଷଣ ମିଶ୍ର ମୁଖାଗ୍ନି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁଅ ରାଜ୍ୟ କଂଗ୍ରେସ ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର, ଶଶିଭୂଷଣ, ଇଂ ଚନ୍ଦ୍ରକାନ୍ତ, ଶ୍ରୀ ଅଖଣ୍ତ ଓ ଝିଅ, ଜ୍ବାଇଁ ପ୍ରମୁଖ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ।