ଅଲୋଡ଼ା ଥିଲେ, ଭଜନ ଆଣିଦେଲା ସମ୍ମାନ

୧୫ ବର୍ଷ ହେଲା ଜଗନ୍ନାଥଙ୍କ ଭଜନରେ ବ୍ରତୀ ଦିବ୍ୟାଙ୍ଗ ଗୋଷ୍ଠୀ

ପୁରୀ : ସେମାନେ ଦୁନିଆକୁ ଦେଖିନାହାନ୍ତି। କିନ୍ତୁ କଣ୍ଠର ଯାଦୁରେ ଲକ୍ଷଲକ୍ଷ ହୃଦୟ ଜିଣିଛନ୍ତି। ଦୃଷ୍ଟିହୀନ ବୋଲି ଦିନେ ଯିଏ ପରିବାରର ବୋଝ ଥିଲେ, ସେମାନେ ଏବେ ଭଜନ ଗାଇ ପରିବାର ଚଳାଉଛନ୍ତି। ରଥଯାତ୍ରାରେ ନିୟମିତ ଭଜନ ପରିବେଷଣ କରି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ଶ୍ରୀଜଗନ୍ନାଥ ଦିବ୍ୟାଙ୍ଗ ଭଜନ ସମାରୋହର କଳାକାରମାନଙ୍କ ଗୀତ ଶୁଣି ଭକ୍ତମାନେ ତାଳି ବର୍ଷା କରିଛନ୍ତି। ତେବେ ଏହି ତାଳି ପାଇଁ ତାଙ୍କୁ କମ୍‌ ସଂଘର୍ଷ କରିବାକୁ ପଡ଼ିନାହିଁ। ସେମାନଙ୍କ ସଂଘର୍ଷର କାହାଣୀ ଯେତିକି ରୋଚକ, ସଫଳତାର ଯାତ୍ରା ସେତିକି ପ୍ରେରଣାଦାୟୀ। କେବଳ ଓଡ଼ିଶା ଭିତରେ ସେମାନଙ୍କ ଚର୍ଚ୍ଚା ସୀମିତ ରହିନାହିଁ, ବରଂ ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଗୁଜରାଟକୁ ମଧ୍ୟ ଏହି ଦୃଷ୍ଟିହୀନ କଳାକାରମ‌ାନଙ୍କ ସଂଗୀତର ପ୍ରସିଦ୍ଧି ବ୍ୟାପିଛି। ସମସ୍ତେ ଓଡ଼ିଆ ହୋଇଥିଲେ ହେଁ ଓଡ଼ିଆ ସମେତ ତେଲୁଗୁ, ବଙ୍ଗଳା, ହିନ୍ଦୀ ଓ ଗୁଜରାଟୀ ଭା‌ଷାରେ ଭଜନ ଗାଇ ଶ୍ରୋତାଙ୍କ ମନ ଜିଣିଛନ୍ତି।

ବ୍ରହ୍ମପୁର ଅନ୍ଧପସରା ରୋଡ୍‌ ନିବାସୀ ଭବାନୀ ଶଙ୍କର ପାଢ଼ୀଙ୍କ ପରିକଳ୍ପନା‌ରୁ ଜନ୍ମ ନେଇଥିଲା ଏହି ଅନୁଷ୍ଠାନ। ଭବାନୀ ନିଜେ ଆଂଶିକ ଦୃଷ୍ଟିହୀନ ହୋଇଥିବା ବ‌େଳେ ଜଣେ ଭଗବତ ପ୍ରେମୀ ଓ କଣ୍ଠଶିଳ୍ପୀ। ତେବେ ପରିବାର ଚଳାଇବା ପାଇଁ ସେ ଗୁଜରାଟ ଯାଇ ଚାକିରି କରୁଥିଲେ। ଦିନେ ଛୁଟିରେ ନିଜ ଘରକୁ ଫେରିଥାଆନ୍ତି। ସେଇ ସମୟରେ ୭ ଜଣ ଦୃଷ୍ଟିବାଧିତ ପିଲା ଏକ ଚର୍ଚ୍ଚରେ ସଂଗୀତ ପରିବେଷଣ କରିବା ପରେ ଭବାନୀଙ୍କ ଘରେ ରାତିଟା କଟାଇବା ପାଇଁ ଅନୁରୋଧ କରିଥିଲେ। ସେଦିନ ଭବାନୀ କେବଳ ସେମାନଙ୍କୁ ଆଶ୍ରା ଦେଲେନି, ବରଂ ତାଙ୍କଠାରୁ ସଂଗୀତ ଶୁଣିବା ପାଇଁ ଆଗ୍ରହ ପ୍ରକାଶ କଲେ। ଭବାନୀ ଚିନ୍ତା କଲେ ଯେ ଯଦି ଗୋଟେ ଦିନ ଏହି ଦୃଷ୍ଟିବାଧିତ କଳାକାରମାନେ ସଂଗୀତ ପରିବେଷଣ କରି କିଛି ଆୟ କରୁଛନ୍ତି, ତେବେ ସେମାନଙ୍କୁ ନେଇ ଏକ ଭଜନ ମଣ୍ଡଳୀ ଗଢ଼ିଲେ କେମିତି ହୁଅନ୍ତା। ସେଇ ପରିକଳ୍ପନାକୁ ସେଦିନ ଉପସ୍ଥିତ ଦୃଷ୍ଟିବାଧିତ କଳାକାରମାନେ ସମ୍ମତି ଜଣାଇଲେ। ୨୦୦୭ ମସିହାରୁ ଆରମ୍ଭ ହେଲା ‘ଶ୍ରୀଜଗନ୍ନାଥ ଦିବ୍ୟାଙ୍ଗ ଭଜନ ସମାରୋହ’ ଅନୁଷ୍ଠାନ। ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିସାରିଥିବା ଏହା ବୋଧେ ଏକମାତ୍ର ଅନୁଷ୍ଠାନ ଯିଏ ବର୍ଷକୁ ୨ଶହ ଦିନ ଭଜନ ପରିବେଷଣ କରନ୍ତି। ସେଇଥିରୁ ଯାହା ପ୍ରାପ୍ୟ ମିଳେ ସେଇଥିରେ ତାଙ୍କ ପରିବାର ଚଳୁଛି।

୭ ଜଣରୁ ଆରମ୍ଭ ହୋଇଥିବା ଏହି ସଂସ୍ଥାରେ ଏବେ ନିୟମିତ କଳାକାର ଭାବେ ୨୧ ଜଣ ଯୋଡ଼ି ହେଲେଣି। କଳାକାରମାନେ ମାସିକ ପାରିତୋଷିକ ବି ନେଉଛନ୍ତି। ଅନୁଷ୍ଠାନରେ ବହୁବର୍ଷ ହେଲା ସାମିଲ୍‌ ହୋଇଥିବା ବୌଦ୍ଧର ଦୃଷ୍ଟିବାଧିତ କଳାକାର ବେଲାଳସେନ ନାୟକ ଏହି ଅନୁଷ୍ଠାନର ନିୟମିତ ସଦସ୍ୟ ହୋଇଥିବା ବେଳେ ଭଜନ ପରିବେଷଣ କରି ରୋଜଗାର କରିଥିବା ଟଙ୍କାରେ ନିଜ ଦୁଇ ଭାଇକୁ ପାଠ ପଢ଼ାଇବା ସହ ଭଉଣୀର ବାହାଘର କରିଛନ୍ତି। ଦୃଷ୍ଟିହୀନ ହୋଇଥିଲେ ହେଁ ସେମାନେ ହାର୍‌ ମାନିନାହାନ୍ତି। ଲୋକେ ଟାହି ଟାପରା କରିଥିଲେ ବି ସେସବୁକୁ ପଛକୁ ଆଡ଼େଇ ଦେଇ ସେମାନେ ଘରେ‌ଘରେ ଆଦୃତି ସାଉଁଟୁଛନ୍ତି। ଭବାନୀଙ୍କ କହିବା ମୁତାବକ, ତାଙ୍କ ଅନୁଷ୍ଠାନରେ ୯ଜଣ ପୁରୁଷ କଣ୍ଠଶିଳ୍ପୀ ଓ ୭ଜଣ ମହିଳା କଣ୍ଠଶିଳ୍ପୀ ଭାବେ ଭଜନ ପରିବେଷଣ କରି ଆସୁଛନ୍ତି। ଏହାବ୍ୟତୀତ ଉତ୍କଳ ସଂଗୀତ ମହାବିଦ୍ୟାଳୟରୁ ସଂଗୀତରେ ଉତ୍ତୀର୍ଣ୍ଣ ହୋଇଥିବା କିଛି ଦୃଷ୍ଟିବାଧିତ କଳାକାରମାନେ ମଧ୍ୟ ଏହି ଅନୁଷ୍ଠାନ ସହ ଯୋଡ଼ି ହୋଇଛନ୍ତି। କାର୍ଯ୍ୟକ୍ରମ ଥାଉ ଅବା ନଥାଉ, ଭଜନ ମଣ୍ଡଳୀରେ ୨୧ ଜଣ କଳାକାରଙ୍କୁ ମାସିକ ୫ ହଜାରରୁ ୧୦ ହଜାର ଟଙ୍କା ଦରମା ଦିଆଯାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର, ଆଧ୍ୟାତ୍ମିକତାର ପ୍ରସାର ଏବଂ ଦିବ୍ୟାଙ୍ଗଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ପାଇଁ ୧୫ ବର୍ଷ ଧରି ଏହି ଅଭିଯାନ ଚାଲିଛି ‌ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ସମ୍ବନ୍ଧିତ ଖବର