କେସିଙ୍ଗା : ଜାମ୍ମୁ କାଶ୍ମୀର ଭଳି କଳାହାଣ୍ଡିରେ ବି ୩୭୦ ଧାରା ଲାଗୁ ହେଉ ବୋଲି ନବେ ଦଶକରେ ଦାବି କରି ହଟଚମଟ ସୃଷ୍ଟି କରିଥିଲେ। ଦୁଇ ଦଶନ୍ଧି ପରେ ପୁଣି ଆଞ୍ଚଳିକ ବୈଷମ୍ୟ ଓ କୋଶଳ କାର୍ଡ ଖେଳିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ।

Advertisment

ରାଜନୀତିରେ ନିଜ ସଂପର୍କରେ ନୂଆ ନୂଆ ଚର୍ଚ୍ଚା ସୃଷ୍ଟି କରିବାରେ ଭକ୍ତ ବେଶ୍‌ କୁଶଳୀ। ୯୦ ଦଶକରେ ସେ କଳାହାଣ୍ଡିରେ ୩୭୦ ଧାରା ଲାଗୁ ପାଇଁ ଦାବି ଉଠାଇଥିଲେ। ନିର୍ବାଚନ ଜିତିବା ପରେ ତାହା ପ୍ରସଙ୍ଗରେ ହିଁ ସୀମିତ ରହିଗଲା। ପୁଣି ସମାଜବାଦୀ ଜନତା ପାର୍ଟିରୁ କଂଗ୍ରେସକୁ ଆସିବା ଓ ଲଗାତାର ପରାଜୟ ପରେ ନିୟମଗିରି ଆନ୍ଦୋଳନକୁ ଜୋରଦାର କରିଥିଲେ। ଏହା ତାଙ୍କୁ ବହୁପରିମାଣରେ ସହାୟକ ହୋଇଥିଲା ଓ ୨୦୦୯ରେ ସାଂସଦ ଭାବରେ ବିଜୟୀ ହେଲେ। ସେତେବେଳେ ନିୟମଗିରି ଅଞ୍ଚଳକୁ ଗସ୍ତ କରି ତତ୍‌କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହ ମିଶି ଲମ୍ବା ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଏହି କଥା ସବୁ ଶୀତଳ ଭଣ୍ଡାରକୁ ଚାଲିଗଲା। ଗତ ୨୦୧୪ ଓ ୨୦୧୯ ନିର୍ବାଚନରେ ଏହା ପ୍ରସଙ୍ଗ ମଧ୍ୟ ହେଲାନାହିଁ। ଭକ୍ତ ଦାସ ଏହି ଦୁଇ ଥରଯାକ ପରାଜିତ ହେଲେ। ତାଙ୍କ ସ୍ଥାନ ତୃତୀୟକୁ ଖସିଲା। ବହୁ ପୁରୁଣା ଲୋକ ତାଙ୍କୁ ଛାଡି ଅନ୍ୟଦଳରେ ମିଶିଲେ। ଏବେ କୋଶଳ ରାଜ୍ୟ ତାଙ୍କ ରାଜନୈତିକ ଏଜେଣ୍ଡା। ଗାନ୍ଧୀ ଜୟନ୍ତୀ ଅବସରରେ କୋଶଳ ମହାରାଜ୍ୟ ଗଠନ ପଶ୍ଚିମ ଓ କେବିକେ ଅଞ୍ଚଳ ପ୍ରତି ସରକାରଙ୍କ ବୈମାତୃକତା ଓ ଆଞ୍ଚଳିକ ବୈଷମ୍ୟତା କଥା ଉଠାଇ ଆନ୍ଦୋଳନକାରୀଙ୍କ ଆସ୍ଥାଭାଜନ ହେବାର ଚେଷ୍ଟା କରିଛନ୍ତି।

ଗୋଟିଏ ପଟେ କୋଶଳ ରାଜ୍ୟ ପ୍ରସଙ୍ଗ ଉଠାଇବା ଓ ଅନ୍ୟ ପଟେ ଆଉ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିବା ପଛରେ ଭକ୍ତଙ୍କ ଉଦ୍ଦେଶ୍ୟ‌ ନେଇ ଚର୍ଚ୍ଚା ହେଉଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏ ସଂପର୍କରେ କହିଛନ୍ତି, କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କଲେଣି। ଭକ୍ତଙ୍କୁ ବି ଜିଲ୍ଲାବାସୀ ଗ୍ରହଣ କରୁନାହାନ୍ତି। ଏଣୁ ଚର୍ଚ୍ଚାକୁ ଆସିବାର ଏହା ନୂଆ ଫର୍ମୁଲା। ସେ ତ ନିଜେ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ଥିଲେ। ତାଂକ ସରକାର ଥିଲା। ସେହି ସମୟରେ ଆଞ୍ଚଳିକ ବୈଷମ୍ୟ କାହିଁକି ଦୁର କରିପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଆଞ୍ଚଳିକ ବୈଷମ୍ୟର ସ୍ଥାନ ନାହିଁ। ସେ ରାଜ୍ୟର ସବୁ ଅଞ୍ଚଳକୁ ସମାନ ନଜରରେ ଦେଖନ୍ତି। କଳାହାଣ୍ଡି ଏବେ ସ୍ୱତନ୍ତ୍ର ବିକାଶ ଧାରାରେ ରହିଛି ବୋଲି ସେ କହିଛନ୍ତି।