ଭୁବନେଶ୍ବର: ୭ମାସର ବ୍ୟବଧାନ ପରେ ଓଡ଼ିଶା କଂଗ୍ରେସକୁ ମିଳିଛନ୍ତି ନୂଆ ମୁଖିଆ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଭାବେ ଏଆଇସିସି ନିଯୁକ୍ତି ଦେଇଛି। ଏଆଇସିସି ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ଦୟନୀୟ ପ୍ରଦର୍ଶନ ପରେ କଂଗ୍ରେସ ହାଇକମାଣ୍ଡ ଜୁଲାଇ ୨୧ ତାରିଖରେ ଓଡ଼ିଶାର ସବୁ କଂଗ୍ରେସ କମିଟିକୁ ଭାଙ୍ଗି ଦେଇଥିଲେ। ଏହି ସମୟରେ ସଭାପତି ଥିବା ଶରତ ପଟ୍ଟନାୟକଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା। ସଭାପତି ନ ଥିବାରୁ ଏକ ଷ୍ଟିୟରିଂ କମିଟି ଜରିଆରେ ଓଡ଼ିଶା କଂଗ୍ରେସକୁ ପରିଚାଳନା କରାଯାଉଥିଲା। ଦଳର ସାଙ୍ଗଠିନକ କାର୍ଯ୍ୟ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା। ତେଣୁ ଓଡ଼ିଶା କଂଗ୍ରେସର କିଏ ମଙ୍ଗ ଧରିବ ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ୨ମାସ ତଳେ ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣଦାସ ମହାନ୍ତ ଓ ନେତ୍ରୀ ମୀନାକ୍ଷୀ ନଟରାଜନ ଓଡ଼ିଶା ଆସି ସଭାପତି ଚୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ। ସାଂସଦ ସପ୍ତଗିରି ଉଲ୍ଲାକା, ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଓ ଭକ୍ତ ଚରଣ ଦାସଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଥିଲା। ସଭାପତି ଘୋଷଣା ବିଳମ୍ବ ହେଉଥିବାରୁ ରାଜ୍ୟର ବରିଷ୍ଠ କଂଗ୍ରେସ ନେତାମାନେ ଅସନ୍ତୋଷ ପ୍ରକାଶ କରିବା ପରେ ଦିଲ୍ଲୀ ନିର୍ବାଚନ ପରେ ପିସିସି ସଭାପତି ନିଯୁକ୍ତି ଦିଆଯିବ ବୋଲି ସଙ୍କେତ ଦେଇଥିଲେ ହାଇକମାଣ୍ଡ। ଶେଷରେ ଭକ୍ତଙ୍କ ନାଁରେ ଆଜି ଏଆଇସିସି ମୋହର ମାରିଛି।
ଭକ୍ତ ଦାସ ଥରେ ବିଧାୟକ ଓ ୩ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳରେ ସେ ରେଳ ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଭବାନୀପାଟଣା ସରକାରୀ କଲେଜର ଛାତ୍ର ସଂସଦ ସଭାପତି ଭାବରେ ନିର୍ବାଚିତ ହୋଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମେ ଜନତା ଦଳରେ ଥିବା ଶ୍ରୀ ଦାସ ପରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ଗତ ସାଧାରଣ ନିର୍ବାଚନରେ ସେ ନର୍ଲାରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ଏହି ସମୟରେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ଅବଶ୍ୟ ଦଳର ଖରାପ ପ୍ରଦର୍ଶନ ପାଇଁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ଶ୍ରୀ ଦାସ ଏଆଇସିସି ସାଧାରଣ ସଂପାଦକ; ବିହାର, ମଣିପୁର ଓ ମିଜୋରାମର କଂଗ୍ରେସ ପ୍ରଭାରୀ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ପୁଅ ସାଗର ଚରଣ ଦାସ ଭବାନୀପାଟଣା ଆସନରୁ କଂଗ୍ରେସ ଟିକେଟରେ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ ହେବା ପରେ ଏକ ଭିଡିଓ ବାର୍ତ୍ତା ଜରିଆରେ ଶ୍ରୀ ଦାସ କହିଛନ୍ତି ଯେ ଓଡ଼ିଶାରେ କଂଗ୍ରେସକୁ ତିଆରି କରିବା ପାଇଁ ମୋର ବହୁଦିନରୁ ଇଚ୍ଛା ଥିଲା। ଦଳ ମୋ ଉପରେ ଭରସା କରିଥିବାରୁ ଧନ୍ୟବାଦ। ଏଥିପାଇଁ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଖଡ଼୍ଗେଜୀଙ୍କୁ କୃତଜ୍ଞତା। ସମସ୍ତଙ୍କୁ ନେଇ କାମ କରିବା ପାଇଁ କଠିନ ପରିଶ୍ରମ କରିବି। ଦଳରେ ସମସ୍ତଙ୍କ ସମ୍ମାନ ସୁରକ୍ଷା ମୋର କର୍ତ୍ତବ୍ୟ ହେବ। ଗାନ୍ଧୀଜୀ ବିଚାରରେ ରାଜ୍ୟରେ ବ୍ୟାପକ ସାଙ୍ଗଠିନକ କାର୍ଯ୍ୟକ୍ରମ କରାଯିବ। ପ୍ରତ୍ୟେକ ପ୍ରସଙ୍ଗରେ ଆସନ୍ତା ଦିନରେ କଂଗ୍ରେସ ଲଢ଼େଇ କରିବ ବୋଲି ସେ କହିଛନ୍ତି।
ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ବିଧାୟକ ସଂଖ୍ୟା ୯ରୁ ବୃଦ୍ଧି ପାଇ ୧୪ରେ ପହଞ୍ଚିଛି। ମାତ୍ର ରାଜ୍ୟରେ ଭୋଟ୍ ହାର କ୍ରମାଗତ ଭାବେ କମି କମି ଚାଲିଛି। ଆଉ ୨ବର୍ଷ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ। ଏହି ସମୟ ଭିତରେ ଦଳକୁ ସଙ୍ଗଠିତ କରି ନିର୍ବାଚନ ମଇଦାନକୁ ଓହ୍ଲାଇବା ଭକ୍ତଙ୍କ ପାଇଁ ପ୍ରମୁଖ ଆହ୍ବାନ ହେବ। ଦଳର ପ୍ରତ୍ୟେକ ନେତାଙ୍କୁ ଏକାଠି କରି ଓଡ଼ିଶା କଂଗ୍ରେସକୁ ଆଗକୁ ନେବାକୁ ପଡ଼ିବ। ଏହା ସହ ଗତ କିଛି ମାସ ଭିତରେ କଂଗ୍ରେସ ଦଳରୁ ଅନେକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ କରାଯାଇଛି। ତେଣୁ ନୂଆ ପିସିସି ସଭାପତି ହେବା ପରେ ସେମାନେ ପୁଣିଥରେ ଦଳକୁ ଫେରିବେ ନା ସବୁଦିନ ପାଇଁ ସେମାନଙ୍କୁ କଂଗ୍ରେସ ଦଳର ବାଟ ବନ୍ଦ ତାହା ଉପରେ ସମସ୍ତଙ୍କ ନଜର ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/12/NCxCh55AIp49QYnJVofI.jpg)