ପଶ୍ଚିମ ଓଡ଼ିଶାରେ ଦ୍ବିତୀୟ ରାଜଧାନୀ କଥା ଦୋହରାଇଲେ ଭକ୍ତ ଦାସ

କେବିକେ-କନ୍ଧମାଳରେ ହେଉ ଅଟୋନମସ କାଉନ୍‌ସିଲ, ଅହିଂସାତ୍ମକ ଆନ୍ଦୋଳନ ପାଇଁ ଆହ୍ୱାନ

ସୋନପୁର : ପଶ୍ଚିମ ଓଡ଼ିଶାରେ ଦ୍ବିତୀୟ ରାଜଧାନୀ ହେଉ ବୋଲି ଦୋହରାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ। ଶୁକ୍ରବାର ସୋନପୁର ସର୍କିଟ୍‌ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ଶିକ୍ଷା, ସ୍ବାସ୍ଥ୍ୟ ସମସ୍ତ କ୍ଷେତ୍ରରେ ପଛରେ ପଡ଼ିଛି। ଏହି ଅଂଚଳର ଲୋକେ ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଂଚିତ। ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟ ସାଧିତ ହୋଇପାରି ନାହିଁ। ଆମେ ପ୍ରତ୍ୟେକ ବ୍ୟକ୍ତି ଏବଂ ପରିବାରର ବିକାଶ ଚାହୁଛୁ। ହକ ପାଇଁ ଏକ ଜନ ଆନ୍ଦୋଳନର ଆବଶ୍ୟକତା ରହିଛି। କେବିକେ ସ୍ବୟଂଶାସିତ ପରିଷଦ ହେଉ। ପଶ୍ଚିମ ଓଡ଼ିଶାର ଲୋକଙ୍କ ସୁବିଧା ପାଇଁ ପଶ୍ଚିମ ଓଡ଼ିଶାରେ ଦ୍ବିତୀୟ ରାଜଧାନୀ ସ୍ଥାପନ କରାଯାଉ। ସବୁ କାର୍ଯ୍ୟାଳୟ ଭୁବନେଶ୍ବରରେ ହେଲେ ପଶ୍ଚିମ ଓଡ଼ିଶାବାସୀ ସୁବିଧା ପାଇବେ କିପରି?

ସେ ଆହୁରି କହିଲେ ଯେ ବର୍ତମାନ ରାଜ୍ୟରେ ବ୍ୟୁରୋକ୍ରାଟମାନେ ଶାସନକୁ ନିୟନ୍ତ୍ରଣ କରୁଛନ୍ତି। ମନ୍ତ୍ରୀ ବିଧାୟକଙ୍କ ପାତିଆରା ରହୁ ନାହିଁ। ଫଳରେ ଲୋକଙ୍କ ସମସ୍ୟା ଦୂର ହୋଇ ପାରୁ ନାହିଁ। ରାଜ୍ୟ ବଜେଟରେ ପଶ୍ଚିମ ଓଡ଼ିଶା ପାଇଁ ଏକ ତୃତୀୟାଂଶ ଅର୍ଥାତ ରାଜ୍ୟ ବଜେଟରୁ ୫୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ହେବା କଥା ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ବିଧାୟକ ବିନୋଦ ପାତ୍ର, ପୂର୍ବ ବିଧାୟକ ରବିନାରାୟଣ ପାଣିଗ୍ରାହୀ, ପିସିସି ସଂପାଦକ ଜିତେନ୍ଦ୍ର ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଗୌରୀଶ୍ୟାମ ପଣ୍ତା, ପିସିସି ସଭ୍ୟ ଗୌରୀଶଙ୍କର ମହାପାତ୍ର, ନଗର ସଭାପତି ସୁଧୀର ପଣ୍ତା ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ବଲାଙ୍ଗୀର ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ଅନୁରୂପ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ଏହି ପ୍ରସଙ୍ଗ ଉଠାଇ ପଶ୍ଚିମ ଓଡ଼ିଶାରେ ଦ୍ବିତୀୟ ରାଜଧାନୀ ହେଉ ବୋଲି ଦାବି କରିଥିଲେ। ପଶ୍ଚିମ, ଦକ୍ଷିଣ ଓଡ଼ିଶା ବର୍ତ୍ତମାନ ଆଞ୍ଚଳିକ ବୈଷମ୍ୟର ଶିକାର ହୋଇଛି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ପଶ୍ଚିମ ଓଡ଼ିଶାର କେନ୍ଦ୍ରସ୍ଥଳରେ ଦ୍ୱିତୀୟ ରାଜଧାନୀ ଏବଂ କେବିକେ-କନ୍ଧମାଳରେ ଅଟୋନମସ କାଉନସିଲ ନିର୍ମାଣ କରି ଏ ଅଂଚଳକୁ ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରାଯାଉ। ଏହି ଦୁଇଟି ଦାବି ନେଇ ଆଗକୁ ୨/୩ ମାସ ଭିତରେ ଏକ ଐତିହାସିକ ଅହିଂସାତ୍ମକ ଆନ୍ଦୋଳନ ଆରମ୍ଭ ହେବ। ଏଥିପାଇଁ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ଆଲୋଚନା ଜାରି ରହିଛି ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ। ଏଥିପାଇଁ ସେ ବଲାଙ୍ଗୀର ଗସ୍ତ କରି ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ସହ ବି କଥାବାର୍ତ୍ତା କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର