ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ବୟସ୍କ ଓ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ବାରଣ କରାଯିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଦେଇଥିବା ମନ୍ତବ୍ୟକୁ କଡ଼ା ଭାଷାରେ ବିରୋଧୀ ଭର୍ତ୍ସନା କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସଙ୍କୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।
ଶ୍ରୀ ବାହିନୀପତି କହିଛନ୍ତି, ତାଙ୍କର ମାନସିକ ବିକୃତି ଘଟିଛି, ଏମ୍ସରେ ଚିକିତ୍ସା କରାଯାଉ। ଭଗବାନଙ୍କୁ ଦର୍ଶନ କରିବାର ଅଧିକାର ସମସ୍ତଙ୍କର ରହିଛି। ତାଙ୍କୁ ତୁରନ୍ତ ନିଲମ୍ବନ ନ କଲେ ବିଧାନସଭାରେ ଏ ସଂପର୍କରେ ପ୍ରଶ୍ନ ଉଠିବ ଓ ସରକାରଙ୍କୁ ଏହାର ଜବାବ ଦେବାକୁ ପଡ଼ିବ। ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବା ପାଇଁ କଂଗ୍ରେସ ଦଳ ଦାବି କରିଆସୁଛି। ଗତକାଲି ୪ଜଣ ବୟସ୍କ ମହିଳା ଅଚେତ୍ ହୋଇଥିଲେ। ଏଥିପାଇଁ ସରକାର ସଂପୂର୍ଣ୍ଣଭାବେ ଦାୟୀ। ଜଗନ୍ନାଥ ସଂସ୍କୃତି ଉପରେ କଥା ଆସିଲେ କଂଗ୍ରେସ କଦାପି ବରଦାସ୍ତ କରିବ ନାହିଁ ବୋଲି ଶ୍ରୀ ବାହିନୀପତି କହିଛନ୍ତି। ସେହିପରି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, କାର୍ତ୍ତିକ ମାସ ହେଉଛି ଧର୍ମ ମାସ, ଆଗକୁ ପଞ୍ଚୁକ ଆସୁଛି। ଓଡ଼ିଶା ସମେତ ଭାରତ ଓ ବିଦେଶରୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥାନ୍ତି। ସରକାର ଏକତରଫା ଭାବେ ଏଭଳି ଘୋଷଣା କରିଛନ୍ତି। ଆସନ୍ତା ଜାନୁଆରି ୧୭ରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ହେଲେ କେବେ ୪ ଦ୍ବାର ଖୋଲିବେ ସେ ସଂପର୍କରେ ସରକାର କିଛି କହୁନାହାନ୍ତି। କଂଗ୍ରେସ ଦଳ ପକ୍ଷରୁ ୩ ଦଫାରୁ ସରକାରଙ୍କୁ ଚେତାବନୀ ଦିଆଯାଇଥିଲା। ତଥାପି ନିଦ ଭାଙ୍ଗୁନାହିଁ। ସରକାରଙ୍କ ଜିଦ୍ ନବାବ ହୁସେନ ଶାହଙ୍କ ଜିଦ୍ଠାରୁ ବଳିଗଲା। ନବାବ ହୁସେନ, ଦାଣ୍ଡରେ କେହି ହରିନାମ ନେଇପାରିବେ ନାହିଁ ବୋଲି ଘୋଷଣା କରିଥିଲେ। ଏହାର ବିରୋଧରେ ଚୈତନ୍ୟ ସଂକୀର୍ତ୍ତନ ଶୋଭାଯାତ୍ରା କରିଥିଲେ। ନବାବ ହୁସେନଙ୍କୁ ଘେରାଉ କରିଥିଲେ। ଶେଷରେ ଏହି କଟକଣାକୁ ହଟାଇବାକୁ ବାଧ୍ୟ ହୋଇଥିଲେ ନବାବ ହୁସେନ। କୌଣସି ଧର୍ମ ବିରୋଧୀ ବ୍ୟକ୍ତି ମଧ୍ୟ ଏଭଳି କଟକଣା ଜାରି କରି ନ ଥିଲେ। ଜଗନ୍ନାଥଙ୍କ ଦର୍ଶନ କରିବା ଧାର୍ମିକ ଓ ସାମ୍ବିଧାନିକ ଅଧିକାର। ଏହା ଉପରେ କଟକଣା ଜାରି କରିବା ସମ୍ବିଧାନ ଓ ଆଇନର ବିରୋଧୀ। ସରକାର ପ୍ରଥମେ ଏ କଥା ବୁଝିବା ଦରକାର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ଏମ୍ସରେ ଚିକିତ୍ସା କରାଯାଉ ବୋଲି କଟାକ୍ଷ କଲେ ତାରା
୪ ଦ୍ବାର ନ ଖୋଲି ଭକ୍ତଙ୍କୁ ବାରଣ କରିବା ଶୋଭନୀୟ ନୁହେଁ: ମୋହନ
ଦର୍ଶନ ପାଇଁ କେହି ବାରଣ କରି ନାହାନ୍ତି: ସୁଧୀର
ସେହିଭଳି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି, ଏଭଳି ନିଷ୍ପତ୍ତି ଭକ୍ତଙ୍କ ମନରେ ଆଘାତ ଦେଇଛି। ୪ ଦ୍ବାର ନ ଖୋଲି ଏଭଳି ବାରଣ କରିବା ଶୋଭନୀୟ ନୁହେଁ। ସବୁ ଭକ୍ତ ମନ୍ଦିର ଆସିବେ। ଏହାର ସୁବନ୍ଦୋବସ୍ତ କରିବା ପ୍ରଶାସନର ଦାୟିତ୍ବ। ନିଜ ଦାୟିତ୍ବରୁ ଦୂରେଇ ଭକ୍ତଙ୍କ ମନକୁ ଆଘାତ ଦେବେ କେମିତି? ବିଜେପି ଠିକ୍ ସମୟରେ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ ବୋଲି ସେ କହିଛନ୍ତି। ଅପରପକ୍ଷରେ ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, ମନ୍ଦିର ଗୁଡ଼ିକରେ ଗହଳି ସମୟକୁ ଦୂରେଇଲେ ଚଳିବ। ଶିରିଡ଼ି ଓ ତିରୁପତିଙ୍କ ଦର୍ଶନ ପାଇଁ ଭକ୍ତ ୫ରୁ ୮ ଘଣ୍ଟା ଠିଆ ହେଉଛନ୍ତି। କିନ୍ତୁ ଏଠି ଭକ୍ତ ୩ ଘଣ୍ଟା ଛିଡ଼ା ହେବା ପରେ ବିରୋଧୀ କହୁଛନ୍ତି ବସି ପଡ଼। ଏହାର ଫଟୋ ଉଠାଇ ଛାଡ଼ୁଛନ୍ତି। ଦର୍ଶନ ପାଇଁ କେହି ବାରଣ କରି ନାହାନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି। ସେହିପରି ବିଧାୟକ ଉମା ସାମନ୍ତରାୟ କହିଛନ୍ତି, ଜଗନ୍ନାଥ ମନ୍ଦିର ପାଇଁ ସରକାର ସବୁବେଳେ ସଜାଗ ଅଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଉପଯୁକ୍ତ ପରାମର୍ଶ ଦେଉଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍ପି ପର୍ଯ୍ୟନ୍ତ ସମସ୍ତେ ଜଗନ୍ନାଥ ମନ୍ଦିରକୁ ଭକ୍ତମାନେ କିଭଳି ଠିକ୍ ଭାବେ ଯାଇପାରିବେ ସେଥିପାଇଁ ଲାଗି ଥିବା ସେ କହିଛନ୍ତି।