ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲାରେ ରାଜନୈତିକ କାରଣରୁ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରି ବେଗୁନିଆପଡ଼ା ବ୍ଲକ୍ ଅଧ୍ୟକ୍ଷା ରେଶୁ ଗୌଡ଼ଙ୍କ ଭଣଜା ତାଳସର ପଞ୍ଚାୟତ ଭାବିନିପୁର ଗ୍ରାମର ପଙ୍କଜ ଗୌଡ଼(୩୨)ଙ୍କୁ ହତ୍ୟା କରିଛନ୍ତି।
ସୂଚନା ଅନୁସାରେ, ମୃତ ପଙ୍କଜ କୌଣସି କାମରେ ବାହାରକୁ ଯାଇ ସନ୍ଧ୍ୟାରେ ଗ୍ରାମକୁ ଫେରୁଥିଲେ। ଏହିସମୟରେ ପୂର୍ବରୁ ପ୍ରସ୍ତୁତ ହୋଇରହିଥିବା ୧୦ରୁ ଅଧିକ ବ୍ୟକ୍ତି ସଂଘବଦ୍ଧ ଭାବେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ପଙ୍କଜ ଘଟଣାସ୍ଥଳରେ ପଡ଼ିରହିଥିବା ବେଳେ ଅଭିଯୁକ୍ତ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ ଦୁର୍ଯ୍ୟୋଧନ ଗୌଡ଼ଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା କାରଣ ବୋଲି କୁହାଯାଉଥିବା ବେଳେ ଗ୍ରାମରେ ଲାଗି ରହିଥିବା ଏକ ପୂର୍ବ ବିବାଦରୁ ଏଭଳି ସଂଘବଦ୍ଧ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ସୂଚନା ପାଇଛି।ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରାଯାଉଥିବା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି।