ଟମକଶିଳା ବନବାସୀଙ୍କ ଦୁଃଖ ଭଣ୍ଡନ ନଦୀ

ଯଶିପୁର: ଯଶିପୁର ବ୍ଲକରୁ ୧୪ କିମି ଦୂର କାଳିକାପ୍ରସାଦ ନିକଟ ବନ ବିଭାଗ ତନଖି ଫାଟକ ନିକଟରେ ରହିଛି ଟମକଶିଳା ଗାଁ। ଏହି ଗାଁ ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ନିକଟରେ ଅବସ୍ଥିତ। ଗ୍ରାମବାସୀଙ୍କ ପାଇଁ ବିଶାଳ ପାହାଡ଼ ଓ ଭଣ୍ଡନ ନଦୀ ଗମନାଗମନରେ ବାଧକ ସାଜିଛି। ଭଣ୍ଡନ ନଦୀରେ ପୋଲ ନିର୍ମାଣ ପ୍ରସ୍ତାବ ସରକାରୀ ନାଲିଫିତା ତଳେ ଚାପି ହୋଇରହିଛି। ଧଳାବଣି ପଞ୍ଚାୟତ ଅନ୍ତର୍ଗତ ଏହି ଗାଁରେ ଶହେ ପାଖାପାଖି ବନବାସୀ ରହୁଥିବାବେଳେ ସେମାନଙ୍କ ପାଇଁ ଗମନାଗମନ ସୁବିଧା ନ ଥିବାରୁ ବାହାର ଦୁନିଆ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।

ନିକଟବର୍ତ୍ତୀ ଗାଁ ଉତ୍ତରାସରୁ ବାହାର ଇଲାକାକୁ ଯିବା ପାଇଁ ପ୍ରତିବନ୍ଧକ ସାଜିଛି ପାହାଡ଼। ପାହାଡ଼ର ପଥୁରିଆ ରାସ୍ତାକୁ ଗାଡ଼ି ଚଲାପଥ ନିର୍ମାଣ କରିବା ପାଇଁ ବ୍ଲକ କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଥିଲେ। ମାଟି ମୋରମ୍ ପଡ଼ି ଉତ୍ତରାସ ପଟୁ କିଛି ରାସ୍ତା ନିର୍ମାଣ ହୋଇ ସାରିଥିଲେ ମଧ୍ୟ ମଝିରେ ରହିଥିବା ବିରାଟ ପଥର ଖଣ୍ଡ ରାସ୍ତାକୁ ଅବରୋଧ କରିଛି। ଫଳରେ ଏହି ରାସ୍ତା ଦେଇ ପାଦରେ ଚାଲି ଚାଲି ଯାଆସ କରିବା ଛଡ଼ା ଆଉ କିଛି ଉପାୟ ନାହିଁ। ଅନ୍ୟପଟେ ଗାଁକୁ ଘେରି ରହିଥିବା ନଦୀ ବର୍ଷା ଦିନରେ ଦାଉ ସାଧୁଛି। ସ୍ଥିତି ଏମିତି ହୁଏ ଯେ ଗ୍ରାମବାସୀ ନଦୀରେ ପହଁରି କାଳିକାପ୍ରସାଦ ଗେଟ୍‌ ନିକଟକୁ ଯିବା ପାଇଁ ବାଧ୍ୟ ହୁଅନ୍ତି। ଏବେ ଗ୍ରୀଷ୍ମ ଋତୁରେ ଜଳ ପ୍ରବାହ କମିଲେ ଲୋକମାନେ ନଦୀ ଉପରେ ହିଡ଼ ଓ କାଠଭେଳା ପକାଇ ଯିବାଆସିବା କରୁଛନ୍ତି। ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ହେଲେ ଭଗବାନ୍ ଭରସା।

ଗାଁରେ ପିଇବା ପାଣିର ବ୍ୟବସ୍ଥା ଏଯାଏ ହୋଇ ପାରିଲାନି। ଗାଁ ଲୋକେ ଭଙ୍ଗାଦଦରା କୂଅ ଉପରେ ଭରସା କରିଥିବା ବେଳେ ବହୁ ସମୟରେ ନଦୀପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏତେ ବଡ଼ ଗାଁ, ଅଥଚ ନଳକୂଅ ନାହିଁ। ଯାତାୟାତ ସୁବିଧା ପାଇଁ ନଦୀ ଉପରେ ଏକ ଛୋଟ ପୋଲ ନିର୍ମାଣ ପାଇଁ ବହୁଦିନରୁ ଦାବି ହୋଇଆସୁଛି। ଯାହା ଉପରେ ଲୋକ ପାଦରେ ଚାଲିଚାଲି ଅନ୍ତତଃ ସାଇକେଲଟିଏ ନେଇ ଯାଆସ କରି ବାହାର ଦୁନିଆ ସହ ସମ୍ପର୍କ ସ୍ଥାପନ କରି ପାରିବେ। ରାସ୍ତା ଓ ପୋଲ ନିର୍ମାଣ ସମସ୍ୟା ନେଇ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଚକ୍ରଧର୍ ହେମ୍ବ୍ରମ୍‌ ପ୍ରାଶାସନିକସ୍ତରରେ, ଏପରିକି ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ମଧ୍ୟ ଅନେକ ଥର ଅବଗତ କରିଛନ୍ତି। ବର୍ଷାଋତୁ ଆରମ୍ଭ ପୂର୍ବରୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ସରପଞ୍ଚ ତ୍ରିଭୁବନ ଆଲଡ଼ା ଓ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର