ଭଣ୍ଡାରିପୋଖରୀରେ ହେଭିୱେଟ୍‌ ନେତାଙ୍କ ଲଢ଼େଇ : ଚାଲିଛି ମିଶ୍ରଣ ପର୍ବ, ପ୍ରଚାର ଜୋରଦାର

ଭଦ୍ରକ : ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ଏବେ ଖାଲି ମିଶ୍ରଣ ପର୍ବ ଚାଲିଛି। ଦଳ ଡିଆଁ ରାଜନୀତିରୁ କିଏ ଫାଇଦା ନେବ ସେ ନେଇ ଚର୍ଚ୍ଚାର ଅନ୍ତ ନାହିଁ। ଏଠାରେ ତିନିଟି ପ୍ରମୁଖ ଦଳର ତିନି ହେଭିୱେଟ୍‌ ନେତାଙ୍କ ଟକ୍କର ହେବାକୁ ଯାଉଛି। ବିଜେଡିରୁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, କଂଗ୍ରେସରୁ ବରିଷ୍ଠନେତା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେପିରୁ ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳ ଅବତୀର୍ଣ୍ଣ ହୋଇଥିବାରୁ ଏହା ଉପରେ ସାରା ରାଜ୍ୟର ନଜର କେନ୍ଦ୍ରୀଭୂତ ହୋଇଛି।

ଗତ ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡି ଦଖଲରେ ଥିଲା ଭଣ୍ଡାରିପୋଖରୀ। ମାତ୍ର ୧୦ ବର୍ଷର କ୍ଷମତା ଗାଦିରେ ବସିଥିବା ବିଜେଡି ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ନେଇ ଅସନ୍ତୋଷ ଲାଗି ରହିଛି। ପଞ୍ଚାୟତ ନିର୍ବାଚନ ବେଳୁ ହିଁ ବିଧାୟକ ପ୍ରଫୁଲ୍ଲ ସାମଲ ଓ ଲୋକସଭା ସାଂସଦ ଅର୍ଜୁନ ସେଠୀଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା। ଅର୍ଜୁନଙ୍କ ଅନୁଗତ ଆଗରପଡା ଅଞ୍ଚଳର ନେତା ଦେବେନ୍ଦ୍ର ଜେନା ବନ୍ତ ବ୍ଲକ ଅଧ୍ୟକ୍ଷ ଆସନ ହାତେଇବା ପରେ ଭଣ୍ଡାରିପୋଖରୀରେ ବିଜେଡି ହାତରୁ ବ୍ଲକ ଛଡାଇ ନେଇଥିଲେ କଂଗ୍ରେସ ଓ ବିଜେପି ମେଣ୍ଟ। ପୁଣି ସାଂସଦ ଅର୍ଜୁନ ସେଠୀ ବିଜେଡି ଛାଡିବା ସହିତ ପୁଅ ଅଭିମନ୍ୟୁ ସେଠୀଙ୍କୁ ବିଜେପିରୁ ଲୋକସଭା ପ୍ରାର୍ଥୀ କରିଛନ୍ତି। ତେଣୁ ଅର୍ଜୁନ ଓ ଅଭିମନ୍ୟୁ ବିଜେପି ଶିବିରରେ ରହି ବିଜେଡିି ବିରୋଧରେ ଯୁଦ୍ଧଂଦେହି ଡାକାରା ଦେଇଛନ୍ତି। ଅର୍ଜୁନଙ୍କ ସବୁ ବିଜେଡି ଅନୁଗତ ଏବେ ବିଜେପିରେ। ବନ୍ତ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା ଓ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା ବି ବିଜେପିରେ।

ଅନ୍ୟପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ହେବା ପରେ ଜିଲ୍ଲା ରାଜନୀତି ରୋଚକ ମୋଡ଼ ନେଇଛି। ନିରଞ୍ଜନ ଭଣ୍ଡାରିପୋଖରୀରେ ପ୍ରାର୍ଥୀ ହେବା ପରେ ଏବେ କଂଗ୍ରେସ ଶିବିର ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ ଓ ନେତା ମଧ୍ୟ ନିରଞ୍ଜନଙ୍କ ଶିବିରରେ ଯୋଗ ଦେଉଛନ୍ତି । ଭଣ୍ଡାରିପୋଖରୀ ବିଜେଡି ନେତା ଉଦୟ ନନ୍ଦ ଏହା ଭିତରେ କଂଗ୍ରେସରେ ଯୋଗ ଦେଇ ରାଜ୍ୟ କଂଗ୍ରେସର ସାଧାରଣ ସଂପାଦକ ଦାୟିତ୍ବ ଗ୍ରହଣ କରିଛନ୍ତି। ଉଦୟ ନନ୍ଦଙ୍କ କଂଗ୍ରେସର ଯୋଗଦାନ ଭଣ୍ଡାରିପୋଖରୀ କଂଗ୍ରେସ ସଂଗଠନକୁ ଅଧିକ କ୍ରିୟାଶୀଳ କରିବ ବୋଲି ଦଳୀୟ ନେତାମାନେ କହୁଛନ୍ତି। ସେହିପରି ବସନ୍ତିଆ ପଞ୍ଚାୟତର ବିଜେଡି ନେତାମାନେ ଏବେ ଦଳର ନେତୃତ୍ବ ପ୍ରତି ଆସ୍ଥା ତୁଟାଇ ବିଜେଡି ଛାଡି ଦେଇଛନ୍ତି। ଆସନ୍ତାକାଲି ପିସିସି ସଭାପତି ଭଣ୍ଡାରିପୋଖରୀ ଆସୁଥିବାବେଳେ ଏଠାରେ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହେବାକୁ ଯାଉଥିବା ସୂଚନା ମିଳିଛି।

ତେବେ ଏଠାରେ ସ୍ଥାନୀୟ ସମସ୍ୟା ହିଁ ମୁଖ୍ୟ ପ୍ରସଙ୍ଗ ହେବାକୁ ଯାଉଛି। ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଯିଏ ଆମ ସୁଖଦୁଃଖର ଠିଆ ହେବ, ଆମର ସେହିଭଳି ନେତା ଦରକାର। ରାସ୍ତା, ପାନୀୟ ଜଳ, ସ୍ବାସ୍ଥ୍ୟସେବା, ଅଙ୍ଗନବାଡି ଗୃହ ନିର୍ମାଣକୁ ନେଇ ରହିଛି ଲୋକଙ୍କର ଅସନ୍ତୋଷ। ବନ୍ତ ଡାକ୍ତରଖାନାକୁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ନ ମିଳିବା, ଦମକଳ କେନ୍ଦ୍ର ପ୍ରତିଷ୍ଠା ନ ହେବା, ଷ୍ଟେଟ୍ ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ପ୍ରତିଷ୍ଠା କରା ନ ଯିବା, କେନ୍ଦୁଆପଦା ରେଲୱେ ଲେବଲକ୍ରସିଂ ନିକଟରେ ଫ୍ଲାଏ ଓଭରବ୍ରିଜ୍, ମଞ୍ଜୁୁରୀରୋଡ ରେଲୱେ ଲେବଲକ୍ରସିଂ ନିକଟରେ ଫ୍ଲାଏ ଓଭରବ୍ରିଜ୍ ନ ହେବାକୁ ନେଇ ଲୋକଙ୍କ ଭିତରେ ରହିଛି ଅସନ୍ତୋଷ। କୃଷି ଋଣ ଛାଡ ନ ହେବା ଓ ଚାଷୀର ଧାନର ସହାୟକ ମୂଲ୍ୟ ନ ମିଳିବା, ବନ୍ତରେ ଜଳସେଚନ ବିଭାଗର ସବ୍‌ଡିଭିଜନାଲ ଅଫିସ୍ କାର୍ଯ୍ୟକାରୀ କରା ନ ଯିବା, ବନ୍ତ ଓ ଆଗରପଡାକୁ ଏନଏସି ଘୋଷଣା ନ କରିବାକୁ ନେଇ ମଧ୍ୟ ସେମାନେ କ୍ଷୁବ୍ଧ। ସେହିପରି ଭଣ୍ଡାରିପୋଖରୀ ନିକଟରେ ଥିବା ୨ ଶହ ୩୪ ଏକର ଇଡକୋ ଅଧିଗୃହୀତ ଧରଣୀ ସୁଗାର ଜମିରେ ଚିନି କଳ ହେଲାନାହିଁ। ଫୁଡପାର୍କ କିମ୍ବା ଟେକ୍ସଟାଇଲ ପାର୍କ କିଛି ପ୍ରତିଷ୍ଠା କରାଗଲା ନାହିଁ। ଏହି ଜମି ସେମିତି ପଡିରହିଛି। ଏହାକୁ ନେଇ ମଧ୍ୟ ଅଞ୍ଚଳର ଲୋକଙ୍କର ରହିଛି ଅସନ୍ତୋଷ।

ସମ୍ବନ୍ଧିତ ଖବର