ସୋର/ବାହାନଗା : ଗ୍ରୀଷ୍ମ ଛୁଟି ପରେ ଆଜି ରାଜ୍ୟରେ ଖୋଲିଛି ବିଦ୍ୟାଳୟ। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ନିଜ ନିଜ ବିଦ୍ୟାଳୟକୁ ଆସିଛନ୍ତି। ଏଥିସହିତ, ରେଳ ଦୁର୍ଘଟଣା ପରେ ଚର୍ଚ୍ଚାକୁ ଆସିଥିବା ବହାନଗା ଉଚ୍ଚବିଦ୍ୟାଳୟ ବି ଖୋଲିଛି। ତେବେ, ସ୍କୁଲ୍‌ରେ ଭିନ୍ନ ପରିବେଶ ଦେଖିବାକୁ ମିଳିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ପ୍ରଥମରୁ ଦଶମ ଶ୍ରେଣୀ ଯାଏ ମୋଟ ୫୬୫ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ୨୧ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଅଛନ୍ତି। ତେବେ, ବୁଧବାର ପ୍ରଥମ ଦିନରେ ତୃତୀୟରୁ ଦଶମ ଶ୍ରେଣୀ ଯାଏ ୧୧୨ ଜଣ ଛାତ୍ରଛାତ୍ରୀ ଓ ୧୯ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ସମସ୍ତ ଛାତ୍ରଛାତ୍ରୀ ୧୦ଟା ୧୦ରେ ‘ଆହେ ଦୟାମୟ ବିଶ୍ବ ବିହାରୀ...’ ପ୍ରାର୍ଥନା ଗାନ କରିଥିଲେ। ୧୦ଟା ୧୫ରେ ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଶୋକ ପାଳିଥିଲେ। ବୁଧବାର ଦିନ ଯୋଗ ଦିବସ ଥିବାରୁ ପ୍ରାର୍ଥନା ସାରି ୧୦ଟା ୪୫ରେ ପିଲାମାନେ ଯୋଗ ଶିଖିଥିଲେ। ସାହସ ଓ ମାନସିକ ସ୍ଥିରତା ପାଇଁ ଖେଳ ଶିକ୍ଷୟିତ୍ରୀ ରଂଜିତା ପାଣିଗ୍ରାହୀ ପିଲାମାନଙ୍କୁ ଯୋଗ ଶିକ୍ଷା ଦେଇଥିଲେ। ୧୧ଟା ୩୦ ମିନିଟ୍‌ରୁ ସମୟ ନିର୍ଘଣ୍ଟ ଅନୁସାରେ ପାଠପଢ଼ା ଆରମ୍ଭ ହୋଇଥିଲା। ୮ଟି ଶ୍ରେଣୀ କୋଠରି ମଧ୍ୟରୁ ୫ଟିରେ ପିଲାମାନେ ବସି ପାଠ ପଢ଼ିଥିଲେ। ତେବେ ଶବ ରଖାଯାଇଥିବା ଶ୍ରେଣୀଗୃହଗୁଡ଼ିକୁ ଭାଙ୍ଗିଦିଆଯାଇଥିବା ଯୋଗୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ମିତ ହୋଇଥିବା ନୂଆ କୋଠାର ଆଜି ଗୃହପ୍ରବେଶ ପୂଜା ହୋଇଥିଲା। ସମସ୍ତେ ମିଳିମିଶି ଭୋଗ ଖାଇଥିଲେ। ପରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ।

publive-image

ଅନ୍ୟପଟେ ରାଜ୍ୟ ଶିକ୍ଷା ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ବୁଧବାର ଦିନ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଓ ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର ବାହାନଗା ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟଙ୍କ ସହ ବିଦ୍ୟାଳୟ ପରିଚାଳନା ବାବଦରେ ଆଲୋଚନା କରିଥି‌ଲେ। ଅନେକ ଛାତ୍ରଛାତ୍ରୀ ରେଳଧାରଣା ପାର ହୋଇ ବିଦ୍ୟାଳୟକୁ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷା‌ ପାଇଁ ସ୍ଥାନୀୟ ଲୋକମାନେ ପାଳି କରି ୯ଟା ୨୦ ମିନିଟ୍‌ରୁ ୯ଟା ୪୦ ମିନିଟ୍‌ ପର୍ଯ୍ୟନ୍ତ ସେଠାରେ ଜଗିବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହ‌ାସହିତ ଜିଲ୍ଲାପାଳ ଶ୍ରୀ ସିନ୍ଦେ ଓ ଡିଇଓ ଶ୍ରୀ ସୂତାର ଛାତ୍ରଛାତ୍ରୀଙ୍କୁ ଭେଟି ସାହସ ଓ ସଫଳତାର ମନ୍ତ୍ର ଦେଇଥିଲେ।

‘ସମ୍ବାଦ’ ପକ୍ଷରୁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରମିଳା ସ୍ବାଇଁଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଶିକ୍ଷାନୁଷ୍ଠାନ ପରିସରରେ ଟ୍ରେନ୍ ଦୁର୍ଘଟଣା ମୃତକଙ୍କ ଶବ ରଖାଯିବା ନେଇ ଛାତ୍ରଛାତ୍ରୀଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ ବୋଲି ସେ କହିଥିଲେ। ବରଂ, ବିପର୍ଯ୍ୟୟ ସମୟରେ ବିଦ୍ୟାଳୟ ସମାଜିକ କାର୍ଯ୍ୟରେ ଲାଗି ପାରିଥିବାରୁ ସେମାନେ ଗର୍ବିତ ବୋଲି କହିଛନ୍ତି।

ସୂଚନାଥାଉକି, ଚଳିତ ମାସ ୨ ତାରିଖ ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ ବାହାନଗା ବଜାର ଷ୍ଟେସନ୍‌ଠାରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୯୨ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୨ ଶହରୁ ଅଧିକ ଆହତ ହୋଇଥିଲେ। ଦୁର୍ଘଟଣା ଦିନ ପାଖାପାଖି ୨୦୦ରୁ ଅଧିକ ମୃତଦେହ ବାହାନଗା ବିଦ୍ୟାଳୟରେ ରଖାଯାଇଥିଲା। ସେହିପରି କିଛି ଆହତ ମଧ୍ୟ ସେଠାରେ ରହି ଚିକିତ୍ସିତ ହୋଇଥିଲେ।